ସ୍ମାର୍ଟସିଟି ଖାଲି ସ୍ୱପ୍ନ ଦେଖାଉଛି

ଅଧା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିଛି, ତେଣୁ ୨ ବର୍ଷ ହେଲା ଟଙ୍କାଟିଏ ଆସିନି

ଦରମା ଲକ୍ଷ ଲକ୍ଷ, କାମ ଶୂନ, ତଥ୍ୟ ଲୁଚାଉଛନ୍ତି ଅଧିକାରୀ

ରାଉରକେଲା : ନାଁକୁ ମାତ୍ର ରାଉରକେଲା ସ୍ମାର୍ଟସିଟି। ହନୁମାନବାଟିକା ଛକ ରିଂ ରୋର୍ଡ ପାର୍ଶ୍ବର ‘ଆଇ ଲଭ୍ ରାଉରକେଲା’ ସେଲ୍‌ଫି ପଏଣ୍ଟ ଓ ଝଲମଲ ଆଲୋକ। ତେବେ ହନୁମାନବାଟିକାରୁ ସାରଣା ଛକ ଭିତରେ ମାତ୍ର ଦେଢ଼ କିଲୋମିଟର ରାସ୍ତା ପାର୍ଶ୍ବର ସୌନ୍ଦର୍ଯ୍ୟକରଣରେ ସୀମିତ ସହରର ବିକାଶ। ସହର ଭିତରର ଚିତ୍ର ସମ୍ପୂର୍ଣ୍ଣ ଓଲଟା। ବର୍ଷ ବର୍ଷ ଧରି ଅଧପନ୍ତରିଆ ରାସ୍ତା କାମ ଶେଷ ‌ହେଉନି। ବର୍ଷା ହେଲେ ରାସ୍ତା ପଚପଚ। ଖରା ହେଲେ ଧୂଳିରେ ପ୍ରଦୂଷିତ। କିନ୍ତୁ ସ୍ମାର୍ଟସିଟି ବିଭାଗୀୟ ଅଧିକାରୀ କାମ ଜୋର୍‌ସୋର୍‌ରେ ଚାଲିଛି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। ସେପଟେ କାମରେ ଅଗ୍ରଗତିକୁ ନେଇ କେତେବେଳେ ସମୀକ୍ଷା ବୈଠକ ହେଉଛି କେହି ଜାଣି ପାରୁ ନାହାନ୍ତି। ସ୍ମାର୍ଟସିଟିର ବିଭିନ୍ନ ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସମାନ ପାଣ୍ଠି ଦେଇଥିଲେ ହେଁ କାମରେ ଅଗ୍ରଗତି ନହେବା ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ଓ ସାଂସଦ ଥରୁଟିଏ ମୁହଁ ଖୋଲୁ ନାହାନ୍ତି। ଏହାର ଫାଇଦା ଉଠାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ସ୍ମାର୍ଟସିଟିର ଅଧିକାରୀ ଓ କନ୍‌ସଲଟାନ୍ସି କମ୍ପାନୀର କର୍ମଚାରୀ। ଦରମା ବାବଦକୁ ଇତିମଧ୍ୟରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କେବଳ ଭଡା କାର ବୁଲାରେ ମାସକୁ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ପ୍ରକଳ୍ପଗୁଡ଼ିକ କିନ୍ତୁ ଆଗେଇ ପାରୁନି।

