ବିଶ୍ବଜିତ ଦା‌ଶ
ଭୁବନେଶ୍ବର: ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ବର ଦେଶରେ ଏକ ନମ୍ବର ସ୍ଥାନ ହାସଲ କଲା ବୋଲି ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଲା। ଦ୍ବିତୀୟ ରାଉଣ୍ଡରେ ଯେତେବେଳେ ରାଉରକେଲାକୁ ସ୍ମାର୍ଟ ସିଟି ମାନ୍ୟତା‌ ମିଳିଲା ସେତେବେଳେ ଶ୍ରେୟ ନେବାକୁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଆଗେଇ ଆସିଲେ। ସ୍ମାର୍ଟ ସିଟି ଯୋଜନା ଚୂଡ଼ାନ୍ତ ରୂପ ପାଇଲେ ଭୁବନେଶ୍ବର ବାର୍ସିଲୋନା, ସାନ୍‌ଫ୍ରାନସିସ୍କୋ ସହର ଭଳି ଦିଶିବ। ସେହି ସହରଗୁଡ଼ିକରେ ଯେଉଁ ସବୁ ସୁବିଧା ମିଳୁଛି ଏଠାରେ ତାହା ଉପଲବ୍ଧ ହେବ ବୋଲି ଏହି ଯୋଜନା ଦାୟିତ୍ବରେ ଥିବା ଅଧିକାରୀମାନେ କହି ବୁଲିଲେ। ବିଡ଼ମ୍ବନାର ବିଷୟ ସ୍ମାର୍ଟ ସିଟି ଯୋଜନାର ୬ବର୍ଷ ପରେ ଭୁବନେଶ୍ବର ବାର୍ସିଲୋନା ସହର ଭଳି ଦିଶିବା ଦୂର କଥା, ନିଜର ପୁରୁଣା ସୌନ୍ଦର୍ଯ୍ୟ ବି ହରାଇ ବସିଛି। ଷ୍ଟିଲ୍‌ ସିଟି ରାଉରକେଲାରେ ଏବେ କାମ କମ୍‌, ଗାତ ଅଧିକ ଦେଖାଯାଉଛି। ସ୍ମାର୍ଟ ସିଟି ଘୋଷଣା କେନ୍ଦ୍ର ସରକାରଙ୍କର ଏକ ଜୁମ୍‌ଲା ଥିଲା ତାହା ଏହି ‌ଯୋଜନାର ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି। କେନ୍ଦ୍ର ସରକାରଙ୍କ ବାହାସ୍ଫୋଟକୁ କିନ୍ତୁ ବଳି ଯାଇଥିଲା ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ଯୋଜନାର ତାଲିକା। ଶହ ଶହ ଫର୍ଦ୍ଦର ଯୋଜନା ପ୍ରସ୍ତୁତ କରି ପ୍ରତିଯୋଗିତାରେ ଭଲ ରୢାଙ୍କ ପାଇବା କେବଳ ଏକ ଲକ୍ଷ୍ୟ ଥିଲା ତାହା ଏବେ ପର୍ଦ୍ଦାଫାଶ ହେଉଛି। ବର୍ତ୍ତମାନ ସ୍ଥିତି‌ରେ ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ ଏତେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମୟ ମିଳିଲାନି ନା ଅର୍ଥ ମିଳିଲାନି? ନା ‌ସ୍ମାର୍ଟ ସିଟି ନାଁରେ ଲୋକଙ୍କୁ ଭୁଆଁ ବୁଲାଇବାକୁ ଏହା ଗୋଟିଏ ଯୋଜନା ଥିଲା‌?

