ବିଶ୍ବ ହକି ପୂର୍ବରୁ ଝଲସିବ ତ ସ୍ମାର୍ଟସିଟି, ସରିନି ୬୦% ପ୍ରକଳ୍ପର କାମ

ଚାଲିଛି ସର୍ବମୋଟ ୫୫ ପ୍ରକଳ୍ପର କାମ, ଖର୍ଚ୍ଚ ହେଉଛି ୫୯୪ କୋଟିରୁ ଅଧିକ

ରାଉରକେଲା: ସ୍ମାର୍ଟସିଟି ଘୋଷଣାକୁ ଇତି ମଧ୍ୟରେ ୬ ବର୍ଷ ପୂରଣ ହେବାକୁ ଯାଉଛି। ଆସନ୍ତା ୨୦୨୩ ପ୍ରଥମ ମାସ ସୁଦ୍ଧା ଅର୍ଥାତ୍‌ ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ସମସ୍ତ ପ୍ରକଳ୍ପ ଶେଷ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ମାତ୍ର ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ଚିତ୍ର କିନ୍ତୁ ଓଲଟା। ସ୍ମାର୍ଟ ସିଟି ପକ୍ଷରୁ ଛୋଟ ବଡ ମୋଟ ୫୫ଟି ପ୍ରକଳ୍ପ କାମ ହାତକୁ ନିଆଯାଇଛି। ଛୋଟ ଛୋଟ ପ୍ରକଳ୍ପ ଶେଷ ହୋଇଥିଲାବେଳେ ବଡ ବଡ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି।  ଆଜି ସୁଦ୍ଧା ପାଖାପାଖି ଚାଲିଥିବା ୬୦% ପ୍ରକଳ୍ପ କାମ  ଶେଷ ହେବାକୁ ବାକି ଅଛି। ଏମିତି ସାଂଘାତିକ ତଥ୍ୟ ସ୍ମାର୍ଟସିଟି କାର୍ଯ୍ୟାଳୟରୁ ମିଳିଛି। ଚାଲିଥିବା କାମଗୁଡ଼ିକ କେବେ ସରିବ, କାହାରି ପାଖରେ ସନ୍ତୋଷଜନ ଉତ୍ତର ନାହିଁ।

ଆସନ୍ତା ୬ ମାସ ମଧ୍ୟରେ ଅର୍ଥାତ୍‌ ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ସ୍ମାର୍ଟସିଟି ଝଲସିବ ତ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ସହରର ପ୍ରବେଶ ପଥ ପାନପୋଷରେ ୫୦.୫୯ କୋଟି ଟଙ୍କା ବ୍ୟୟରେ ମାର୍କେଟ କମ୍ପ୍ଲେସ ନିର୍ମାଣ ଚାଲିଛି। ଗତ ୨୦୧୯ ଡିସେମ୍ବରରୁ କାମ ଆରମ୍ଭ ହୋଇଥିଲା। ଗତ ୨୦୨୨ ଏପ୍ରିଲ ୨୩ ସୁଦ୍ଧା ଶେଷ ହେବାର ଥିଲା। ୟୁଆର୍‌ସି କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ ଠିକା ସଂସ୍ଥା ପକ୍ଷରୁ କାମ କରାଯାଉଛି। ସମୟ ସୀମା ଅବଧି ସରି  ୬ ମାସ ବିତିଗଲାଣି, କାମ କିନ୍ତୁ ୫୦% ସରିନି। ୨୩.୭୦ କୋଟି ବ୍ୟୟରେ ସ୍ମାର୍ଟସିଟି ରାସ୍ତା (ପାନପୋଷ ଛକରୁ ଉଦିତନଗର ଆମ୍ବେଦକର ଛକ) ଗତ ୨୦୧୯ ଅଗଷ୍ଟରେ ଆରମ୍ଭ ହୋଇଥିଲା।

ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ ହେବାକୁ ଥିଲା। ଏଯାଏ ମାତ୍ର ୭୨% କାମ ସରିଛି। ଠିକାସଂସ୍ଥା ବ୍ରାହ୍ମଣୀ ଇଞ୍ଜିକନ୍‌ ନିର୍ମାଣ କାମ ବନ୍ଦ କରିଦେଇଛି। ଆଜି ପର୍ଯ୍ୟନ୍ତ ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବରଂ ତାଙ୍କୁ ଅନ୍ୟ ଏକ ପ୍ରକଳ୍ପ କାମ କରିବାକୁ ଦିଆଯାଇଛି। ୧୦୪.୨୪ କୋଟି ବ୍ୟୟରେ ସ୍ମାର୍ଟସିଟି ରୋଡ (ଫେଜ୍‌-୨) ଗତ ୨୦୨୦ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଠିକା ସଂସ୍ଥା ପକ୍ଷରୁ ଚାଲିଥିବା କାମ ମଧ୍ୟ ଏଯାଏଁ ସରିନି। ୧୪୬.୫୫ କୋଟି ଚାଲିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ ପୁନରୁଦ୍ଧାର କାର୍ଯ୍ୟରେ ବି ସେହି ସମାନ ସ୍ଥିତି। ୧୧.୯୯ କୋଟି ଟଙ୍କା ବ୍ୟୟରେ ବାସନ୍ତୀ କଲୋନି ଡିଏଭି ପୋଖରୀର ସୌନ୍ଦର୍ଯ୍ୟକରଣ ସହ ନୌକାବିହାର କାମ ଗତ ୨୦୨୦ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା। ଗତ ୨୦୨୨ ଜୁନ୍‌ ‌ସୁଦ୍ଧା ସରିବା କଥା। ଏବେ ଅଧାରୁ ଅଧିକ କାମ ବାକି ରହିଛି।

