କଟକ: ଓଡ଼ିଶା ପୁଲିସରେ ପ୍ରଥମ ଥର ସାମିଲ ହେବେ ଛୋଟ ପ୍ରଜାତିର କୁକୁର। କକର୍ ସ୍ପାନିଏଲ୍ସ ଓ ବିଗଲ ପ୍ରଜାତିର କୁକୁର ଆକାରରେ ଛୋଟ କିନ୍ତୁ ଏମାନେ ଶିକାରୀ ସ୍ବଭାବର। ଭିଭିଆଇପି ଡ୍ୟୁଟି ସମୟରେ ବଡ଼ କୁକୁର ଗଳିରେ ପଶି ସନ୍ଦିଗ୍ଧ ବସ୍ତୁକୁ ଯାଞ୍ଚ କରିବା କଷ୍ଟକର ହୋଇଥାଏ। କିନ୍ତୁ ଏହି ପ୍ରଜାତିର କୁକୁରଙ୍କ ଉଚ୍ଚତା ମାତ୍ର ୧୫ ଇଞ୍ଚ ଭିତରେ ହୋଇଥିବାରୁ ଏମାନେ ସହଜରେ ପଶି ଯାଞ୍ଚ କରିପାରିବାର କ୍ଷମତା ରଖୁଛନ୍ତି। ସେଥିପାଇଁ ଏମାନଙ୍କୁ ଓଡ଼ିଶା ପୁଲିସରେ ସାମିଲ ପାଇଁ ଯୋଜନା ଚାଲିଛି। ଆକାର ଛୋଟ ସାଙ୍ଗକୁ ଏମାନେ ଦେଖିବାକୁ ବି ଆକର୍ଷଣୀୟ। ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚର କେ-୯ ସ୍କ୍ବାଡ୍ରେ ଟ୍ରାକିଂ ସମେତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ, ବୋମା ଅନୁସନ୍ଧାନ ଓ ନାର୍କୋଟିକ୍ସ ବିଭାଗରେ ଲାବ୍ରାଡର, ଜର୍ମାନ୍ ସେଫର୍ଡ, ରଟ୍ ୱିଲର୍, ଗୋଲଡେନ୍ ରିଟ୍ରିଭର୍, ଡୋଗରମ୍ୟାନ୍, ବେଲଜିଆନ୍ ମାଲିନଏସ୍, ମୁଧୋଲ ହାଉଣ୍ଡ୍ ଭଳି କୁକୁରଙ୍କୁ ମିଶାଇ ୭ଟି ପ୍ରଜାତିର କୁକୁର ସାମିଲ ହୋଇସାରିଲେଣି। ଏବେ ଆପରାଧିକ ମାମଲାର ତଦନ୍ତ ସମୟରେ ପୁଲିସକୁ ପ୍ରମାଣ ଯୋଗାଡ଼ କରିବାରେ ଏବଂ ସନ୍ଦିଗ୍ଧ ବସ୍ତୁ ଖୋଜିବାରେ ନୂଆ ପ୍ରଜାତିର ବିଦେଶୀ କୁକୁର ଆଣିବାକୁ ଯୋଜନା ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୫୪ଟି ପୁଲିସ କୁକୁର ଥିବା ବେଳେ ଏହି ତାଲିକାରେ ଆଉ କିଛି ନୂଆ ପ୍ରଜାତି ଯୋଡ଼ି ହେବାକୁ ଯାଉଛନ୍ତି।
ଏହି ତାଲିକାରେ ଥିବା ଛୋଟ କୁକୁର କକର୍ ସ୍ପାନିଏଲ୍ସ ଉଚ୍ଚତା ୧୪ରୁ ୧୫ ଇଞ୍ଚ। ଏହି କୁକୁର ଦ୍ରୁତ ଗତିରେ ଚାଲିବାକୁ ଅଧିକ ପସନ୍ଦ କରିଥାଏ। ସେହିଭଳି ଆଉ ଏକ କମ୍ ଉଚ୍ଚତା ଥିବା କୁକୁର ହେଉଛି ବିଗଲ୍। ଏହି କୁକୁର ୧୩ ଇଞ୍ଚରୁ ୧୫ ଇଞ୍ଚ ଉଚ୍ଚତା ଭିତରେ। ଓଜନ ୯ କେଜିରୁ ୧୪ କେଜି ମଧ୍ୟରେ ରହିଥାଏ। ଏମାନେ ଶିକାରୀ ସ୍ବଭାବର। ଏମାନଙ୍କର ଜୀବନ କାଳ ୧୦ରୁ ୧୫ ବର୍ଷ ମଧ୍ୟରେ ହୋଇଥାଏ। ଏମାନଙ୍କ ଆକାର ଛୋଟ ହୋଇଥିବାରୁ ଭିଭିଆଇପି ବ୍ୟବହାର କରୁଥିବା ହେଲିକପ୍ଟର ଓ ଗାଡ଼ିର ସିଟ୍ ତଳେ କୌଣସି ସନ୍ଦିଗ୍ଧ ପଦାର୍ଥ ଯାଞ୍ଚ କରିବାରେ ସହଜ ହୋଇଥାଏ। ସେହିଭଳି ଭିଭିଆଇପିଙ୍କ ପାଇଁ ପ୍ରସ୍ତୁତ ମଞ୍ଚ ତଳେ ଯାଞ୍ଚ କରିବାରେ ଏହି କୁକୁରଙ୍କୁ ବ୍ୟବହାର କରାଯାଇଥାଏ। ଏହି ଦୁଇ ପ୍ରଜାତିର କୁକୁର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ବୋଲି କୁହାଯାଉଛି।
ଭିଭିଆଇପି ସୁରକ୍ଷାରେ ନିୟୋଜିତ ହେବେ କକର୍ ସ୍ପାନିଏଲ୍ସ ଓ ବିଗଲ୍
ସେହିଭଳି ଆଉ ଦୁଇଟି କୁକୁର ଡଚ୍ ସେଫର୍ଡ ଓ ବ୍ଲଡହାଉଣ୍ଡ ଦ୍ରୁତ ଗତିରେ ଯିବା ସହିତ ଗନ୍ଧ ଶୁଙ୍ଘିବାର କ୍ଷମତା ଅଧିକ ରହିଛି। ତେଣୁ ଏମାନଙ୍କୁ ଟ୍ରାକିଂ ସମେତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ, ବୋମା ଅନୁସନ୍ଧାନ ଓ ନାର୍କୋଟିକ୍ସ ବିଭାଗରେ ବ୍ୟବହାର କରାଯିବାକୁ ଯୋଜନା କରାଯାଉଛି। ଡଚ୍ ସେଫର୍ଡ ପ୍ରଜାତିର କୁକୁର ଆକାର ଓ ରୂପ ଦୃଷ୍ଟିରୁ ଶକ୍ତିଶାଳୀ ଓ ଚତୁର। ସିଆରପିଏଫ୍ ହେଉଛି ଦେଶର ପ୍ରଥମ କେନ୍ଦ୍ରୀୟ ଅସ୍ତ୍ରଶସ୍ତ୍ର ପୁଲିସ ଫୋର୍ସ ଯିଏ ଡଚ୍ ସେଫର୍ଡକୁ ତାଲିମ ଦେବା ଓ ବ୍ରିଡ କରିବା କାର୍ଯ୍ୟକ୍ରମ ଆରମ୍ଭ କରିଛି। ବେଲଜିୟମ୍ ମାଲେନିୟଜଠାରୁ ଅଧିକ ଦ୍ରୁତ ଗତିରେ ଚଳପ୍ରଚଳ ସହିତ ଅଧିକ ଉତ୍ସାହୀ ସ୍ବଭାବର।
ସେହିଭଳି ବ୍ଲଡହାଉଣ୍ଡ ପ୍ରଜାତିର କୁକୁରଙ୍କ ଦୂରରୁ ଗନ୍ଧ ଶୁଙ୍ଘିବାର ଦକ୍ଷତା ଅଧିକ ରହିଥାଏ। ପାଖାପାଖି ୧୩୦ ମାଇଲ ଦୂରରୁ ଗନ୍ଧ ବାରିପାରେ। ପ୍ରାୟ ୩୦୦ ଘଣ୍ଟା ପୁରୁଣା ଏକ ଗନ୍ଧକୁ ମଧ୍ୟ ଏମାନେ ବାରିପାରନ୍ତି। ସେଥିପାଇଁ ତଦନ୍ତକାରୀ ସଂସ୍ଥା ଏହି ପ୍ରଜାତିର କୁକୁରକୁ ନିଶା ସାମଗ୍ରୀ ଠାବ କରିବା ଓ ଖୋଜିବାରେ ବ୍ୟବହାର କରିଥାଏ। ଏହାସହିତ ଅପରାଧୀଙ୍କୁ ଧରିବାରେ ଏମାନଙ୍କ ଭଲ ଦକ୍ଷତା ରହିଛି। ୧୦ରୁ ୧୪ ବର୍ଷ ଏମାନଙ୍କ ଆୟୁଷ ବୋଲି କୁହାଯାଉଛି। ତେଣୁ ରାଜ୍ୟ ବାହାରୁ ଏହି ଚାରିଟି ପ୍ରଜାତିର ନୂଆ କୁକୁର ଆଣିବାକୁ ଯୋଜନା ଚାଲିଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ମିଳିଛି।