Advertisment

ଆସନ୍ତା ଜୁନ୍‌ ୨୫ରେ ସ୍ମାର୍ଟ ସିଟି ଯୋଜନାକୁ ୭ବର୍ଷ ପୂରିବାକୁ ଥିବାବେଳେ ବିଭିନ୍ନ ସହରରେ ଗଠନ ହୋଇଥିବା ସ୍ମାର୍ଟ ସିଟି ଲିମିଟେଡ ଏସ୍‌ପିଭି ବନ୍ଦ ହୋଇଯିବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ବି ବନ୍ଦ ହେବ। ଯେତିକି ଟଙ୍କା ମିଳିଯାଇଛି ସେତିକି। ଆଉ ଟଙ୍କା ମିଳିବାର ନାହିଁ। ଜୁନ୍‌ ୨୫, ୨୦୨୨ ସୁଦ୍ଧା ଯେତିକି କାମ ହେବା କଥା ହେବ। ତା’ପରେ କେବଳ ରକ୍ଷଣାବେକ୍ଷଣ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। କାରଣ ଏହି ଯୋଜନାରେ ୫ବର୍ଷରେ ସବୁ ପ୍ରକଳ୍ପ କରିବାକୁ କୁହାଯାଇଥିଲା। ଏହାର ପରବର୍ତ୍ତୀ ୪ବର୍ଷ କେବଳ ରକ୍ଷଣାବେକ୍ଷଣ ପାଇଁ ଥିଲା। ଯେଉଁ ସହର ଯେତେ ଅଧିକ କାମ କଲେ, ଅର୍ଥ ଖର୍ଚ୍ଚ କଲେ ତାଙ୍କୁ ସେହି ଅନୁଯାୟୀ ଅନୁଦାନ ମିଳିଲା। ହେଲେ ଓଡ଼ିଶାର ଦୁଇ ସହର ‌ମିଳିଥିବା ଅର୍ଥ ଖର୍ଚ୍ଚ କରିନପାରିବାରୁ ଘୋଷଣା ହୋଇଥିବା ସରକାରୀ ଅନୁଦାନ ବି ପୂରା ପାଇପାରିଲେନି।

ପୁରସ୍କାର ପାଇବାକୁ ବହୁ ପ୍ରକଳ୍ପ, କାମ ବେଳକୁ ଟଙ୍କା ନାହିଁ
ଜୁନ୍‌ରେ ବନ୍ଦ ହେବ ସ୍ମାର୍ଟ ସିଟି ଏସ୍‌ପିଭି
ଭୁବନେଶ୍ବର ପାଇଁ ପ୍ରସ୍ତାବ ଥିଲା ୮୧ଟି ପ୍ରକଳ୍ପ, ହେଉଛି ୨୮ଟି
ରାଉରକେଲା ପାଇଁ ପ୍ରସ୍ତାବ ଥିଲା ୫୬ଟି ପ୍ରକଳ୍ପ, ହେଉଛି ୮ଟି

ଭୁବନେଶ୍ବରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ବିଏମ୍‌ସି ପକ୍ଷରୁ ୮୧ଟି ପ୍ରକଳ୍ପର ତାଲିକା ଦିଆଯିବା ସହ ୪୫୩୭କୋଟିର ପ୍ରସ୍ତାବ ସ୍ମାର୍ଟ ସିଟି ମିସନ୍‌ସ ନିକଟରେ ଦାଖଲ କରାଯାଇଥିଲା। ପ୍ରତିଯୋଗିତାରେ ଭୁବନେଶ୍ବର ପ୍ରଥମ ସ୍ଥାନ ହାସଲ ବି କଲା। କାରଣ ଯେତିକି ଟଙ୍କାର ଯୋଜନା ହୋଇଥିଲା ତା’ର ଅଧା ଟଙ୍କା ପିପିପି ମୋଡ୍‌ରେ ଆଣିବାକୁ ବିଏମ୍‌ସି ପ୍ରସ୍ତାବ ଦେଇଥିଲା। ଭୁବନେଶ୍ବରକୁ ସ୍ମାର୍ଟ ସିଟି ମିସନ୍ ଫଣ୍ଡରୁ ୯୫୦.୨୨ କୋଟି, କେନ୍ଦ୍ର ଯୋଜନାରୁ ୨୯୭.୯୯କୋଟି, ରାଜ୍ୟ ଯୋଜନାରୁ ୨୨୭.୨୮କୋଟି, ପିପିପି ମୋଡରେ ୨୫୬୨.୮୦କୋଟି, ଗୋଷ୍ଠୀ ଭାଗିଦାରତାରେ ୧୪.୯୧କୋଟି, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଋଣ ଯୋଜନାରେ ୨୧୦କୋଟି, ବିଏମ୍‌ସିରୁ ୬୦କୋଟି, ହୁଡ୍‌କୋରୁ ବାଣିଜ୍ୟିକ ଋଣ ବାବଦକୁ ୩୦କୋଟି ଏବଂ ଅନ୍ୟାନ୍ୟ ସହାୟତା ବାବଦରେ ୧୮୩.୯୫କୋଟି ଟଙ୍କା ପାଇବାର ସ୍ବପ୍ନ ଦେଖାଯାଇଥିଲା। ହେଲେ ୬ବର୍ଷରେ ମିଳିଲା ମାତ୍ର ୭୮୪କୋଟି। କେନ୍ଦ୍ର ସରକାରଙ୍କର ୩୯୨କୋଟି, ରାଜ୍ୟ ସରକାରଙ୍କର ୩୯୨କୋଟି ଟଙ୍କା ସହାୟତା। ବାକି ୩୭୫୩କୋଟି ଟଙ୍କା ମିଳିଲାନି କି ମିଳିବାର ସମ୍ଭାବନା ନାହିଁ। ୬ବର୍ଷ‌ ପରେ ସ୍ଥିତି ହେଉଛି, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ମାତ୍ର ୨୮ଟି ପ୍ରକଳ୍ପ କରୁଛି। ଏଥିପାଇଁ ୭୮୪କୋଟି ଟଙ୍କା ଖର୍ଚ୍ଚ କରିବାକୁ ହିଁ ଯୋଜନା କରିଛି। ଏପରିକି ଯେତିକି ଟଙ୍କା ମିଳିଛି ତାକୁ ୬ବର୍ଷରେ ଖର୍ଚ୍ଚ କରାଯାଇପାରିନି। ଆହୁରି ପ୍ରାୟ ୧୦୦କୋଟି ଟଙ୍କା ବଳିଛି।
ଯେତିକି ପ୍ରକଳ୍ପ ହୋଇଛି ତା’ଠାରୁ ଲମ୍ବା ତାଲିକା ହେଉଛି ନହୋଇଥିବା ପ୍ରକଳ୍ପର। ପିପିପି ମୋଡରେ ହେବାକୁ ଥିବା ରେଳ ଷ୍ଟେସନ୍ ମଲ୍‌ଟି ମୋଡାଲ୍ ହବ୍‌, ସତ୍ୟନଗର ଇନଷ୍ଟିଚ୍ୟୁସନାଲ୍ କୋର୍‌, ଜନପଥ ଗଭର୍ଣ୍ଣମେଣ୍ଟ ହାଉସିଂ ରିଡେଭଲପମେଣ୍ଟ, ମିସନ୍ ଆବାସରୁ ବିଏସ୍‌ସିଏଲ୍ ଓହରିଯାଇଛି। ଏହାକୁ ରାଜ୍ୟ ସରକାରଙ୍କ ଅନ୍ୟ ସଂସ୍ଥା କରିବାକୁ ଯୋଜନା ହୋଇଛି। ପିପିପି ମୋଡରେ ୨୫୬୨.୮୦କୋଟି ଟଙ୍କା ପାଇବାକୁ ଯୋଜନା କରିଥିଲେ ହେଁ ଟଙ୍କାଟିଏ ବି ମିଳିଲାନି। ସେହିପରି ବିଭିନ୍ନ ବ୍ୟାଙ୍କ ଓ ସଂସ୍ଥାରୁ ଋଣ ଆଣିବାକୁ ଯୋଜନା ହୋଇଥିବାବେଳେ କେହି ଟଙ୍କାଟିଏ ବି ଦେଲେନି। ଏପରିକି ପୁଞ୍ଜିନି‌ବେଶ ଓ ଋଣ ଆଣିବାରେ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି କହିଥିଲେ ହେଁ କୌଣସି ସଂସ୍ଥା ଭୁବନେଶ୍ବରରେ ପୁଞ୍ଜିନିବେଶ କରିବାକୁ ରାଜି ହେଲେନି।

ସ୍ମାର୍ଟ ସିଟି ଭୁବନେଶ୍ବର ଠାରୁ ତଦ୍ରୁପ ଅବସ୍ଥା ସ୍ମାର୍ଟ ସିଟି ରାଉରକେଲାର। ଏଠାରେ ୫୬ଟି ପ୍ରକଳ୍ପ ପାଇଁ ୨୪୪୧.୧୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ହେଲେ ଭୁବନେଶ୍ବର ଭଳି ପିପିପି ମୋଡରେ ଅଧିକ ଟଙ୍କା ଆଣିବା, ଅଧିକ ଋଣ ଆଣିବା ଯୋଜନା ନଥିବାରୁ ଏହା ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ତାଲିକାରେ ସ୍ଥାନ ପାଇନଥିଲା। ଦ୍ବିତୀୟ ପର୍ଯ୍ୟାୟରେ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ରାଉରକେଲାବାସୀଙ୍କୁ ବଡ଼ ସ୍ବପ୍ନ ଦେଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମାତ୍ର ସ୍ମାର୍ଟ ସିଟି ମିସନ୍ ଫଣ୍ଡରୁ ୩୭୬କୋଟି ଟଙ୍କା ମିଳିଛି। ଆଉ ଏଥିରୁ ୭କୋଟି ୪୨ଲକ୍ଷ ଟଙ୍କାରେ ୬ଟି ପାର୍କର ସୌନ୍ଦର୍ଯ୍ୟୀକରଣ (‌‌ଗୋଟିଏ ପ୍ରକଳ୍ପ) ସମେତ ତିନିଟି ପ୍ରକଳ୍ପ ହୋଇଛି। ବାକି ୫ଟି ପ୍ରକଳ୍ପ ପାଇଁ ପ୍ରାୟ ୩୦୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ପ୍ରକଳ୍ପରେ ଟଙ୍କା ଖର୍ଚ୍ଚ କରିବା ବଦଳରେ ବ୍ୟାଙ୍କରେ ଟଙ୍କା ରଖି ସୁଧ ଖାଉଛନ୍ତି। ଫଳରେ ଆଉ ୧୦ଟି ବଡ଼ ପ୍ରକଳ୍ପ କରିବାକୁ ଯୋଜନା କରିଥିବାବେଳେ କେବେ ‌ଏହାକୁ କାର୍ଯ୍ୟରେ ପରିଣତ କରିବେ ସେନେଇ ପ୍ରଶ୍ନ ଉଠିଛି। ସ୍ମାର୍ଟ ଇଲେକ୍ଟ୍ରିକ ମିଟର, ୱାନ୍ ଷ୍ଟପ୍ ରାଉରକେଲା, ବ୍ରାହ୍ମଣୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ, ଭର୍ଣ୍ଣାକୁଲାର ଆର୍କିଟେକଚର୍ ଆଫୋର୍ଡେବଲ୍ ହାଉସିଂ, ସୋଲାର ପ୍ୟାନେଲ୍‌ ଲଗାଇବା, ଉତ୍ସର୍ଗୀକୃତ ବାଇସାଇକେଲ୍‌ ଟ୍ରାକ୍ ଭଳି କିଛି ବି ବଡ଼ ପ୍ରକଳ୍ପ ହେଲାନି। ବରଂ ଯେତିକି ପ୍ରସ୍ତାବ ଦେଇଥିଲେ ତାକୁ କାଣ୍ଟଛାଣ୍ଟ କରିବା ପରେ ବି କାମ ଆରମ୍ଭ ହୋଇପାରୁନି। କିନ୍ତୁ ସ୍ମାର୍ଟ ସିଟି ମିସନ୍ ୱେବସାଇଟ୍‌ରେ କର୍ତ୍ତୃପକ୍ଷ ଦେଖାଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୪୧କୋଟି ଟଙ୍କାର ୭ଟି ପ୍ରକଳ୍ପ ସରିଥିବାବେଳେ ୧୩୮୦କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଟେଣ୍ଡର ହୋଇଛି। ୧୨୫୮କୋଟି ଟଙ୍କାର ୩୧ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଯାହା ବାସ୍ତବ ଚିତ୍ରଠୁ ସଂପୂର୍ଣ୍ଣ ଭିନ୍ନ।