ହନୁମାନବାଟିକା ଛକରୁ ଟ୍ରାଫିକ ଛକ୍‌ ପର୍ଯ୍ୟନ୍ତ  ୧୭.୯୩ କୋଟି ଟଙ୍କା ବ୍ୟୟରେ ରାସ୍ତା ସୌନ୍ଦର୍ଯ୍ୟକରଣ କାମ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)କୁ ଦିଆଯାଇଛି। ଓଏଫ୍‌ଡିସି ଅନ୍ୟ ଏକ ଠିକାସଂସ୍ଥାକୁ କାମ କରିବାକୁ ଦେଇଛନ୍ତି। ଗତ ୨୦୨୦ ସେପ୍ଟେମ୍ବରୁ ଆରମ୍ଭ ହୋଇଥିବା କାମ ୨୦୨୨ ଜୁନ୍‌ ୧୫ ସୁଦ୍ଧା ଶେଷ ହେବା କଥା। କିଛି କାମ ୬୫% ଓ ଅନ୍ୟ କିଛି କାମ ମାତ୍ର ୪୦% ସରିଛି। ଅବଶିଷ୍ଟ କାମ ଆସନ୍ତା ୬ ମାସ ମଧ୍ୟରେ ସରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେମିତି ପ୍ରସିଦ୍ଧ ଶୈବପୀଠରେ ୧୬.୦୭ କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଗତ ୨୦୨୦ ଅକ୍ଟୋବର ଆରମ୍ଭ ହୋଇଥିବା କାମ ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବା କଥା। ଦୁଇ ବର୍ଷ ମଧ୍ୟରେ ମାତ୍ର ୬୦% କାମ ସରିଛି। ଅବଶିଷ୍ଟ ୪୦ % କାମ ୬ ମାସ ଭିତରେ ସରିବ ତ? ୯.୯୮ କୋଟି ଟଙ୍କାରେ ଛେଣ୍ଡ କଲୋନି କନକ ମଞ୍ଜରି ଛକରୁ ରାଉରକେଲା ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି।

୨୦୨୧ ନଭେମ୍ବର ମାସରେ କାମ ଆରମ୍ଭ ହୋଇ ୨୦୨୨ ଅକ୍ଟୋବର ସୁଦ୍ଧା ସରିବାର ଥିଲା। ବିଶ୍ବ ହକି ପାଇଁ ଏହି ରାସ୍ତା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବର୍ଷ ପରେ ମଧ୍ୟ ଅଧା କାମ ସରିନି।  ଅନୁରୂପ ଭାବେ ୯.୪୯ କ‌ୋଟି ବ୍ୟୟରେ କଳିଙ୍ଗ ବିହାର ଛକରୁ ପ୍ରଧାନପାଲୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାମରେ ବି ସେହି ସମାନ ସ୍ଥିତି ଉପୁଜିଛି। ଏମିତି ଆହୁରି ଅନେକ ଛୋଟ ବଡ କାମ ଚାଲିଛି। ଏସବୁ ବିଶ୍ବ ହକି ଖେଳ ଆରମ୍ଭ ପୂର୍ବରୁ ସରିବ ବୋଲି ବିଭାଗୀୟ ଅଧିକାରୀମାନେ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। ଯେମିତି କାମ ଚାଲିଛି ସରିବ, କାମ ସରିବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ନିମ୍ନମାନର କାମ ଓ କଚ୍ଛପଗତିକୁ ନେଇ କୌଣସି ରାଜନୈତିକ ଦଳ ମୁହଁ ନ ଖୋଲି ଚୁପ୍‌ ରହିଛନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ବିଭାଗୀୟ ଅଧିକାରୀ ଓ କାମ ନେଇଥିବା ଠିକାସଂସ୍ଥା। ତେବେ ଆଗାମୀ ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ  ସହର ବିକାଶ ଦେଖିବ ତ, ଏମିତି ପ୍ରଶ୍ନ ସ୍ମାର୍ଟସିଟିବାସିନ୍ଦାଙ୍କ ମଧ୍ୟରେ ଉଠୁଛି।

ସମ୍ବନ୍ଧିତ ଖବର