ଦୁଇଟି ସ୍ମାର୍ଟ ସିଟି ସତ୍ତ୍ବେ ଓଡ଼ିଶାରେ ଆରମ୍ଭ ହେଉନି
ଗୁଜୁରାଟର ତିନିଟି, ମହାରାଷ୍ଟ୍ରର ଦୁଇଟି ସହର, ହେଲେ ଓଡ଼ିଶାର ଗୋଟିଏ ବି ନାହିଁ
ଭୁବନେଶ୍ବର : ଦେଶର ପ୍ରାୟ ୨୫ଟି ସହରରେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରୁ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ବିଡ଼ମ୍ବନାର ବିଷୟ ଯେ ସମ୍ଭାବ୍ୟ ସହର ତାଲିକାରେ ଓଡ଼ିଶାର କୌଣସି ସହରର ନାମ ନାହିଁ। ଓଡ଼ିଶା ଠାରୁ କମ୍ ଟେଲି ସାନ୍ଧ୍ରତା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାରେ କାହିଁକି ଆରମ୍ଭ ହେଉନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।
କେବଳ ଏତିକି ନୁହେଁ। ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ତିନିଟି ସହର ଅହମଦାବାଦ, ଗାନ୍ଧୀନଗର ଓ ଜାମ୍ନଗର; ମହାରାଷ୍ଟ୍ରର ଦୁଇଟି ସହର ମୁମ୍ବାଇ ଓ ପୁନେରେ ୫ଜି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଯେଉଁ ସବୁ ସହରକୁ ପଛରେ ପକାଇ ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲା ସେଠାରେ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଆରମ୍ଭ ହେଉଥିବା ବେଳେ ଭୁବନେଶ୍ବରକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ଓଡ଼ିଶାରେ ଭୁବନେଶ୍ବର ଓ ରାଉରକେଲା ଦୁଇଟି ସ୍ମାର୍ଟ ସିଟି ଥିବାବେଳେ ଏଠାରେ ଟେଲି ସାନ୍ଦ୍ରତା ଦେଶର କିଛି ବଡ଼ ସହର ସହ ସମକକ୍ଷ। ହେଲେ ଭୁବନେଶ୍ବର କି ରାଉରକେଲାରେ ୫ଜି ସେବା ଆରମ୍ଭ କରିବାକୁ କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟର ଯୋଜନା ନାହିଁ। ଯେତେବେଳେ କି ମଧ୍ୟପ୍ରଦେଶର ଭୋପାଳ ସହର ପ୍ରଥମ ୫ଜି ସୁବିଧା ଥିବା ସ୍ମାର୍ଟ ସିଟି ହେବାକୁ ଯାଉଛି। ମଧ୍ୟପ୍ରଦେଶ ସରକାର ଏ ନେଇ ଘୋଷଣା କରିସାରିଛନ୍ତି।
/sambad/media/post_attachments/wp-content/uploads/2022/06/5g-ta-300x194.jpg)
କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୩ଟି ସହର ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀ ନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁନେରେ ପରୀକ୍ଷାମୂଳକ ଭାବେ ୫ଜି ସେବା ଆରମ୍ଭ ହେବ। ତାହା ପରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଟେଲିକମ୍ ସଂସ୍ଥା ଏବଂ ଟେଲିକମ୍ ମନ୍ତ୍ରଣାଳୟ ଉପରେ ଚାପ ପକାଇ ପରୀକ୍ଷାମୂଳକ ଭାବେ ୫-ଜି ସେବା ଆରମ୍ଭ କରିଛନ୍ତି। ହେଲେ ଓଡ଼ିଶା ସରକାର ନା ଟେଲିକମ୍ ମନ୍ତ୍ରଣାଳୟ ନା ଟେଲିକମ୍ ସଂସ୍ଥା କାହାକୁ ବି ଅନୁରୋଧ କରିନାହାନ୍ତି କି ଚାପ ପକାଇ ନାହାନ୍ତି।
କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟ ୫-ଜି ସେବା ତାଲିକାରେ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ସହରବାସୀଙ୍କୁ ନିରାଶ ହେବାକୁ ପଡ଼ିଛି। ଯଦି ଗୁଜୁରାଟର ତିନିଟି ସହରରେ ପ୍ରଥମ ପର୍ଯ୍ୟାୟରେ ୫-ଜି ସେବା ଆରମ୍ଭ ହୋଇପାରୁଛି ତେବେ କାହିଁକି ସ୍ମାର୍ଟ ସିଟି ଭୁବନେଶ୍ବରରେ ୫-ଜି ସେବା ଆରମ୍ଭ ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
/sambad/media/post_attachments/wp-content/uploads/2022/06/5g-fffa-300x168.jpg)
ଗୋଟିଏ ଟେଲିକମ୍ ଅପରେଟର ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ଚଳିତ ବର୍ଷ ୫-ଜି ସେବା ଆରମ୍ଭ ହେବା ସମ୍ଭାବନା ବହୁତ କମ୍। କାରଣ ଜୁଲାଇ ମାସରେ ୫-ଜି ସ୍ପେକ୍ଟ୍ରମ ନିଲାମ ହେବାକୁ ଯାଉଛି। ଏହା ପୂର୍ବରୁ ବିଭିନ୍ନ ଟେଲିକମ୍ ସଂସ୍ଥା ଦେଶର ବିଭିନ୍ନ ରାଜ୍ୟରେ ୫-ଜି ସେବାର ପରୀକ୍ଷଣ କରିଥିଲେ। ଏଥିରେ ସରକାରୀ ସେବା ଠାରୁ ଆରମ୍ଭ କରି ମୋବାଇଲ୍ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ କିଏ କିପରି ୫-ଜି ଦ୍ବାରା ଉପକୃତ ହେଉଛନ୍ତି ତାହା ପରୀକ୍ଷା କରାଯାଇଥିଲା। ହେଲେ ଓଡ଼ିଶାରେ କୌଣସି ଟେଲିକମ୍ ସଂସ୍ଥା ଏହି ପରୀକ୍ଷା କରିନାହାନ୍ତି। ଏପରିକି ୫-ଜି ସେବା ଯୋଗାଇବା ପାଇଁ ଯନ୍ତ୍ରପାତି ଓ ସରଞ୍ଜାମ ଲଗାଇନାହାନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟେର ଓଡ଼ିଶାର କୌଣସି ସହରରେ ୫-ଜି ସେବା ଆରମ୍ଭ ହେବ ନାହିଁ।
କିଛି ରାଜ୍ୟର ସରକାର ବିଭିନ୍ନ ଟେଲିକମ୍ ସଂସ୍ଥାଙ୍କୁ ଚିଠି ଲେଖି ପ୍ରଥମ ପର୍ଯ୍ୟାୟରେ ୫-ଜି ସେବା ଯୋଗାଇବାକୁ ଚାପ ପକାଇବା ପରେ କିଛି ପ୍ରମୁଖ ସହରରେ ଏବେ ୫-ଜି ସେବାକୁ ପରୀକ୍ଷାମୂଳ ଭାବେ ବ୍ୟବହାର କରାଯାଉଛି। ଯଦି ଓଡ଼ିଶା ସରକାର ଟେଲିକମ୍ ସଂସ୍ଥା ଉପରେ ଚାପ ପକାଇବେ କିମ୍ବା ଟେଲିକମ୍ ମନ୍ତ୍ରଣାଳୟ ଓଡ଼ିଶାରେ ୫-ଜି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେବେ ତେବେ କିଛି ମାସ ମଧ୍ୟରେ ଏହି ସେବା ଆରମ୍ଭ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।