ଭୁବନେଶ୍ବର: ବୁଧବାରଠାରୁ ପାଗରେ ପରିବର୍ତନ ଆସିବ। ଥଣ୍ଡା ବଦଳରେ ବର୍ଷା ହେବ। ଉତ୍ତର ପଶ୍ଚିମ ଓଡ଼ିଶା ସମେତ କେତେକ ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଦିନର ପାଗ କୋହଲା ରହିବ। ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ୨୭ ତାରିଖ ପରେ ତାପମାତ୍ରା ପୁଣିଥରେ କମିବା ସହ ଥଣ୍ଡା ଅନୁଭୂତ ହେବ। ଏହି ସମୟ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭୋର ସମୟରେ କୁହୁଡ଼ି ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୨୫ ତାରିଖ ଅପରାହ୍ନଠାରୁ ପାଗରେ ପରିବର୍ତନ ଆସିବ। ୨୫ ଓ ୨୬ରେ ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ସହ ୨୬ ଓ ୨୭ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ୨୫ରୁ ୨୭ ତାରିଖ ଯାଏ ପାଗ ମେଘୁଆ ସହ ୨୬ ତାରିଖ ଅପରାହ୍ନରେ ସ୍ବଳ୍ପ ବର୍ଷା ହୋଇପାରେ। ୨୬ ଓ ୨୭ ତାରିଖରେ ଭୁବନେଶ୍ବର ସ‌ମେତ କେନ୍ଦ୍ରୀୟ, ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ରାତିର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ୨୭ ଓ ୨୮ ତାରିଖରେ ଏହା ପୁଣି ୩ରୁ ୪ ଡିଗ୍ରି କମିବା ହେତୁ ଥଣ୍ଡା ବୃଦ୍ଧି ପାଇବ। ୩୦ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ପୁଣି ଥରେ ବଢ଼ିବ ବୋଲି ସେ ଆକଳନ କରିଛନ୍ତି।