ଡେପୁଟି କମିସନରଙ୍କ ସମେତ ଦୁଇ ଜଣଙ୍କୁ ଜେରା
ଘର ଆବଣ୍ଟନ ତାଲିକା ଦେଲା ସିଏମ୍ସି
କୋର୍ଟରେ ଜଗତପୁର ପୁଲିସର ରିମାଣ୍ଡ
କଟକ : ଅନ୍ଦରପୁର ଆପାର୍ଟମେଣ୍ଟର ଚାବି ରାଜା କରଣ ନିକଟକୁ କେମିତି ଗଲା ଏହଂ କେଉଁ ବିଭାଗ ଦାୟିତ୍ବରେ ଏ କୋଠା ଥିଲା, ଏ ସଂକ୍ରାନ୍ତରେ ମଧୁପାଟଣା ଥାନା ପୁଲିସ ସିଏମ୍ସି କର୍ତ୍ତୃପକ୍ଷଙ୍କୁ ଲିଖିତ ତଥ୍ୟ ମାଗିଛି। ସିଏମସି ମାଧ୍ୟମରେ ରାଜା ଚାବି ହାତେଇବାକୁ ନେଇ ‘ସମ୍ବାଦ’ରେ ଆଜି ରିପୋର୍ଟ ପ୍ରକାଶ ପାଇବା ପରେ ମଧୁପାଟଣା ଥାନା ପୁଲିସ ଏ ଦିଗରେ ତତ୍ପରତା ଦେଖାଇଛି। ରାଜା ଟଙ୍କା ନେଇଥିବା ଲୋକଙ୍କୁ ଘରର ଚାବି ନିଜେ ଖୋଲି ଦେଇଥିବା ସେମାନେ ପୁଲିସ ନିକଟରେ ବୟାନ ଦେଇଥିବାବେଳେ ଘରର ତାଲା ଭଙ୍ଗାଯାଇଥିବା ସିଏମସି ସଫେଇ ଦେଇଛି। ତେବେ ଏହି ଚାବି ହସ୍ତାନ୍ତର ଘଟଣାରେ ପଛରେ ସିଏମସିର କେହି ଅସାଧୁ ଅଧିକାରୀଙ୍କ ସମ୍ପୃକ୍ତ ସନ୍ଦେହ କରାଯାଉଥିବାରୁ ପୁଲିସ ଏ ସଂକ୍ରାନ୍ତରେ ସିଏମସିକୁ ଚିଠି ଲେଖିଛି। ସିଏମସିର ବସ୍ତି ଉନ୍ନୟନ ବିଭାଗ ଅଧୀନରେ ଏହି କୋଠା ଥିବା ବେଳେ ନିର୍ଦ୍ଦିଷ୍ଟ ଅଧିକାରୀ କୋଠା ଆବଣ୍ଟନ ଦାୟିତ୍ବରେ ଥିଲେ। ତେବେ ସିଏମସି ଏ ସଂକ୍ରାନ୍ତରେ ଲିଖିତ ଆକାରରେ ପୁଲିସକୁ ଅବଗତ କଲା ପରେ ପୁଲିସ ସମ୍ପୃକ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବସ୍ତିବାସିନ୍ଦା ପାଇଁ ଉଦ୍ଦିଷ୍ଟ ଘର ବିକ୍ରି କେଳେଙ୍କାରୀରେ ଆଜି ମଧୁପାଟଣା ଥାନା ପୁଲିସ ସିଏମସିର ଡେପୁଟି କମିସନରଙ୍କୁ ଜେରା କରିଛି। ଡେପୁଟି କମିସନର ଶ୍ବେତପଦ୍ମା ଡି ଶତପଥୀଙ୍କୁ ପୁଲିସ ଜେରା କରିଥିଲା। ଡେପୁଟି କମିସନରଙ୍କ ସମେତ ସିଏମସିର ଅନ୍ୟ ଜଣେ ଅଧିକାରୀଙ୍କୁ ବି ପୁଲିସ ପଚରାଉଚରା କରିଥିଲା। ରାଜା କରଣ ଅନ୍ଦରପୁରର ଆପାର୍ଟମେଣ୍ଟ ଘର ତାଲା ଭାଙ୍ଗି ଲୋକଙ୍କୁ ରଖିଥିବା ସିଏମସି କହୁଥିବାରୁ ସେହି ଆଧାରରେ ପୁଲିସ ଆଜି ପଚରାଉଚରା କରିଥିଲା। କନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ଆପାର୍ଟମେଣ୍ଟ ବିକ୍ରି କେଳେଙ୍କାରୀ ସାମନାକୁ ଆସିବା ପରେ ସିଏମସି ରାଜା ବିରୋଧରେ ଗଲା ୬ ତାରିଖରେ ଏତଲା ଦେଇଥିଲା। ଅରୁଣୋଦୟ ମାର୍କେଟରେ ନୋଟାରୀ ରାଜଲକ୍ଷ୍ମୀ ପତିଙ୍କ ନିକଟରେ ରାଜା ଘର ବିକ୍ରି ସଂକ୍ରାନ୍ତ ଯେଉଁ ଆଫିଡେଭିଟ୍ କରିଛି ଏଥିରେ ସିଏମସିର ନାଁ ବ୍ୟବହାର ହୋଇଥିବା ବେଳେ ଘରର ତାଲା ଭାଙ୍ଗି ରାଜା ଲୋକଙ୍କୁ ରଖିଥିବା ସିଏମସି ଅଭିଯୋଗ କରିଥିଲା।
ଅନ୍ୟପଟେ ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା ଅନ୍ଦରପୁରର ଏହି କୋଠାରେ କେଉଁମାନଙ୍କୁ ସିଏମସି ଘର ଆବଣ୍ଟନ କରିଥିଲା। ଏ ସଂକ୍ରାନ୍ତ ଏକ ରିପୋର୍ଟ ଆଜି ପୁଲିସ ନିକଟରେ ସିଏମସି କର୍ତ୍ତୃପକ୍ଷ ଦାଖଲ କରିଛନ୍ତି। ୬୯ ଲୋକଙ୍କୁ ଆବଣ୍ଟନ ହୋଇଥିବା ସିଏମସି ରିପୋର୍ଟରେ ଦର୍ଶାଯାଇଛି। ଖାଲି ପଡ଼ିଥିବା ଆହୁରି ୧୨୩ ଘରରୁ ରାଜା ୭୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ବିକ୍ରି କରିଥିବା ନୂଆ ତଥ୍ୟ ପୁଲିସ ହାତରେ ଲାଗିଛି। ପୁଲିସ ବୁଧବାର ଯେଉଁ ଦୁଇ ସୁରକ୍ଷାକର୍ମୀଙ୍କୁ ଜେରା କରିଥିବା, ସେମାନେ ସେଭଳି କୌଣସି ସନ୍ତୋଷଜନକ ଉତ୍ତର ପୁଲିସକୁ ଦେଇନାହାନ୍ତି। ସେମାନେ କେବଳ କୋଠାର ପାଣି ଓ ଲାଇଟ୍ ସମସ୍ୟା ସହିତ ଯେଭଳି କୌଣସି ଜିନିଷପତ୍ର ଚୋରି ନହେବ ସେଥିପ୍ରତି ଦୃଷ୍ଟି ଦେଉଥିଲେ। ରାଜାର ଅନଧିକାର ପ୍ରବେଶ ସମ୍ପର୍କରେ ସେମାନେ ଜାଣନ୍ତି ନାହିଁ ବୋଲି ପୁଲିସକୁ ବୟାନରେ କହିଛନ୍ତି। ଜଗତପୁର ଥାନାରେ ରାଜା ବିରୋଧରେ ରୁଜୁ ହୋଇଥିବା ମାମଲାରେ ରାଜାକୁ ରିମାଣ୍ଡ ଦେବାକୁ ଜେଏମଏଫସି ସିଟି କୋର୍ଟରେ ଜଗତପୁର ଥାନା ପୁଲିସ ଆବେଦନ କରିଛି। ଏହି ଆପାର୍ଟମେଣ୍ଟ କେଳେଙ୍କାରୀରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଘର ସିଏମସିର ଏକ ବିଭାଗ ଅଧୀନରେ ଥିଲା ଏବଂ ଦୁଇ ଜଣ ସୁରକ୍ଷା କର୍ମୀ ଆପାର୍ଟମେଣ୍ଟ ବାହାରେ ଡ୍ୟୁଟି କରୁଥିଲେ ତେବେ ରାଜା ଘରର ତାଲା ଭାଙ୍ଗି ସେମାନଙ୍କୁ ରଖିବା ଘଟଣା ସନ୍ଦେହ ସୃଷ୍ଟି କରୁଛି। ତାଲା ଭଙ୍ଗା ଯାଇଥିବା ସିଏମସି ଅଭିଯୋଗ କରୁଥିବାରୁ ବଡ଼ ଧରଣର ଅସାଧୁ ମେଣ୍ଟ ହୋଇଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।