ଦଶପଲ୍ଲା : ଧାନମଣ୍ତିରେ ପାତରଅନ୍ତର, ହତାଶ ହେଉଛନ୍ତି କ୍ଷୁଦ୍ର ଓ ମଧ୍ୟମ ଚାଷୀ

ଦଶପଲ୍ଲା : ଖରିପ୍ ଧାନ ସଂଗ୍ରହ ପାଇଁ ସରକାରୀ ସ୍ତରରେ ବିଭିନ୍ନ ସୋସାଇଟି ମାଧ୍ୟମରେ ଚାଷୀଙ୍କଠାରୁ ଧାନକ୍ରୟ ଆରମ୍ଭ ହୋଇଯାଇଛି। ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଧାନ ବିକ୍ରିକରିବା ସହ ସଠିକ୍ ସମୟ ମଧ୍ୟରେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ପ୍ରାପ୍ୟ ପାଇ ପାରିବେ ସେ ନେଇ ଚଳିତ ବର୍ଷ ଧାନମଣ୍ତିରେ ବ୍ୟାପକ ପରିବର୍ତନ ଆଣିବାକୁ ସରକାର ଟୋକନ୍‌ ବ୍ୟବସ୍ଥା କରିଛନ୍ତି। ହେଲେ ଚାଷୀଙ୍କୁ ମିଳିପାରୁନି ଏସବୁ ସରକାରୀ ସୁବିଧା। ନିୟମ ଅନୁଯାୟୀ ପୂର୍ବରୁ ସୋସାଇଟିମାନଙ୍କରେ ନାମପଞ୍ଜୀକରଣ କରିଥିବା ଚାଷୀ ଧାନବିକ୍ରି ପାଇଁ ସୋସାଇଟିରେ ପହଞ୍ଚି ସିପ୍ଟିଙ୍ଗ୍ ରେଜିଷ୍ଟର୍‌ରେ ଦସ୍ତଖତ କରିବା ପରେ ଏହାକୁ ସରକାରଙ୍କ ନିକଟକୁ ପଠାଯାଇଥାଏ। ଏହାପରେ ସରକାରଙ୍କ ନିକଟରୁ ସେମାନଙ୍କ ମୋବାଇଲକୁ ମେସେଜ୍ ବା ଟୋକନ୍ ଆସିବା ପରେ ଚାଷୀ ମଣ୍ତିରେ ଧାନ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଅଧିକାଂଶ ସୋସାଇଟିରେ ଚାଷୀ ସିପ୍ଟିଙ୍ଗ୍ ରେଜିଷ୍ଟରରେ ଦସ୍ତଖତ ପାଇଁ ସୋସାଇଟିକୁ ଯାଉଥିବାବେଳେ ସେମାନଙ୍କୁ ଫେରାଇ ଦିଆଯାଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅନେକ ଛୋଟ ଓ ମଧ୍ୟମ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି।

କିଛି ବଡବଡିଆ ଚାଷୀ ଏବଂ ବ୍ୟବସାୟୀଙ୍କୁ ହାତକରି ପ୍ରଥମେ ସେମାନଙ୍କୁ ସୋସାଇଟିର କର୍ମଚାରୀମାନେ ଡକାଇ ସିପ୍ଟିଙ୍ଗ୍ ରେଜିଷ୍ଟରରେ ଦସ୍ତଖତ କରାଇ ନେଉଛନ୍ତି। ଯାହାକୁ ନେଇ ସେମାନଙ୍କ ନାମରେ ପ୍ରଥମେ ଟୋକନ ଆସୁଥିବାବେଳେ ବଡବଡିଆ ଚାଷୀଙ୍କ ନାମରେ ବ୍ୟବସାୟୀମାନେ ଧାନ ବିକ୍ରି କରୁଛନ୍ତି। ଏପଟେ ବିଭିନ୍ନ ଧାରକରଜରେ ବୁଡି ରହିଥିବା ଛୋଟ ଓ ମଧ୍ୟମ ଚାଷୀ ଧାନ ଦେବାରୁ ବଂଚିତ ହେଉଛନ୍ତି। ମଣ୍ତିମାନଙ୍କରେ ଧାନର କୈାଣସି ବି ମାନ ନିର୍ଦ୍ଧାରଣ କରା ନଯାଇ କ୍ୱିଣ୍ଟାଲ ପ୍ରତି ପ୍ରତ୍ୟେକ ଚାଷୀଙ୍କ ଠାରୁ ପ୍ରାୟ ୩ରୁ ୫ କିଗ୍ରା ଧାନ କଟାଯାଉଥିବା ଅଭିଯୋଗ ହେଉଛି। ସେହିପରି ଚାଷୀଙ୍କ ଠାରୁ ଧାନ ନେବା ପୂର୍ବରୁ କ୍ୱିଣ୍ଟାଲ ପ୍ରତି ମିଲରମାନେ ୨ ଗୋଟି ବସ୍ତା ଦେବାର ନିୟମ ରହିଛି। ଏହି ବସ୍ତା ବାବଦକୁ ସରକାରଙ୍କ ଠାରୁ ସେମାନଙ୍କୁ କ୍ୱିଣ୍ଟାଲ ପ୍ରତି ପ୍ରାୟ ୧୫ ଟଙ୍କା ମିଳିଥାଏ। ଏପଟେ ବସ୍ତା ଦେବା ବାହାନା ଦେଖାଇ ଚାଷୀଙ୍କଠାରୁ ଅତିରିକ୍ତ କ୍ୱିଣ୍ଟାଲ ପ୍ରତି ୨ କିଗ୍ରା ଧାନ କଟାଯାଉଛି। କ୍ୱିଣ୍ଟାଲ ପ୍ରତି ସରକାରୀ ମୂଲ୍ୟ ୧,୮୦୦ ଟଙ୍କା ରହିଥିବାବେଳେ ୨ଟି ବସ୍ତା ବାଦଦକୁ ଚାଷୀଙ୍କୁ ଅତିରିକ୍ତ ପ୍ରାୟ ୩୬ ଟଙ୍କା ୫୦ ପଇସା କ୍ଷତି ସହିବାକୁ ପଡୁଛି। ସେହିପରି ମଣ୍ତିକୁ ଧାନ ଆଣିବା ପରେ ଧାନ ରଖିବା ପାଇଁ ହେଉ କି ଧାନ ଘୋଡ଼ାଇବା ପାଇଁ ହେଉ, ସୋସାଇଟି ତରଫରୁ ପାଲ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ସେସବୁ ଚାଷୀଙ୍କୁ ଦିଆଯାଉନଥିବା ଏବଂ ଆର୍‌ଏମ୍‌ସି ପକ୍ଷରୁ ଚଳିତ ବର୍ଷ ପାଲ ଯୋଗାଇ ଦିଆଯାଇ ନଥିବା କିଛି ସୋସାଇଟି ପକ୍ଷରୁ କୁହାଯାଇଛି। ସେହିପରି ଚାଷୀଙ୍କ ପାଇଁ ପାଣି, ଚେୟାର୍ ଏବଂ ଲାଟିନ୍ ବ୍ୟବସ୍ଥା କରାଯିବାର ନିୟମ ଥିବାବେଳେ ସେସବୁ ପ୍ରତି ବିଭାଗୀୟ କର୍ତୃପକ୍ଷ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର