କାଲିମେଳା: ଛୋଟ ଡାକଘରେ ବଡ଼ ଘୋଟାଲା! ଦୁଇ ହଜାର ଗ୍ରାହକଙ୍କର କୋଟିଏ ଟଙ୍କା ହରଣଚାଳ। ଠକାମିର ଶିକାର ହୋଇଥିବା ଜଣେ ଜମାକାରୀଙ୍କ ଘଟଣାରୁ ଖୋଳତାଡ଼ ପରେ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ପାସ୍ବୁକ୍ ଅପଡେଟ୍ କରିବାକୁ ଯାଇ ଏହା ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଛି। ତେବେ, ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀ କେଉଁଆଡ଼େ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଭେଜାଙ୍ଗିଵାଡ଼ା ଡାକଘରେ ଏହି ହଡ଼ପ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଭେଜାଙ୍ଗିୱାଡ଼ା ଗ୍ରାମର ରାଜ ବାବୁ ନାମକ ଜଣେ ଗାଡ଼ି ଚାଳକ ୧ଲକ୍ଷ ୭୭ହଜାର ଟଙ୍କା ଭେଜାଙ୍ଗିୱାଡ଼ା ଡାକଘରେ ଜମା କରିବାକୁ ମନ ଖରାଙ୍କୁ ଦେଇଥିଲେ। ମନ ଖରା ହେଉଛନ୍ତି ଡାକଘରର ଜଣେ କର୍ମଚାରୀ। କିନ୍ତୁ, ତାଙ୍କ ଟଙ୍କା ପାସ୍ବୁକ୍ରେ ଜମା ହୋଇ ନ ଥିବା ସେ ଜାଣିବାକୁ ପାଇଥିଲେ। ଗତକାଲି ଏହି ଡାକଘରେ ଟଙ୍କା ଜମା ରଖିଥିବା କିଛି ଜମାକାରୀ ମଧ୍ୟ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜମାକାରୀଙ୍କ ମଧ୍ୟରେ ଛନ୍କା ପଶିଯାଇଥିଲା। ଭେଜାଙ୍ଗିୱାଡ଼ା ଓ ଚିନ୍ତଲୱାଡ଼ା ପଞ୍ଚାୟତର ଶହ ଶହ ଗ୍ରାହକ ପ୍ରଥମେ ଭେଜାଙ୍ଗିୱାଡ଼ା ଡାକଘରେ ପହଞ୍ଚିଥିଲେ। ତେବେ, ଶ୍ରୀ ଖରା ଫେରାର୍ ଥିବାରୁ ଡାକଘର ବନ୍ଦ ରହିଥିଲା। ଏହାପରେ ସେମାନେ ଆଜି କାଲିମେଳା ଉପଡାକଘରେ ଆକାଉଣ୍ଟ ଯାଞ୍ଚ ପାଇଁ ପହଞ୍ଚିଥିଲେ। ଫଳରେ, ସେଠାରେ ଅସମ୍ଭାଳ ଭିଡ଼ ହୋଇଥିଲା। ତେବେ, କାଲିମେଳା ଉପଡାକଘର କର୍ମଚାରୀମାନେ ମଧ୍ୟ ଅସହଯୋଗ କରିଥିବା ଅଭିଯୋଗ ହୋଇଛି। ‘ ଡାକ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ କଷ୍ଟାର୍ଜିତ ଟଙ୍କା ଏହି ଡାକଘରେ ଜମା କରିଥିଲୁ। କିନ୍ତୁ ଡାକ ବିଭାଗର କର୍ମଚାରୀ ଏପରି ବିଶ୍ବାସଘାତକ କରିବେ ବୋଲି ଆମେ କେବେ ଭାବି ନଥିଲୁ,’ ବୋଲି ଠିକାମିର ଶିକାର ଗ୍ରାହକ କହିଛନ୍ତି। ସେହିଭଳି, ‘ ଆମ ଟଙ୍କା ଆମକୁ କିପରି ମିଳିବ, ସେ ବ୍ୟବସ୍ଥା କରି ଦିଅନ୍ତୁ,’ ବୋଲି ଶହ ଶହ ଗ୍ରାହକ ଆକୁଳ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/scam.jpg)