‌କର୍ତ୍ତୃପକ୍ଷ ନାଁରେ ସହରବାସୀଙ୍କୁ କେବଳ ସ୍ବପ୍ନ ପରେ ସ୍ବପ୍ନ ଦେଖାଇ ଚାଲିଛନ୍ତି। କିନ୍ତୁ ବିଶେଷ କିଛି ହେଉନାହିଁ। ଯେଉଁ କେତୋଟି ପ୍ରକଳ୍ପର କାମ ସରିଛି, ସେଥିରୁ ଦୁର୍ନୀତିର ଗନ୍ଧ ବାହାରୁଛି। ଉଦାହରଣ ଭାବେ ସ୍ମାର୍ଟସିଟିର ୬ଟି ପାର୍କକୁ ନିଆଇଯାଇ ପାରେ। ୬ଟି ପାର୍କର ସୌନ୍ଦର୍ଯ୍ୟକରଣ ବାବଦରେ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି। ତେବେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଏସବୁରେ ପୂର୍ବରୁ କାମ କରିଥିଲା। ତା’ପରେ ସ୍ମାର୍ଟସିଟି ଦ୍ବାରା ସେହି ପାର୍କଗୁଡ଼ିକରେ କି ସୌନ୍ଦର୍ଯ୍ୟକରଣ କାମ ହୋଇଛି, ଦେଖିଲେ ବି ଜଣା ପଡୁନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି, କି କାମ ହୋଇଛି, ତା’ର ତଥ୍ୟ ବିଭାଗ ମାଗିଲେ ବି ଦେଉନାହିଁ। ମାମଲାକୁ ଲୁଚାଇବାଲାଗି ଏହି ପ୍ରୟାସରୁ ଦୁର୍ନୀତିର ସନ୍ଦେହ ଆହୁରି ଦୃଢ଼ ହେଉଛି। ସୂଚନାଯୋଗ୍ୟ ଯେ ସିଭିଲଟାଉନସିପ୍‌ ରୋଟାରୀ -୧, ରୋଟାରୀ -୨ ଓ ଏଡିଏମ୍‌ ଅଫିସ୍‌ ସମ୍ମୁଖ ପାର୍କରେ ମୋଟ୍‌ ୨ କୋଟି ୬୩ ଲକ୍ଷ, ଆର୍‌ଏମ୍‌ସି ସମ୍ମୁଖ ନେତାଜୀ ସୁବାସ ବୋଷ ପାର୍କରେ ୨ କୋଟି ୫୭ ଲକ୍ଷ, ସିଭିଲଟାଉନସିପ୍‌ ମଧୁସୂଦନ ପାର୍କରେ ୬୫ ଲକ୍ଷ ଓ ସଞ୍ଜିବନୀ ପାର୍କ6ରେ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କୁହା ଯାଉଛି। କିନ୍ତୁ ସଦ୍ୟ କାମ ହୋଇଛି ବୋଲି ଦାବି କରା ଯାଉଥିବା ଏହି ପାର୍କଗୁଡ଼ିକର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇଥିବା ଜଣା ପଡୁନାହିଁ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ସ୍ମାର୍ଟସିଟି ଦ୍ବାରା ଚାଲିଥିବା ମାଳ ମାଳ ପ୍ରକଳ୍ପ ସରୁନାହିଁ। କେବେ ସରିବ, ବିଭାଗୀୟ ଅଧିକାରୀଙ୍କ ପାଖରେ କୌଣସି ଉତ୍ତର ନାହିଁ। କାମ ସରୁ ନଥିବାରୁ ବିନିଯୋଗ ପତ୍ର (ୟୁସି) ଦିଆଯାଇପାରୁନି। ଫଳରେ ୨୦୧୮-୧୯ ଓ ୨୦୧୯-୨୦୨୦ରେ ସ୍ମାର୍ଟ ସିଟି ପାଣ୍ଠିକୁ ଟଙ୍କାଟିଏ ଆସି ନାହିଁ। ତେବେ ପୂର୍ବ ୩ ବର୍ଷରେ ଯାହା ବି ଅର୍ଥ ମଞ୍ଜୁର ହୋଇଥିଲା, ସେଥିରୁ ମଧ୍ୟ ୫୦% ଖର୍ଚ୍ଚ ହୋଇନାହିଁ। କିନ୍ତୁ ମାଳ ମାଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି। ‌କେଉଁ ପ୍ରକଳ୍ପର କାମ ଚାଲିଛି ତ ଅନ୍ୟ ‌କେଉଁ ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ। ଏଥିମଧ୍ୟରେ ଅଛି ୪୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ପାନପୋଷ ଏନ୍‌ଏସି ମାର୍କେଟ। ପୁରୁଣା ମାର୍କେଟ ଭଙ୍ଗା ହେବାକୁ ବର୍ଷେ ବିତିଲାଣି। କିନ୍ତୁ ତା’ପରେ ଅଦ୍ୟାବଧି ମାତ୍ର ୧୦ % କାମ ମଧ୍ୟ ହୋଇନାହିଁ। ଉଲ୍ଲେଖନୀୟ ଯେ ରାଉରକେଲା ସ୍ମାର୍ଟସିଟି ପାଇଁ ୨୦୧୫-୧୬ରେ ୨ କୋଟି, ୨୦୧୬-୧୭ରେ ୧୫୦ କୋଟି ଓ ୨୦୧୭-୧୮ରେ ୨୨୪ କୋଟି ଏମିତି ୩ ବର୍ଷରେ ମୋଟ୍‌ ୩୭୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଥିଲା ରାଜ୍ୟ ସରକାରଙ୍କର ୧୮୮ କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କର ମଧ୍ୟ ୧୮୮ କୋଟି ଟଙ୍କା। ତା’ ଭିତରୁ ଖର୍ଚ୍ଚ ନହୋଇ ୧୩୬ କୋଟି ୩ ଲକ୍ଷ ଟଙ୍କା ୩ଟି ବ୍ୟାଙ୍କରେ ଜମା ରଖାଯାଇଛି। ଏହାର ସୁଧ ହେଲାଣି ୯୨ କୋଟି ୨୧ ଲକ୍ଷ ଟଙ୍କା। ଏହିପରି ମୋଟ୍‌ ୨୨୮ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ବ୍ୟାଙ୍କରେ ପଡିଛି। କିନ୍ତୁ ଘୋଷଣାର ୫ ବର୍ଷ ପରେ ମଧ୍ୟ ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ତଥାପି ଆଣ୍ଠେଇଛି।

ସମ୍ବନ୍ଧିତ ଖବର