ରାଜାମୁଣ୍ତା: ସ୍ମାର୍ଟ୍ କ୍ଲାସ୍‌ରୁମ ତଳେ ଢଙ୍କାଯାଇଛି ପଲିଥିନ। ଛାତରୁ ଗଳୁଛି ଟପ୍‌ ଟପ୍‌ ପାଣି। ଶ୍ରେଣୀଗୃହ ଅଭାବ ଯୋଗୁ ବର୍ଷାଦିନରେ ବାରଣ୍ଡାରେ ଚାଲିଛି ପାଠପଢ଼ା। ବିଦ୍ୟାଳୟରେ ପଡ଼ି ରହିଛି ଆକ୍ବାଗାର୍ଡ କିନ୍ତୁ ଛାତ୍ରଛାତ୍ରୀଙ୍କୁ ମିଳୁନି ସ୍ବଚ୍ଛ ପାନୀୟ ଜଳ। ଶୌଚାଳୟ ଛାତରୁ ମଧ୍ୟ ପାଣି ଗଳୁଛି। ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଖଣି ପ୍ରଭାବିତ ଅଞ୍ଚଳ ଲହୁଣିପଡ଼ା ବ୍ଲକ୍‌ ଶଶ୍ୟକଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

Advertisment

୧୯୬୭ରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତମାନ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୨ ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଶିକ୍ଷାଦାନ ପାଇଁ ୫ ଜଣ ରେଗୁଲାର ଏବଂ ୨ ଜଣ ପିଡିସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଶାଇ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ୨ ଟି ଶ୍ରେଣୀଗୃହର ଛାତର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଛାତରୁ ଲୁହାରଡ଼ ଦେଖାଯିବା ସହ କଂକ୍ରିଟ ଖଣ୍ତ ଖସୁଛି। କେତେବେଳେ ଗଳି ପଡ଼ିବା ଆଶଙ୍କା ରହିଛି। ରୁପାନ୍ତର ଯୋଜନା ମାଧ୍ୟମରେ ୨ ଟି ଶ୍ରେଣୀଗୃହକୁ ସ୍ମାର୍ଟ କ୍ଲାସ ରୁମରେ ରୂପାନ୍ତର କରାଯାଇଛି। ରୂପାନ୍ତର ହୋଇଥିବା ଶ୍ରେଣୀଗୃହରୁ ମଧ୍ୟ ପାଣି ଗଳୁଛି। ସ୍ମାର୍ଟ ଶ୍ରେଣୀଗୃହର ଅନେକ ସ୍ମାର୍ଟ ଯନ୍ତ୍ରାଂଶ ରହିଥିବାରୁ ବିଦ୍ୟାଳୟ କର୍ତୃପକ୍ଷ ବାଧ୍ୟ ହୋଇ ଛାତ ତଳେ ଜରି ପାଲ ବାନ୍ଧିଛନ୍ତି। ବିଦ୍ୟାଳୟର ଅଫିସ ଗୃହ ନଥିବାରୁ ଉକ୍ତ ଗୃହକୁ ଅଫିସଗୃହ ଭାବେ ବ୍ୟବହାର କରାଯିବା ସହ ବିଭିନ୍ନ ଆବଶ୍ୟକ ସରଞ୍ଜାମ ରଖାଯାଇଛି। ଆଉ ଏକ ରୂପାନ୍ତର ଶ୍ରେଣୀଗୃହ କାନ୍ଥରୁ ମଧ୍ୟ ପାଣି ଝରି କାନ୍ଥରେ ଲାଗିଥିବା ଦରକାରୀ କାଗଜପତ୍ର ସବୁ ଓଦା ହୋଇଯାଉଛି।

ଲଗାଣ ବର୍ଷାରେ ଛାତରୁ ପାଣି ଗଳିବାର ସମ୍ଭାବନା ଦେଖାଯାଉଛି। ଗୋଟିଏ ଶ୍ରେଣୀଗୃହରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପଢ଼ିବା ସମ୍ଭବପର ନହେବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କୁ ବର୍ଷା ହେଲେ ବି ବସିବାକୁ ପଡୁଛି। ଜାଗା ଅଭାବ ଯୋଗୁ ବେଳେବେଳେ ୩୦ ବର୍ଷରୁ ପୁରୁଣା ଆଜବେଷ୍ଟସ୍‌ ଘରେ ମଧ୍ୟ ଶିକ୍ଷାଦାନ କରାଯାଉଛି। ରୋଷେଇ ଘର ଅବସ୍ଥା ମଧ୍ୟ ସମାନ। ବର୍ଷା ହେଲେ ପାଲ ଟାଣି ରୋଷେଇ କରିବାକୁ ପଡୁଛି। ୨୦୨୧ ମସିହାରେ ତିଆରି ହୋଇଥିବା ‌ଶୌଚାଳୟ ଛାତରୁ ମଧ୍ୟ ପାଣି ଗଳୁଛି। ଗୋଟିଏ ନଳକୂପ ଦୂଷିତ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଦ୍ବିତୀୟ ନଳକୂପର ପାଣିକୁ ଟାଙ୍କିକୁ ଉଠାଯାଉଛି ସତ ହେଲେ ତାହା ମଧ୍ୟ ଦୁର୍ଗନ୍ଧଯୁକ୍ତ। ତାପରେ ବି ସେହି ପାଣିକୁ ବର୍ଷ ବର୍ଷ ଧରି ବ୍ୟବହାର ହୋଇ ଆସୁଛି। ଶୁଦ୍ଧ ପାଣି ଯୋଗାଇବା ପାଇଁ ଦେଢ ବର୍ଷ ତଳେ ଆଉ ଗୋଟିଏ ନଳକୂପ ମଧ୍ୟ ଖୋଳାଯାଇଛି। ଆକ୍ବାଗାର୍ଡ ମଧ୍ୟ ବିଦ୍ୟାଳୟରେ ରଖାଯାଇଛି। ମାତ୍ର ତାହା ସଂଯୋଗ ହୋଇନି। ଫଳରେ ପିଲାଙ୍କୁ ବର୍ଷ ବର୍ଷ ଧରି ଦୁର୍ଗନ୍ଧଯୁକ୍ତ ପାଣି ବ୍ୟବହାର କରିବାକୁ ପଡୁଛି। ବିଦ୍ୟାଳୟ ପରିସରରେ ଓଡ଼ିଶା ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ସହାୟତାରେ ଶଶ୍ୟକଳା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ ଉନ୍ନତୀକରଣ ବୋର୍ଡ ଲାଗି କାର୍ଯ୍ୟାରମ୍ଭ ତାରିଖ ୮/୧୨/୨୧ ଏବଂ କାର୍ଯ୍ୟଶେଷ ତାରିଖ ୭/୬/୨୩ ବୋଲି ଲେଖାଯାଇଛି। ମାତ୍ର ଅନ୍ୟପଟରେ ଛାତ୍ରଛାତ୍ରୀ ବାରଣ୍ତାରେ ପାଠ ପଢୁଛନ୍ତି। ଏହା ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଧୀନରେ ଆସୁଛି। ଏସୁବୁ ସତ୍ବେ ବିଦ୍ୟାଳୟ ସମସ୍ୟା ପ୍ରତି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ନ ପଡ଼ିବା ସାଧାରଣରେ ଚକିତ କରିଛି।