ଧିମେଇଲା ଟିକାକରଣ, ଦୈନିକ ୩ଲକ୍ଷ ଡୋଜ୍ ଟିକାକରଣ ଆଶା କ୍ଷୀଣ

ଆଜି ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ‌ କରୋନା ଟିକା ସଂକଟ ଜାରି ରହିଛି। ଟିକାର ଅଭାବ ପାଇଁ ବହୁ ଜିଲ୍ଲାରେ ଟିକାକରଣ ବନ୍ଦ କରିବାକୁ ପଡ଼ୁଛି। ଗତମାସ ସପ୍ତାହେ ଧରି ରାଜ୍ୟ‌ରେ ଦୈନିକ ପ୍ରାୟ ୩ଲକ୍ଷ ଟିକାକରଣ ହେଲା। ଏହାପରେ ଟିକାକରଣ ପୁଣି ଧିମେଇବା ଆରମ୍ଭ କରିଛି। ବୁଧବାର ରାଜ୍ୟରେ ଟିକାକରଣ ସଂଖ୍ୟା ୫୦ହଜାର ତଳକୁ ଖସି ଆସିଥିବା ବେଳେ ଗୁରୁବାର ଏହା ପୁଣି ୩୫ ହଜାର୫୪୪କୁ ହ୍ରାସ ପାଇଛି। ଏଭଳି ଧାରା ଜାରି ରହିଲେ ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ଟିକାକରଣ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। କେନ୍ଦ୍ର ସରକାର ଏହି ମାସରେ ଓଡ଼ିଶାକୁ ଯେତିକି ଟିକା ପ୍ରଦାନ କରିବେ ସେଥିରେ ଦୈନିକ ୩ଲକ୍ଷ ଟିକାକରଣ କରିବା ମଧ୍ୟ ଅସମ୍ଭବ।

