ବାଟ ଉଗାଳୁଛି ସ୍ମାର୍ଟସିଟି ରାସ୍ତା, ୪ କିମି ଯିବାକୁ ଲାଗୁଛି ଘଣ୍ଟାଏ

ବର୍ଷ ବର୍ଷ ଧରି ସରୁନି, ସମସ୍ୟାକୁ ଦ୍ୱିଗୁଣିତ କରୁଛି ୩୪୦ କୋଟିର ସ୍ୱରେଜ କାମ

ରାଉରକେଲା : ସ୍ମାର୍ଟସିଟି ନାଁରେ ସହରବାସୀଙ୍କୁ କେବଳ ଭୂଆଁ ବୁଲାଯାଉଛି। ଚାଲିଛି ମାଳ ମାଳ ପ୍ରକଳ୍ପ। ବର୍ଷ ବର୍ଷ ଧରି ସରୁନି। ଯେଉଁ କେତୋଟି ପ୍ରକଳ୍ପ ସରିଛି, ସହରବାସୀଙ୍କ କାମରେ ଆସୁନି। ପୁଣି କେତେକ ପ୍ରକଳ୍ପ ନ ସରୁନୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରି ଦିଆଯାଇଛି। ଏବେ ସହରରେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ସ୍ମାର୍ଟସିଟି ରାସ୍ତା। ପାନପୋଷ ଗାନ୍ଧି ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତା କାମ ୮୦% ସରିଛି। ଉଦିତନଗର କଚେରୀ ରୋଡରୁ ବିର୍ସା ମୁଣ୍ଡା ଛକ ପ୍ରାୟ ୪ କି.ମି. ରାସ୍ତା ସମ୍ପୂର୍ଣ୍ଣ ବେହାଲ। ଭୂତଳ ପାଇପ ବିଛା ନାଁରେ ୫ ଫୁଟ ଗାତ ଖୋଳି ସେମିତି ଖୋଲାମେଲା ଛାଡି ଦିଆଯାଇଛି। ବର୍ଷ ବର୍ଷ ଧରି ଅସୁରକ୍ଷିତ ଭାବେ ରହିଥିବା ଏସବୁ ଗାତ କାମ ପ୍ରତି କାହାରି ନଜର ନାହିଁ। ସମସ୍ୟାକୁ ଦ୍ୱିଗୁଣିତ କରିଛି ୩୪୦ କୋଟିର ସ୍ୱରେଜ ପ୍ରକଳ୍ପ। ସ୍ମାର୍ଟସିଟି ପରି ଏହି ପ୍ରକଳ୍ପ ମଧ୍ୟ କଚ୍ଛପ ଗତିରେ ଚାଲିଛି। ଉଭୟ ସ୍ୱରେଜ ବୋର୍ଡ ଓ ସ୍ମାର୍ଟସିଟି କାମ ସହରବାସୀଙ୍କୁ ବର୍ଷ ବର୍ଷ ଧରି କନ୍ଦାଉଛି। ପଥଚାରୀଙ୍କୁ ଯେତିକି ବାଧୁଛି, ଯାନବାହନ ଚାଳକଙ୍କୁ ତା’ଠୁ ଅଧିକ ଦହଗଞ୍ଜ ଦେଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ ମାତ୍ର ୪ କି.ମି. ରାସ୍ତା ଯିବାକୁ ଲାଗୁଛି ଘଣ୍ଟାଏରୁ ଅଧିକ।

ଏସବୁ କାମର ତଦାରଖ ଓ ସମୀକ୍ଷା କରିବାକୁ ସ୍ମାର୍ଟସିଟି ବୋର୍ଡ ଗଠନ ହୋଇଛି। ବୋର୍ଡରେ ଅଛନ୍ତି ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ଓ ନିର୍ଦ୍ଦେଶକ। ଆଶ୍ଚର୍ଯ୍ୟ କଥା, ବୋର୍ଡ ବୈଠକ ବସୁଛି ନାହିଁ। ସାଂସଦ, ବିଧାୟକମାନେ ଥରୁଟିଏ ମୁହଁ ଖୋଲୁ ନାହାନ୍ତି। ଯାହାର ଫାଇଦା ଉଠାଉଛନ୍ତି ସ୍ମାର୍ଟସିଟିର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ ଓ ଠିକା ସଂସ୍ଥା। ନିକଟରେ ପାନପୋଷ- ଆମ୍ବେଦକର ଛକ ପ୍ରାୟ ୩.୭ କି.ମି. ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ପ୍ରାୟ ୨୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ରାସ୍ତା ନିର୍ମାଣ ହେବାର କିଛି ଦିନ ପରେ ଆଇଟିଆଇ ଓଭରବ୍ରିଜ ତଳ ରାସ୍ତା ଦବିଗଲା। କିନ୍ତୁ ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ଅନୁରୂପ ଭାବେ ଆର୍‌ଏମ୍‌ସିରୁ ହକି ଛକ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବି ସମାନ ସ୍ଥିତି। ଠିକାସଂସ୍ଥା ମନଇଚ୍ଛା ଗୋଟିଏ ପାର୍ଶ୍ବ ରାସ୍ତାକୁ ବନ୍ଦ କରି କାମ କରୁଛନ୍ତି। ଫଳରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ଠିକ୍‌ ଭାବେ ପାଣି ସିଞ୍ଚନ କରାଯାଉ ନଥିବାରୁ ଧୂଳିଧୂଆଁରେ ନୟାନ୍ତ ହେଉଛନ୍ତି ଶହ ଶହ ବ୍ୟବସାୟୀ। ଗୁରୁତ୍ବପୂର୍ଣ୍ଣ କାମରେ ଯାଉଥିବା ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି। ରାଜନୈତିକ ଦଳ ପ୍ରତିବାଦ କଲେ ବିଭାଗୀୟ ଅଧିକାରୀ ଲୋକଦେଖାଣିଆ ଭାବେ ତତ୍ପର ‌ହେଉଛନ୍ତି।

କେବଳ ଗୋଟିଏ ଦୁଇଟି ପ୍ରକଳ୍ପ ନୁହେଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଚାଲିଥିଲେ ମଧ୍ୟ ସରିବାର ନା ନେଉନି। କେବେ ସରିବ କାହାରି ପାଖରେ ଉତ୍ତର ନାହିଁ। ୧୩୮ କୋଟି ୪୭ ଲକ୍ଷ ଟଙ୍କାର ନିର୍ମାଣ ହେଉଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ମଲ୍ଟି ପାର୍କିଂ ବର୍ଷ ବର୍ଷ ଧରି ଚାଲିଛି। ୪୯ କ‌ୋଟି ୫୨ ଲକ୍ଷର ପାନପୋଷ ମାର୍କେଟ କମ୍ପେକ୍ସ ବର୍ଷକ ମଧ୍ୟରେ ୫% କାମ ସରିନି। ୧୦୫ ‌କୋଟି ଷ୍ଟର୍ମ ୱାଟର ମ୍ୟାନେଜମେଣ୍ଟ , ୨ କୋଟି ୮୧ ଲକ୍ଷର ସ୍ମାର୍ଟ କ୍ଲାସ ରୁମ୍‌, ୧ କୋଟି ୧ ଲକ୍ଷ ଟଙ୍କାର ଡିଜିଟାଲ ହେଲ୍‌ଥ କେୟାର ବ୍ୟବସ୍ଥାର ସମାନ ଅବସ୍ଥା। ଏମିତି ଆହୁରି ପ୍ରକଳ୍ପର ସେହି ସମାନ ସ୍ଥିତିରେ ରହିଛି। ପ୍ରକଳ୍ପ ବାବଦରେ ଆସିଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ବ୍ୟାଙ୍କରେ ପଡିଛି। ଖର୍ଚ୍ଚ ହେଉ ନଥିବାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଟଙ୍କାଟିଏ ଆସି ନାହିଁ। ୨୦୧୫-୧୬ରେ ସ୍ମାର୍ଟସିଟିକୁ ମାତ୍ର ୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୬-୨୦୧୭ରେ ଏହି ଅର୍ଥ ବଢ଼ି ୧୫୦ କୋଟି, ୨୦୧୭-୧୮ରେ ୨୨୪ କୋଟି ମଞ୍ଜୁର ହୋଇଥିଲା। ଏମିତି ମୋଟ ୩୭୬ କୋଟି ଟଙ୍କା ମଞ୍ଜୁରି ହୋଇଛି। ଏଥିରେ ରହିଛି ରାଜ୍ୟ ସରକାରଙ୍କର ୧୮୮ ଓ କେନ୍ଦ୍ର ସରକାରଙ୍କ ୧୮୮ କୋଟି ଟଙ୍କା। ଖର୍ଚ୍ଚ ନ ହୋଇପାରିବାରୁ ଏବେ ସୁଦ୍ଧା ୩୫୦ କ‌ୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କରେ ପଡିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ପ୍ରକଳ୍ପ ତ ଆଗେଇ ନାହିଁ କିନ୍ତୁ ଅଧକାରୀ ଓ କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇ ସାରିଲାଣି ପାଖାପାଖି ୫ କୋଟିରୁ ଅଧିକ। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ (ଆର୍‌ଏସ୍‌ସିଏଲ୍‌)ରେ କାର୍ଯ୍ୟ କରୁଛନ୍ତି ୧୧ ଜଣ ଅଧିକାରୀ ଓ କର୍ମଚାରୀ। ଏମାନଙ୍କ ଦରମା ୩୭ ହଜାର ୫୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୧୭-୧୮ରେ ଦରମା ବାବଦରେ ୫୦ ଲକ୍ଷ, ୨୦୧୮-୨୯ରେ ୧ କୋଟି ୩୦ ଲକ୍ଷ, ୨୦୧୯-୨୦ରେ ୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ବିଡମ୍ବନା, ସହରରେ ଯେତେଗୁଡିଏ କାର୍ଯ୍ୟ ଚାଲିଛି ସବୁ କିଛି ନୀତିନିୟମ ଅନୁସାରେ ହେଉ ନାହିଁ।

ସମ୍ବନ୍ଧିତ ଖବର