ଭୁବନେଶ୍ବର : ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସଆଇସି) ଲିମିଟେଡ୍ର ତ୍ରୁଟିପୂର୍ଣ୍ଣ କାମକୁ ଧରିଛି ଉଚ୍ଚଶିକ୍ଷା ବିଭାଗ। ସଂସ୍ଥା ପକ୍ଷରୁ କରାଯାଉଥିବା କାର୍ଯ୍ୟ କେଉଁଠି ନିମ୍ନମାନର ତ ଆଉ କେଉଁଠି ଆଦୌ ଆରମ୍ଭ ହୋଇ ନାହିଁ। ଯେଉଁଥିପାଇଁ ଆଗକୁ ଓଏସଆଇସିକୁ କୌଣସି ନିର୍ମାଣ କାର୍ଯ୍ୟ ନ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ ଓ ପୁରୀ ଏସସିଏସ୍ କଲେଜରେ ଓଏସ୍ଆଇସିକୁ ଦିଆଯାଇଥିବା କାମ ବାତିଲ୍ ସହ ମାସେ ମଧ୍ୟରେ ଅର୍ଥରାଶି ଫେରସ୍ତ କରିବାକୁ ଚିଠି ଲେଖାଯାଇଛି। ଏହି ପ୍ରସଙ୍ଗଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ବିଜେବିରେ ୩୫ କୋଟିରୁ ଅଧିକ ଟଙ୍କାରେ ୫ମହଲା ବିଶିଷ୍ଟ ଛାତ୍ରାବାସ ଓ ୨୯କୋଟିରୁ ଅଧିକ ଟଙ୍କାରେ ୮ ମହଲା ଛାତ୍ରୀନିବାସ କାମ ଓଏସ୍ଆଇସିକୁ ଦିଆଯାଇଥିଲା। ମାତ୍ର ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହେବା ପରେ ପୂର୍ତ୍ତ ବିଭାଗ ଦ୍ବାରା କାର୍ଯ୍ୟର ମାନ ଯାଞ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେପର୍ଯ୍ୟନ୍ତ ଓଏସ୍ଆଇସିର ଅର୍ଥ ବନ୍ଦ ରଖାଯାଇଛି। ସେହିପରି ୯ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ମରାମତି ହେବାକୁ ଥିବା ରାଜଧାନୀ କଲେଜ ସିକ୍ୟୁରିଟି ରୁମ୍ ନିର୍ମାଣ ଓ ଛାତ୍ରୀନିବାସ କାମକୁ ବାତିଲ୍ କରାଯାଇଛି। ଓଏସ୍ଆଇସି ବଦଳରେ ଏହି କାର୍ଯ୍ୟକୁ ଆର୍ ଆଣ୍ଡ ବି ଡିଭିଜନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟ ଆରମ୍ଭ ଲାଗି ଏହା ବାବଦରେ ଓଏସ୍ଆଇସି ଲିମିଟେଡ୍କୁ ଦିଆଯାଇଥିବା ୩ଲକ୍ଷ ୨୬ ହଜାର ଟଙ୍କା ମାସେ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ଫେରାଇବାକୁ କୁହାଯାଇଛି।
ମାସେ ଭିତରେ ଟଙ୍କା ଫେରାଇବ ନିଗମ
ଭବିଷ୍ୟତରେ କୌଣସି ଶିକ୍ଷାନୁଷ୍ଠାନର କାମ ଦିଆଯିବନି
ସେହିପରି ପୁରୀ ଏସ୍ସିଏସ୍ କଲେଜର ତାଳବଣିଆ କ୍ୟାମ୍ପସ ପାଚେରି କାମ ନିମ୍ନମାନର ଅଭିଯୋଗ ହେବାରୁ ଓଏସଆଇସି ଲିମିଟେଡ୍ର କାର୍ଯ୍ୟକୁ ବାତିଲ୍ କରାଯାଇଛି। ଏଥିସହ ଆର ଆଣ୍ଡ ବି ଡିଭିଜନକୁ ଉକ୍ତ କାର୍ଯ୍ୟ ଦିଆଯିବାକୁ ସ୍ଥିର ହୋଇଛି। ଏବାବଦରେ ଓଏସ୍ଆଇସିକୁ ଦିଆଯାଇଥିବା ୭୦ ଲକ୍ଷ ୩୫ ହଜାର ଟଙ୍କା ମାସେ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ଫେରସ୍ତ କରିବାକୁ କୁହାଯାଇଛି। ଏହି କଲେଜର ସ୍ମାର୍ଟ କ୍ଲାସରୁମ୍ ମରାମତି ଲାଗି ୧ ଲକ୍ଷ ୭୦ ହଜାର ଟଙ୍କା ଦିଆଯାଇଥିଲା, ଯାହାର କାର୍ଯ୍ୟ ଶେଷ ହୋଇଛି। ମାତ୍ର କଲେଜ ଅଧ୍ୟକ୍ଷ ଓଏସ୍ଆଇସି କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ତେଣୁ ସ୍ମାର୍ଟ କ୍ଲାସରୁମ୍ ମରାମତି କାର୍ଯ୍ୟର ଯାଞ୍ଚ କରିବାକୁ ଓକାକ୍କୁ କୁହାଯିବ।
ଟେଣ୍ଡର ଜରିଆରେ ଘରୋଇ ସଂସ୍ଥାଙ୍କୁ ଓଏସଆଇସି ଲିମିଟେଡ୍ କାମ ଦେଇ ତଦାରଖ ନ କରିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଯେଉଁ ସଂସ୍ଥାକୁ କାର୍ଯ୍ୟ ଦିଆଯାଇଥିଲା ସେମାନେ ସଠିକ୍ ଭାବେ ନ କରିବାରୁ କଲେଜ କର୍ତୃପକ୍ଷ ବିଭିନ୍ନ ସମୟରେ ଓଏସଆଇସି ଲିମିଟେଡକୁ ଅବଗତ କରିଥିଲେ। ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ, ସଚିବମାନେ କାର୍ଯ୍ୟ ସ୍ଥଳକୁ ଯାଇ ମାନ ଯାଞ୍ଚ କରିବା ସହ ତାଗିଦ୍ ମଧ୍ୟ କରିଥିଲେ। ମାତ୍ର ଓଏସ୍ଆଇସି କର୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ସହ ତିନି କଲେଜର ଅଧ୍ୟକ୍ଷ ଯୋଗଦେଇଥିଲେ। ଓଏସ୍ଆଇସିର କର୍ମଚାରୀମାନେ ଉପସ୍ଥିତ ଥିଲେ ମଧ୍ୟ ପରିଚାଳନା ନିର୍ଦେଶକ ଅନୁପସ୍ଥିତ ରହିଥିଲେ। ଓଏସ୍ଆଇସି ଲିମିଟେଡ୍ର ତ୍ରୁଟିକୁ ଯେଉଁ ମାତ୍ରାରେ ଉଚ୍ଚଶିକ୍ଷା ବିଭାଗ ପରିଲକ୍ଷିତ କରିଛି ସେଥିରୁ ଜଣାପଡ଼ୁଛି ଯେ କେଉଁଠି ନା କେଉଁଠି ଓଏସଆଇସି ଲିମିଟେଡ ଓ ଘରୋଇ ସଂସ୍ଥାଙ୍କ ଭିତରେ ଥିବା ମଧୁଚନ୍ଦ୍ରିକା ପଦାକୁ ଆସିଛି। ନ ହେଲେ କାମକୁ ତଦାରଖ କାହିଁକି କରାଯାଉ ନଥିଲା ବୋଲି ପ୍ରଶ୍ନ ଉଠିଛି।