ନିଅଣ୍ଟିଆ ବର୍ଷା, ପଛରେ ପଡ଼ିଛି ଖରିଫ ଚାଷକାମ

ଜଳେଶ୍ବର: ଖରିଫ ଧାନ ଚାଷ ପାଇଁ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ସ୍ବତନ୍ତ୍ର ପରିଚୟ ଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଢେର ପଛରେ ପଡ଼ିଛି। ଫଳରେ ଚାଷୀମାନେ ତଳି ପକାଇବା ପାଇଁ ମୁଣ୍ଡରେ ହାତଦେଇ ବସିଛନ୍ତି।

ଉତ୍ତର ବାଲେଶ୍ବରର ୪ଟି ବ୍ଲକ ଯଥା ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକକୁ ବାଲେଶ୍ବର ଜିଲ୍ଲାର ଭାତହାଣ୍ଡି ବୋଲି କୁହାଯାଏ। କାରଣ ଗୋଟିଏ ଖରିଫ ଋତୁରେ ତମାମ ଜିଲ୍ଲାର ୧୨ଟି ବ୍ଲକରେ ଯେତିକି ଚାଷ ହୋଇଥାଏ ଏହାର ପାଖାପାଖି ଅଧାଭାଗ ଚାଷ କେବଳ ଏହି ଅଞ୍ଚଳରେ ହୋଇଥାଏ। ତେବେ ଜୁନ ମାସ ସରିବାକୁ ଯାଉଥିଲେ ମଧ୍ୟ ଚାଷ ପାଇଁ ଯେତିକି ବର୍ଷାର ଆବଶ୍ୟକତା ରହିଛି ତାଠାରୁ ଯଥେଷ୍ଟ କମ ବର୍ଷା ହୋଇଛି। ଫଳରେ ଧାନ ଚାଷ କାମ ବିଶେଷ ଭାବେ ପ୍ରଭାବିତ ହୋଇଛି। ସରକାରୀ ରିପୋର୍ଟ ଅନୁଯାୟୀ ବାଲେଶ୍ବର ଜିଲ୍ଲାରେ ଖରିଫ ଚାଷ ପାଇଁ ଏପ୍ରିଲ ମାସରେ ୬୨.୨ ଏମଏମ, ମେ ମାସରେ ୧୦୮.୫ ଏମଏମ, ଜୁନ ମାସରେ ୨୨୧.୫ ଏମଏମ, ଜୁଲାଇ ମାସରେ ୩୦୮.୬ ଏମଏମ, ଅଗଷ୍ଟ ମାସରେ ୩୩୨.୧ ଏମଏମ ଓ ସେପ୍ଟେମ୍ବର ମାସରେ ୨୬୭.୬ ଏମଏମ ବର୍ଷାର ଆବଶ୍ୟକତା ରହିଛି। ଚଳିତ ଖରିଫ ଋତୁରେ ଜଳେଶ୍ବର ବ୍ଲକରେ ୨୦୦୦୦ ହେକ୍ଟର ଜମିରେ ଧାନ ଓ ୩୨୭୫ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସେହି ଅନୁସାରେ ଜୁନ ମାସ ତୃତୀୟ ସପ୍ତାହ ସୁଦ୍ଧା ଧାନ ଚାଷ ପାଇଁ ଅତିକମରେ ୫୦୦ ହେକ୍ଟର କିମ୍ବା ତାଠାରୁ ଅଧିକ ଜମିରେ ତଳି ପଡ଼ିବା କଥା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ ହେକ୍ଟର ଜମିରେ ତଳି ପଡ଼ିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଜଳେଶ୍ବର ବ୍ଲକରେ ଏପ୍ରିଲ ମାସରେ ମାତ୍ର ୧ ଏମଏମ, ମେ ମାସରେ ୧୨୦ ଏମଏମ ଓ ଜୁନ ମାସରେ ଆଜି ସୁଦ୍ଧା କେବଳ ୧୦୯ ଏମଏମ ବର୍ଷା ହୋଇଛି। ଧାନ ତଳି ପଡ଼ିବା ପାଇଁ ସାଧାରଣତଃ ଜୁନ ମାସରେ ଅଧିକ ବର୍ଷାର ଆବଶ୍ୟକତା ହେଉଥିବା ବେଳେ ସେହି ପରିମାଣରେ ବର୍ଷା ନହେବା ଚାଷୀର ଚିନ୍ତା ବଢ଼ାଇ ଦେଇଛି। ସେହିପରି ଭୋଗରାଇ ବ୍ଲକରେ ୧୭୬୩୩ ହେକ୍ଟର ଜମିରେ ଧାନ ଓ ୧୩୧୦ ହେକ୍ଟର ଜମିରେ ଅଣ ଧାନ ଚାଷ ପାଇଁ ଲକ୍ଷ୍ୟ ରହିଛି। ସେହି ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଅତି କମରେ ୧୫୦୦ ହେକ୍ଟର ଜମିରେ ତଳି ପଡ଼ିବା କଥା। ତେବେ ଆଜି ସୁଦ୍ଧା ବ୍ଲକରେ ୨୨୮ ହେକ୍ଟର ତଳି ଓ ୨୧୭ ହେକ୍ଟର ଜମିରେ ଧାନ ବୁଣା କାମ ହୋଇଛି। ଏହି ବ୍ଲକରେ ମଧ୍ୟ ଏପ୍ରିଲ ମାସରେ ୭.୩ ଏମଏମ, ମେ ମାସରେ ୮୭ ଏମଏମ ଓ ଜୁନ ମାସରେ ଆଜି ସୁଦ୍ଧା ୧୭୪.୨ ଏମଏମ ବର୍ଷା ହୋଇଛି। ଯାହା ଚାଷ କାମ ପାଇଁ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଇଛି।

ବାଲିଆପାଳ ବ୍ଲକରେ ମଧ୍ୟ ଚଳିତ ଖରିଫ ଋତୁରେ ୧୫୪୬୬ ହେକ୍ଟର ଜମିରେ ଧାନ ଓ ୧୪୫୦ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ରହିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଧାନ ଚାଷ ପାଇଁ ଅତିକମରେ ୧୦୦୦ ହେକ୍ଟର ଜମିରେ ତଳି ପଡ଼ିଯିବା କଥା। ସେହି ସ୍ଥାନରେ ମାତ୍ର ୩୦ ହେକ୍ଟର ଜମିରେ ତଳି ପଡ଼ିଛି। ବାଲିଆପାଳ ବ୍ଲକରେ ମଧ୍ୟ ଏପ୍ରିଲ ମାସରେ ୧ ଏମଏମ, ମେ ମାସରେ ୧୦୨ ଏମଏମ ଓ ଜୁନ ମାସରେ ୧୨୭ ଏମଏମ ବର୍ଷା ହୋଇଛି। ବସ୍ତା ବ୍ଲକରେ ମଧ୍ୟ ୧୮୯୩୯ ହେକ୍ଟର ଜମିରେ ଧାନ ଓ ୧୨୩୦ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୦୦ ହେକ୍ଟର ଜମିରେ ଥଳି ପଡ଼ିଯିବା କଥା। ଏପରି ସ୍ଥଳେ ମାତ୍ର ୩୬୦ ହେକ୍ଟର ଜମିରେ ତଳି ପଡ଼ିଛି। ଏହି ବ୍ଲକରେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାମ ପ୍ରଭାବିତ ହୋଇଛି।

କେବଳ ଧାନ ନୁହେଁ ୪ଟି ଯାକ ବ୍ଲକରେ ଅଣଧାନ ଚାଷ କାମ ମଧ୍ୟ ବର୍ଷା ଅଭାବରୁ ଆଗେଇ ପାରୁନାହିଁ। ଉତ୍ତର ବାଲେଶ୍ବରର ଓ ବିସ୍ତୀର୍ଣ୍ଣ ଇଲାକା ନଦୀତଟ ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏସବୁ ଅଞ୍ଚଳରେ ବ୍ୟାପକ ଭାବେ ଲଙ୍କା, ଅଦା, ହଳଦୀ ଚାଷ ସହ ଅନ୍ୟ ପନିପରିବା ଚାଷ ଅଧିକ ହୋଇଥାଏ। ତେବେ ବର୍ଷା ଅଭାବରୁ ଚାଷୀମାନେ ସେମାନଙ୍କ ଲକ୍ଷ୍ୟ ମୁତାବକ ଜମିକୁ ଆବାଦ କରି ପାରି ନଥିବାର କୁହାଯାଇଛି। ନିଅଣ୍ଟିଆ ବର୍ଷା ଯୋଗୁ ଏହି ୪ଟି ଯାକ ବ୍ଲକରେ ସମସ୍ତ ସରକାରୀ ଓ ଘରୋଇ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ଅବିଳମ୍ବେ ଚାଲୁ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର