ବସ୍ତି ବାସିନ୍ଦାଙ୍କ ଦାବି: ‘ପଟ୍ଟା ଦେଲ; ଏବେ ବାସିନ୍ଦା, ଜାତିଗତ ପ୍ରମାଣପତ୍ର ଦିଅ’ 

ସୁନ୍ଦରଗଡ଼ : ଭୂମିହୀନ ହୋଇଥିବାରୁ ଜାଗା ମିଶନରେ ୪୮୪ ବର୍ଗ ଫୁଟର ଜମି ପଟ୍ଟା ଦେଲ। ଏବେ ସେହି ପଟ୍ଟାରେ ଆବାସିକ ବା ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ଦିଅ। ନହେଲେ ଆମ ପିଲା ପାଠ ପଢ଼ିବେ କେମିତି, ବିନା ପ୍ରମାଣପତ୍ରରେ କିପରି କର୍ମନିଯୁକ୍ତି ମିଳିବ ! ଏପରି କିଛି ପ୍ରଶ୍ନ ଓ ଆବେଦନ ନେଇ ଗୁରୁବାର ସ୍ବେଚ୍ଛାସେବୀ ନିନିମା ପଟେଲ ଷଡ଼ଙ୍ଗୀଙ୍କ ନେତୃତ୍ବରେ ସୁନ୍ଦରଗଡ଼ ପୌରାଞ୍ଚଳ ବସ୍ତି ଜାଗା ମିଶନ ହିତାଧିକାରୀମାନେ ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ପ୍ରଦାନ କରି ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନନେଲେ ବସ୍ତିବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

ଅଭିଯୋଗ ଅନୁସାରେ, ରାଜ୍ୟ ସରକାରଙ୍କ ଜାଗା ମିଶନରେ ସହରାଞ୍ଚଳରେ ବସବାସ କରୁଥିବା ଭୂମିହିନ ଲୋକଙ୍କୁ ୧୪ ହଜାର ଟଙ୍କା ଲେଖାଏଁ ନେଇ ୪୮୪ ବର୍ଗ ଫୁଟ୍ ଜମି ଯୋଗାଇ ଦିଆଯାଇଥିଲା। ଏହି ମିଶନରେ ସୁନ୍ଦରଗଡ଼ ପୌରାଞ୍ଚଳର ୧୯ଟି ୱାର୍ଡରେ ଥିବା ୨୧ଟି ବସ୍ତିର ପ୍ରାୟ ୨୯ ଶହ ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ବା ପଟ୍ଟା ଦିଆଯାଇଛି। ପଟ୍ଟା ପାଇବା ପରେ ଭୂମିହିନମାନେ ସରକାରଙ୍କ ସମସ୍ତ ଜନହିତକର ଯୋଜନାର ଲାଭ ଓ ସୁଯୋଗ ପାଇବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଏବେ ବିଭିନ୍ନ ସ୍କୁଲ ଓ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ନାମଲେଖା ପାଇଁ ଆବଶ୍ୟକ ଜାତି ଓ ଆବାସିକ ପ୍ରମାଣପତ୍ର ସେହି ପଟ୍ଟାରେ ଦେବାକୁ ରାଜସ୍ବ ବିଭାଗ ମନା କରି ଦେଇଥିବା ଅଭିଯୋଗ ହୋଇଛି। ଯାହା ସମ୍ପୃକ୍ତ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପକାଇଛି।

ଏସବୁ ପ୍ରମାଣପତ୍ର ପାଇବାକୁ ଜମି ଅଧିକାର ପ୍ରମାଣପତ୍ର ବା ପଟ୍ଟା ଅଯୋଗ୍ୟ ବୋଲି ରାଜସ୍ବ ବିଭାଗର ଅଧିକାରୀମାନେ ଫେରାଇ ଦେବା ପରେ ବସ୍ତି ବାସିନ୍ଦା ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡ. ହିମାଂଶୁ ଷଡ଼ଙ୍ଗୀ, ରିତା ସାହୁ, ଶ୍ରୀମତୀ ସିଂହ, ରଜନୀ ଲରିଆ, ଶ୍ରୀମତୀ ରେଶ୍ମା, ଅଞ୍ଜଳି ବିଶ୍ବକର୍ମା, ସାରିକା କେର୍କେଟା, ବୈକୁଣ୍ଠ ବନଛୋର, ସୁନୀଳ ମହାନନ୍ଦ, ମହେଶ ତନ୍ତୀ, ଅବନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର