ଭଙ୍ଗାହେବ ଅଶୋକା ମାର୍କେଟ୍‌

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ ସେଣ୍ଟର ପାଇଁ ଡିଜାଇନ୍‌ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ୧୫ଦିନ ପରେ ଅଶୋକା ମାର୍କେଟକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଜି ଅଶୋକା ମାର୍କେଟରେ ଦୋକାନ କରିଥିବା ୧୨୯ଜଣ ବ୍ୟବସାୟୀଙ୍କୁ ରାଜଧାନୀର ୭ଟି ମାର୍କେଟ କମ୍ପ୍ଲେକ୍ସରେ ଅସ୍ଥାୟୀ ଦୋକାନ ଆବଣ୍ଟନ ହୋଇଛି।

୧୨ଏକର ଜମିରେ ଭୁବନେଶ୍ୱର ଟାଉନ ସେଣ୍ଟର ପ୍ରକଳ୍ପ ହେବାକୁ ଥିବାବେଳେ ଏଥିରେ ହେବାକୁ ଥିବା ରେଲେଓ୍ଵ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ ପାଇଁ ଅଶୋକା ମାର୍କେଟକୁ ଉଚ୍ଛେଦ କରିବାକୁ ବିଡିଏ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ମାର୍କେଟ କମ୍ପ୍ଲେକ୍ସକୁ ପୂର୍ବରୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହା ଭଙ୍ଗା ଯାଇ ପାରିନଥିଲା। ଯେଉଁଥିପାଇଁ ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ କାର୍ଯ୍ୟ ବି ଆରମ୍ଭ ହୋଇପାରିନଥିଲା। ହାଇକୋର୍ଟଙ୍କ ରାୟ ଆସିବା ପରେ ବିଡିଏ ପକ୍ଷରୁ ବ୍ୟବସାୟୀଙ୍କୁ ଦୋକାନ ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି। ଆଉ ୧୫ଦିନ ମଧ୍ୟରେ ଆବଣ୍ଟନ ହୋଇଥିବା ଦୋକାନକୁ ଯିବାକୁ କୁହାଯାଇଛି। ଏହାପରେ ଅଶୋକା ମାର୍କେଟ୍‌ ଭଙ୍ଗା ଆରମ୍ଭ ହେବ ବୋଲି ବିଡିଏର ଏନଫୋର୍ସମେଣ୍ଟ ଅଧିକାରୀ ଭବାନୀ ଶଙ୍କର ଚଇନି କହିଛନ୍ତି।

ଅଶୋକା ମାର୍କେଟରେ ଦୋକାନ ପାଇଥିବା ୧୨୯ଜଣ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ଦୋକାନ ଆବଣ୍ଟନ ହୋଇଛି। ଏଥିରେ ନୀଳାଦ୍ରିବିହାର ସ୍ଥିତ ଚନ୍ଦ୍ରାଲୋକ ମାର୍କେଟ୍‌, ପୋଖରୀପୁଟର ଅନନ୍ତବିହାର ମାର୍କେଟ୍‌ କମ୍ପ୍ଲେକ୍ସ, କଳିଙ୍ଗ ହସ୍‌ପିଟାଲ୍‌ ଛକ ନିକଟ ସାମନ୍ତବିହାର ମାର୍କେଟ୍‌ କମ୍ପ୍ଲେକ୍ସ, କଳିଙ୍ଗ ନଗରର କେ-୭ ଏବଂ କେ-୮, ନୂଆପଲ୍ଲୀର ଇନ୍ଦ୍ରଧନୁ ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ସହିଦ ନଗରର ସୂର୍ଯ୍ୟକିରଣ ମାର୍କେଟ୍‌ କମ୍ପ୍ଲେକ୍ସରେ ଦୋକାନ ଗୃହ ଯୋଗାଇ ଦିଆଯାଇଛି।

ପୂର୍ବରୁ ବ୍ୟବସାୟୀମାନଙ୍କୁ ବ୍ୟକ୍ତିଗତ ଭାବେ ଅଶୋକା ମାର୍କେଟ୍‌ ଖାଲି କରିବା ନେଇ ବିଡିଏ ପକ୍ଷରୁ ୧୬ ଫେବ୍ରୁଆରି,୨୦୧୬ରେ ନୋଟିସ୍‌ ଜାରି କରାଯାଇଥିଲା। ବ୍ୟବସାୟୀମାନେ ଏହା ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ପ୍ରକଳ୍ପ ନିର୍ମାଣର ବୃହତ ସ୍ୱାର୍ଥ ଦୃଷ୍ଟିରୁ ମାର୍କେଟ୍‌କୁ ତୁରନ୍ତ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହବ୍‌ ନିର୍ମାଣ ହେବା ପରେ ସ୍ଥାନାନ୍ତର ହୋଇଥିବା ବ୍ୟବସାୟୀମାନଙ୍କୁ ସଂପୃକ୍ତ ହବ୍‌ରେ ପ୍ରାଥମିକତାର ସହ ବ୍ୟବସାୟ କରିବାକୁ ସୁଯୋଗ ଦିଆଯିବ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଲଟେରି ଉଠାଣ ମାଧ୍ୟମରେ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ସୁଯୋଗ ଦିଆଯାଇଛି ବୋଲି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଭବାନୀ ଶଙ୍କର ଚଇନି କହିଛନ୍ତି। ଯଦି ବ୍ୟବସାୟୀମାନେ ୧୫ଦିନ ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସ ଖାଲି ନ କରିବେ ତେବେ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଟାଉନ ସେଣ୍ଟରର ଡିଜାଇନ୍‌ ପ୍ରସ୍ତୁତ କରିବାକୁ ସିଙ୍ଗାପୁରର ‘ସୁରବାନା ଜୁରଙ୍ଗ’ ସଂସ୍ଥା ଟେଣ୍ଡର ପାଇଛି। ଏଥିପାଇଁ ୮କୋଟି ଟଙ୍କା ସଂସ୍ଥା ନେବ। ରାଜଧାନୀର ସବୁଠୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଗମନାଗମନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବା ଏହି ଟାଉନ ସେଣ୍ଟରରେ ଦେଶର ପ୍ରଥମ ଟ୍ରାନଜିଟ୍‌ ଓରିଏଣ୍ଟେଡ୍‌ ଡେଭଲପମେଣ୍ଟ (ଟିଓଡି) ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ୧୨ଏକର ଜମିରେ ଏହି ଯୋଜନା ହେବାକୁ ଥିବାବେଳେ ଏଠାରେ ଥିଏଟର୍‌ ପ୍ଲାଜା, ସପିଂ ମଲ୍‌, ନେଚର୍‌ ପ୍ଲାଚା, ମାର୍କେଟ୍‌ କମ୍ପ୍ଲେକ୍ସ, ଲ୍ୟାଣ୍ଡସ୍କେପ୍‌, ଟାଉନ୍‌ ପ୍ଲାଜା, ଆର୍ଟ ପ୍ଲାଜା, ଏକ୍ସପେରିଏନ୍ସ ପ୍ଲାଜା, ଚିଲଡ୍ରେନ୍ସ ପ୍ଲାଜା, ଫୁଡ୍‌ କୋର୍ଟ, ଆପାର୍ଟମେଣ୍ଟ, ସାଇକେଲିଂ ଟ୍ରାକ୍‌, ସ୍ୱତନ୍ତ୍ର ପାଦଚଲା ରାସ୍ତା ଆଦି ରହିବ।

ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ରେ ରେଳ ଷ୍ଟେସନ୍‌ର ଆଧୁନିକୀକରଣ ହେବା ସହ ବସ୍‌ ଟର୍ମିନାଲ, ବହୁତଳ କାର୍‌ ପାର୍କିଂ, କନଭେନସନ୍‌ ସେଣ୍ଟର, ସ୍ୱତନ୍ତ୍ର ବାଇସାଇକେଲ୍‌ ଓ ପାଦଚଲା ବ୍ରିଜ୍‌, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିବ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏସ୍‌ପିଭି ଗଠନ କରିବାକୁ ଘୋଷଣା କରିଥିବାବେଳେ ଏହା ୫ବର୍ଷ ମଧ୍ୟରେ କିପରି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ତାହାର ତଦାରଖ କରିବ।

ସମ୍ବନ୍ଧିତ ଖବର