ରାଜ୍ୟ‌ରେ ସମୁଦାୟ ୩.୦୯ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି। ଏଥିରେ ୧୮-୪୪ବର୍ଗର ୧.୯୨ କୋଟି ଲୋକ ରହିଛନ୍ତି। ବଳକା ଲୋକ ୪୫ବର୍ଷରୁ ଅଧିକ ରହିଛନ୍ତି। ଏ ଦୃଷ୍ଟିରୁ ସମୁଦାୟ ବର୍ଗର ଲୋକଙ୍କୁ ୬.୧୮କୋଟି ଟିକାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଡିସେମ୍ବର ମାସ ସୁଦ୍ଧା ଦେଶରେ ସଂପୂର୍ଣ୍ଣ ଟିକାକରଣ କରିବାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧.୨୦କୋଟି ଅଧିକ ଡୋଜ୍ ଟିକା ଦିଆଗଲାଣି। ତେଣୁ ୬.୧୮ କୋଟିରୁ ବଳକା ୪.୯୮ କୋଟି ଡୋଜ୍‌କୁ ଆସନ୍ତା ୬ ମାସ ଭିତରେ ଟିକାକରଣ କରିବାକୁ ହେଲେ ରାଜ୍ୟକୁ ପ୍ରତିମାସରେ‌ ଅତିକମ୍‌ରେ ୮୩ ଲକ୍ଷ ଡୋଜ୍ ଟିକା ଦେବା ଜରୁରୀ। ତେଣୁ ପ୍ରତ୍ୟେକ ଦିନ ପ୍ରାୟ ୩ଲକ୍ଷ ଟିକା ଦିଆଗଲେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ। ମାତ୍ର ରାଜ୍ୟରେ ଏବେ ‌ଯେତିକି ସଂଖ୍ୟାରେ ଟିକାକରଣ ହେଉଛି ତାହା ଜାରି ରହିଲେ ଚଳିତବର୍ଷ ଧାର୍ଯ୍ୟ ଜନସଂଖ୍ୟାକୁ ଟିକାକରଣ କରିବା ଏକପ୍ରକାର ଅସମ୍ଭବ।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟିକା ନୀତିରେ ପରିବର୍ତ୍ତନ କରିବା ଲାଗି ଚିଠି ଲେଖାଯାଇଛି। ହେଲେ କେନ୍ଦ୍ର ସରକାର ଏହାକୁ ମାନିବେ କି ନାହିଁ ତାହା ଜଣାପଡ଼ିନାହିଁ। ଚଳିତ ମାସରେ ରାଜ୍ୟକୁ ଯେତିକି ଟିକା ଆସିବ ବୋଲି ସୂଚନା ଦିଆଯାଇଛି ତହିଁରେ ଦୈନିକ ୩ ଲକ୍ଷ ଟିକା ଦେବା ଅସମ୍ଭବ। ଯଦି ଆନୁପାତିକ ନୀତିରେ ସଂଶୋଧନ ହୁଏ ତା’ହେଲେ ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକା ରାଜ୍ୟକୁ ମିଳିପାରିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୧୭ ଲକ୍ଷରୁ ଅଧିକ ଡୋଜ୍‌ ଦିଆଗଲାଣି। ହେଲେ ୧୮-୪୪ ବର୍ଗର ୧୫ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ସେହିପରି ୪୫ ବର୍ଷରୁ ଅଧିକ ୫୨ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ଯୁବପିଢ଼ି କରୋନାରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ଏ ଦୃଷ୍ଟିରୁ ଏହି ବର୍ଗର ଲୋକଙ୍କୁ ଯଥାଶୀଘ୍ର ଟିକାକରଣ ଉପରେ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି। ଯଦି ରାଜ୍ୟରେ ଟିକାକରଣ ଗତି ନ ବଢ଼େ ତାହାଲେ ଏହି ବର୍ଗର ୧.୯୨ କୋଟି ‌ଲୋକଙ୍କ ଟିକାକରଣ ପାଇଁ ଯଥେଷ୍ଟ ସମୟ ଲାଗିପାରେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ପୂର୍ବରୁ ୪୫ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଟିକା ପ୍ରଦାନ କରୁଥିଲେ। ୧୮-୪୪ବର୍ଗ ପାଇଁ ରାଜ୍ୟ ସରକାରମାନେ ନିଜ ନିଜ ଖର୍ଚରେ ଟିକା କିଣି ଲୋକଙ୍କୁ ଟିକା ଦେଉଥିଲେ। ହେଲେ କେନ୍ଦ୍ର ସରକାର ଟିକା ନୀତିରେ ପୁନର୍ବାର ସଂଶୋଧନ କରିବା ସହିତ ୧୮-୪୪ବର୍ଗ ପାଇଁ ରାଜ୍ୟମାନଙ୍କୁ ଟିକା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏଥିରେ କେନ୍ଦ୍ର ସରକାର ଟିକା ପ୍ରସ୍ତୁତକାରୀ ସଂସ୍ଥାଠାରୁ ୭୫ ଭାଗ ଓ ଘରୋଇ ହସ୍ପିଟାଲମାନେ ୨୫ ପ୍ରତିଶତ ଟିକା କିଣିପାରିବେ। ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ୪୦,୬୭,୮୮୦ ଡୋଜ୍‌ର ଟିକା ପ୍ରଦାନ କରାଯିବ। ଏଥିରେ ୧୦,୧୬,୯୭୦ ଡୋଜ୍‌ ଘରୋଇ ହସ୍ପିଟାଲମାନଙ୍କ ଅଂଶ ମଧ୍ୟ ସାମିଲ ରହିଛି। ଏହି ୪୦ ଲକ୍ଷ ଡୋଜ୍‌ ଭିତରେ ୩୩,୭୫,୭୩୦ ଡୋଜ୍‌ର କୋଭିସିଲ୍‌ଡ ଓ ୬,୯୨,୧୫୦ ଡୋଜ୍‌ର କୋଭାକ୍ସିନ ରହିଛି। ରାଜ୍ୟ ସରକାର ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ହେଲେ ଚଳିତ ମାସ ରାଜ୍ୟକୁ ଯେତିକି ପରିମାଣର ଟିକା ଆସିବ ତହିଁରେ ମାସ ବ୍ୟାପୀ ଏହି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ। ଉଲ୍ଲେଖନୀୟ ବିଷୟ ହେଉଛି ରାଜ୍ୟରେ ଥିବା ଘରୋଇ ହସ୍ପିଟାଲମାନେ ୧୦ଲକ୍ଷରୁ ଅଧିକ ଡୋଜ୍‌ ଟିକା ପାଇବେ। ସରକାରୀ ସ୍ତରରେ ଟିକା ମାଗଣା ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ। ତେଣୁ ଲୋକମାନେ ଘରୋଇ ହସ୍ପିଟାଲରେ ଟିକା ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ନିକଟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ୭୫:୨୫ ଅନୁପାତରେ ସଂଶୋଧନ କରି ଏହାକୁ ୯୫:୫ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମୋଦନ ଦିଅନ୍ତି ତା’ହେଲେ ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ଟିକାର ଅଂଶ ରାଜ୍ୟ ସରକାର ପାଇପାରିବେ। ମାତ୍ର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ। ଏହାସହ ରାଜ୍ୟର କେତୋଟି ଘରୋଇ ହସ୍ପିଟାଲ ଟିକାକରଣ କରିବା ଲାଗି ଇଚ୍ଛୁକ ତାହାର ତାଲିକା ମଧ୍ୟ ଆସି ନାହିଁ।

ଇତିମଧ୍ୟରେ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟରେ ୧ଲକ୍ଷ ‘କୋଭିସିଲ୍‌ଡ’ ଓ ୧.୪୨ ଲକ୍ଷ ‘କୋଭାକ୍ସିନ୍’ ଡୋଜ୍ ଟିକା ଆସିଛି ଏବଂ କାଲି ଆହୁରି ୮ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଆସିବ। ଟିକା ପହଞ୍ଚିବା ପରେ ସେସବୁକୁ ଜିଲ୍ଲାକୁ ପଠାଯିବାର ଯୋଜନା କରାଯିବ। ଏ ଦୃଷ୍ଟିରୁ ଆସନ୍ତା ୨/୩ଦିନ ରାଜ୍ୟରେ କମ୍ ସଂଖ୍ୟାରେ ଟିକାକରଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତାକାଲି ୧୭ ଜିଲ୍ଲା‌ରେ ଟିକାକରଣ ବନ୍ଦ ରହିବ। ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୋନପୁରରେ ଟିକାକରଣ କରାଯିବ ନାହିଁ।

ସମ୍ବନ୍ଧିତ ଖବର