କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍‌ : ୯ଟି ବିଦ୍ୟାଳୟର ୧୮୪ କ୍ଲାସରୁମ୍‌‌ ହେବ ସାମିଲ

ସୁନ୍ଦରଗଡ଼ର କୁତ୍ରା ଓ କଟକର ମୁଣ୍ଡୁଳିରେ ସ୍ଥାୟୀ ବିଦ୍ୟାଳୟ ଗୃହ

ଭୁବନେଶ୍ବର : ୧୨୦୦ କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ଗଠିତ ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଧୀନରେ ଥିବା ଏହି ସଙ୍ଗଠନର ଭୁବନେଶ୍ବର ଜୋନ୍‌ରେ ୬୧ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ଲକ୍ଷ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ‌ପ୍ରୋତ୍ସାହନରେ କଟକର ୨ଟି, ଭୁବନେଶ୍ବରର ୬ ଓ ଖୋର୍ଧାରେ ଗୋଟିଏ ; ଏହିପରି ଭାବେ ମୋଟ ୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ଟି ଶ୍ରେଣୀଗୃହକୁ ସ୍ମାର୍ଟ କ୍ଲାସରୁମ୍‌ରେ ପରିଣତ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶରେ ସୁଗମ ଶିକ୍ଷାଦାନ ପାଇଁ ଏହି ସ୍ମାର୍ଟକ୍ଲାସ ରୁମ୍‌ଗୁଡ଼ିକରେ ମଲଟିମିଡିଆ ପ୍ରୋଜେକ୍ଟର, ୱେବ୍‌ଷ୍ଟ୍ରିମି˚ ଡିଭାଇସ୍‌, ଆପଲ୍‌ ଆଇପ୍ୟାଡ୍‌ର ସୁବିଧା ରହିବ। ଏହାଦ୍ବାରା ୧୨ହଜାର ୩୦୦ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିସହ ମନ୍ତ୍ରାଳୟ ପକ୍ଷରୁ ଦେଶରେ ଆହୁରି ୨୦୦ଟି ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା ହେବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଏହି ସ୍ମାର୍ଟ କ୍ଲାସରୁମ୍‌ ବ୍ୟବସ୍ଥାକୁ ଉଦ୍‌ଘାଟନ କରି କହିଲେ, ଶିକ୍ଷା ବ୍ୟବସ୍ଥାରେ ଭୁବନେଶ୍ବର ପାଇଁ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଗତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ-୫ର ନୂତନ ଭବନର ଲୋକାର୍ପଣ ଉତ୍ସବରେ ସ୍ମାର୍ଟ କ୍ଲାସରୁମ୍‌ର ପରିକଳ୍ପନା କରାଯାଇଥିଲା। ସ୍ମାର୍ଟ କ୍ଲାସରୁମ୍‌ ଦ୍ବାରା କେବଳ ପାଠ୍ୟକ୍ରମ ନୁହେଁ, ନୂଆ ନୂଆ ପ୍ରସଙ୍ଗକୁ ଏଥିରେ ଯୋଡ଼ା ଯାଇପାରିବ। ଏଥିପାଇଁ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରାଥମିକ ଅବସ୍ଥାରେ ୩୨ଟି କ୍ଲାସରୁମ୍‌ ସ୍ମାର୍ଟ କରାଯିବ। ଖୁବ୍‌ଶୀଘ୍ର ସମସ୍ତ ୧୮୪ଟି କ୍ଲାସରୁମ୍‌ ସ୍ମାର୍ଟ ହେବ। ଛୋଟ ପିଲାଙ୍କୁ ବୈଜ୍ଞାନିକ, ଆଧୁନିକ ଶିକ୍ଷା ଓ ସାମ୍ପ୍ରତିକ ଶିକ୍ଷା ସହ ଯୋଡ଼ିବାକୁ ଏଭଳି ଏକ ସଫଳ ପ୍ରୟାସ କରାଯାଇଛି ବୋଲି ସେ କହିଥିଲେ।

ଏଥିସହ ସୁନ୍ଦରଗଡ଼ର କୁତ୍ରାଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ବିଦ୍ୟାଳୟ ଗୃହ ନିର୍ମାଣ ହେବ। ୧୦ ଏକର ପରିମିତ ଜାଗାରେ ୧୩ କୋଟି ୧୦ ଲକ୍ଷ ଟଙ୍କାରେ ହେବାକୁ ଥିବା ଏହି ନୂତନ ବିଦ୍ୟାଳୟରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ। ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହେବେ। ସେହିପରି କଟକ ମୁଣ୍ତୁଳିଠାରେ ୮ ଏକର ପରିମିତ ଜମିରେ ୨୦ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ସ୍ଥାୟୀ ବିଦ୍ୟାଳୟ ଗୃହ ନିର୍ମାଣ ହେବାକୁ ଯାଉଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେବ। ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

ସମ୍ବନ୍ଧିତ ଖବର