ବସ୍ତିର ବଣମଲ୍ଲୀ ପୂଜାରାଣୀ, ଭଙ୍ଗା ସାଇକେଲରୁ ଦେଖାଇଲେ ବିଜୁଳି ଉତ୍ପାଦନର ଆଶା

ବୋୖଦ୍ଧାୟନ ଆଚାର୍ଯ୍ୟ

ଭୁବନେଶ୍ୱର: ରାତିରେ ଶୋଇ ଯେଉଁ ସ୍ୱପ୍ନ ଦେଖାଯାଏ, ତାହା ସ୍ୱପ୍ନ ନୁହେଁ।  ଯେଉଁ ସ୍ବପ୍ନ ଶୁଆଇଦେଇ ନଥାଏ ତାହା  ହିଁ ବାସ୍ତବିକ ସ୍ୱପ୍ନ | ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଏହି କଥା ପୂଜାରାଣୀଙ୍କୁ ବେଶ ପ୍ରଭାବିତ କରିଥିଲା | ବିଦ୍ୟୁତ ବିନା କିଭଳି ପଙ୍ଖା ବୁଲାଇ ହେବ ସେ ପ୍ରୟାସ ତାଙ୍କୁ ରାତିରେ ଶୁଆଇଦେଇ ନଥିଲା | ଆଉ ଏହି ଉଦ୍ଭାବନୀ ଆକାଂକ୍ଷା ହିଁ ତାଙ୍କୁ  ନିଜ କଳ୍ପନାକୁ ବାସ୍ତବିକତାର ରୂପ ଦେବା‌କୁ ଅନୁପ୍ରେରିତ କରିଥିଲା। ଏପରି ଉପଲବ୍ଧି ହାସଲ କରିଛନ୍ତି ବସ୍ତିରେ ରହୁଥିବା ଝିଅ ପୂଜାରାଣୀ ବେହେରା | ଭଙ୍ଗା ସାଇକେଲରୁ ସୃଷ୍ଟି କରିଛନ୍ତି ବିଦ୍ୟୁତ ଶକ୍ତି, ଯେଉଁଥି‌ରେ ବୁଲୁଛି ପଙ୍ଖା | ଜାଣନ୍ତୁ ପୂଜାରାଣୀଙ୍କ ଉଦ୍ଭାବନର କାହାଣୀ |

ଭୁବନେଶ୍ୱର ବିଜେବି ନଗରରେ ଥିବା ଅଧେଇଖାଲ ବସ୍ତିରେ ରୁହନ୍ତି ପୂଜାରାଣୀ ବେହେରା | ପୂଜାଙ୍କର ବାପା ଏହି ବସ୍ତିରେ ଏକ ଚା’ ଦୋକାନ କରିଥିବା ବେଳେ ସିଟି ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳାରେ ସେ ପାଠ ପଢ଼ନ୍ତି | ୨୦୧୯ରେ ହୋଇଥିବା ବାତ୍ୟା ଫନି ସମୟରେ ବିଦ୍ୟୁତ ସମସ୍ୟାକୁ ଦେଖି ପୂଜା ଏକ ନୂଆ ଉଦ୍ଭାବନ କରିବାର ଆଶା ବାନ୍ଧିଥିଲେ | ବାତ୍ୟା ଫନି ବେଳେ ଦେଖିଥିଲେ ବସ୍ତି ବାସିନ୍ଦାଙ୍କ ଦୁଃଖ । ବିନା ଆଲୁଅରେ ଜୀବନ ଜିଇଁବା କେତେ କଷ୍ଟକର, ନିଜେ ହୃଦୟଙ୍ଗମ କରିଥିଲେ । ଆଉ ଏହି ଅନୁଭବ ତାଙ୍କୁ ନୂଆ ଉଦ୍ଭାବନ ଲାଗି ପ୍ରେରଣା ଯୋଗାଇଥିଲା । ସେ ଗବେଷଣା ଜାରି ରଖି ନିଜ ସ୍ପପ୍ନକୁ ସଫଳ କରିଥିଲେ।

ପୂଜାଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ଏକ ବିଜ୍ଞାନମେଳାରେ ଦେଖିବାକୁ ମିଳିଛି | ଡିସେମ୍ବର ୩୦-୩୧ ତାରିଖରେ ସାମାଜିକ ଅନୁଷ୍ଠାନ ରୁଚିକା ପକ୍ଷରୁ ଶିଶୁ ବିଜ୍ଞାନୀ ସମ୍ଵଦ୍ଧିତ ଏକ ବିଜ୍ଞାନମେଳା ଆୟୋଜନ କରାଯାଇଥିଲା | ଏହି ବିଜ୍ଞାନମେଳାରେ ୧୫୦ ଜଣ ଶିଶୁ ବିଜ୍ଞାନୀ ଅଂଶଗ୍ରହଣ କରିଥିବାବେଳେ ୭୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ତେବେ ପୂଜାଙ୍କ ପ୍ରକଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା | କାରଣ ଏକ ଭଙ୍ଗା ସାଇକେଲ ମାଧ୍ୟମରେ ପଙ୍ଖା ବୁଲିବା ସହ ଲାଇଟ ମଧ୍ୟ ଜଳୁଥିଲା |

ପୂଜା ନିଜର ଏହି ପ୍ରକଳ୍ପ ମାଧ୍ୟମରେ ଶାରୀରିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିଣତ କରି ପୁଣି ଏହାକୁ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତନ କରିପାରିଥିଲେ | ଅର୍ଥାତ ଭଙ୍ଗା ସାଇକେଲରେ ଥରେ ପେଡାଲ ଘୁରାଇବା ମାତ୍ରେ ୬୪ ଥର ଫ୍ୟାନ ବୁଲିଥିଲା | ଏହା ସହ ସାଇକେଲର ଚକରେ ଲାଗିଥିବା ଡାଇନାମୋରୁ ବିଦ୍ୟୁତ ଉତ୍ପନ୍ନ ହୋଇ  ଦୁଇଟି ଲାଇଟ ମଧ୍ୟ ଜଳିଥିଲା | ଭବିଷ୍ୟତରେ ଜଣେ ଶିକ୍ଷୟତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି ପୂଜା | ତେବେ ପାଠ ବହିରେ କେବଳ ଶିକ୍ଷାକୁ ଆବଦ୍ଧ ନ ରଖି ଗବେଷଣାତ୍ମକ ଶିକ୍ଷା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଏହି କୁନି ବୈଜ୍ଞାନିକ |

ସମ୍ବନ୍ଧିତ ଖବର