ଦେଶୀୟ ସାମଗ୍ରୀ ପ୍ରୀତି କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ

ଭୁବନେଶ୍ୱର : ସଂକଟ ସହ ସୁଯୋଗ ବି ଆଣିଛି ମହାମାରୀ କରୋନା। କରୋନା କଟକଣା ଯୋଗୁଁ ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଥିଲେ ହେଁ କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ସଶକ୍ତ ହେବାକୁ ଏବେ ସୁଯୋଗ ଆସିଛି। ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ଉଠିଥିବା ସ୍ବର ଓ ଦେଶୀୟ ସାମଗ୍ରୀ ବ୍ୟବହାର ପ୍ରତି ବଢ଼ିଥିବା ରୁଚି, କ୍ଷୁଦ୍ର ଉଦ୍ୟୋଗ ପାଇଁ ଶୁଭ ସଙ୍କେତ ଦେଉଛି। ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବାବ‌େଳେ ନୂଆ କରି ଆସିଥିବା ସରକାରୀ ଯୋଜନା ସବୁ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଉଛି। ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନେ କ୍ଷୁଦ୍ର ‌ଉଦ୍ୟୋଗ କ୍ଷେତ୍ରକୁ ପ୍ରବେଶ କରିବା ଦ୍ବାରା ଦେଶ ଆତ୍ମନିର୍ଭର ହେବା ରାସ୍ତା ଫିଟୁଛି।

ସରକାରୀ ତଥ୍ୟ ମୁତାବକ, ଓଡ଼ିଶାରେ ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଗତ ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ୧ଲକ୍ଷ ୯୮ ହଜାର ୭୩୬ଟି ଲଘୁ ଉଦ୍ୟୋଗ ସୃଷ୍ଟି ହୋଇଛି ଓ ୧୦ ହଜାର ୯୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ଏହା ଦ୍ବାରା ୬ ଲକ୍ଷ ୨୮ହଜାର ୩୫୧ ଜଣ ନିଯୁକ୍ତି ପାଇଛନ୍ତି। ୨୦୧୭-୧୮ ସୁଦ୍ଧା ମୋଟ୍‌ ୩.୨୨ ଲକ୍ଷ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓଡ଼ିଶାରେ ଚାଲିଥିବା ବ‌େଳେ ୧୫ ହଜାର ୯୫୮ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ଏହି ଉଦ୍ୟୋଗ ଜରିଆରେ ୧୩.୩୪ ଲକ୍ଷ ଲୋକ ନିଯୁକ୍ତି ପାଇ ପାରିଛନ୍ତି। ତେବେ ଦେଶୀୟ ସାମଗ୍ରୀ ପ୍ରୀତିରେ ବୃଦ୍ଧି କ୍ଷୁଦ୍ର ଉଦ୍ୟୋଗ ଜଗତକୁ ପ୍ରୋତ୍ସାହିତ କରିବ ବୋଲି ଏହି କ୍ଷେତ୍ରରେ ପାଦ ଥାପୁଥିବା ଯୁବ ଉଦ୍ୟୋଗୀମାନେ କହିଛନ୍ତି।

ନିକଟରେ ଚାଷୀ, ଶ୍ରମିକ, ମଧ୍ୟବିତ୍ତ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହା ବାସ୍ତବାରେ କାର୍ଯ୍ୟକାରୀ ହେଲେ ଆତ୍ମନିର୍ଭର ଭାରତ ଗଠନରେ କ୍ଷୁଦ୍ର ଉଦ୍ୟୋଗ ବଡ଼ ଯୋଗଦାନ ଦେବ ବୋଲି କୁହାଯାଉଛି। ମାଇକ୍ରୋ ଫୁଡ୍‌ ଏଣ୍ଟରପ୍ରାଇଜେସ ପାଇଁ ୧୦ ହଜାର କୋଟି, ମତ୍ସ୍ୟ ସମ୍ପଦ ପାଇଁ ୨୦ ହଜାର କୋଟି, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୫ହଜାର କୋଟି, ହର୍ବାଲ ଚାରା ପାଇଁ ୪ ହଜାର କୋଟି, ମହୁମାଛି ଚାଷ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଯଦି ଏହା ବାସ୍ତବ ରୂପ ନିଏ, ତେବେ କୃଷିକୁ କ୍ଷୁଦ୍ର ଉଦ୍ୟୋଗରେ ପରିଣତ କରିବା ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର