ଭୁବନେଶ୍ବର : ପାଖାପାଖି ୮ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧୩୫ଟି ସ୍ମାର୍ଟ କ୍ଲାସ୍ ରୁମ୍(ଭର୍ଚୁଆଲ କ୍ଲାସରୁମ୍) ଖୋଲିଥିଲା। ଲକ୍ଷ୍ୟ ଥିଲା ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା। ୨୦୧୯-୨୦ ଶିକ୍ଷାବର୍ଷରୁ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ ଶିକ୍ଷାଦାନ କରିବାକୁ ବି ନିଷ୍ପତ୍ତି ନିଆଯାଇଥିଲା। ଏବେ ଅଧା ବାଟରେ ଅଣ୍ଠେଇଛି ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ରକଳ୍ପ। ଅର୍ଥ ଖର୍ଚ୍ଚ ହୋଇଛି ସତ। ହେଲେ କ୍ଲାସ ରୁମ୍ରେ ତାଲା ପଡ଼ି ରହିଛି। କ୍ଲାସ୍ ହେଉନି କି ପିଲା ପଢ଼ୁନାହାନ୍ତି।
ଏମିତିକି ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ କଲେଜକୁ ଗସ୍ତ କରିବା ସମୟରେ ବି ସମାନ ଦୃଶ୍ୟ ଦେଖିବାକୁ ପାଇଛନ୍ତି। କେଉଁଠି କ୍ଲାସରୁମ୍ରେ ଲାଗିଥିବା ଅତ୍ୟାଧୁନିକ ସାମଗ୍ରୀରୁ ଏଯାଏ ଜରି ଖୋଲିନି ତ ଆଉ କେଉଁଠି କ୍ଲାସରୁମ୍ରେ ଚେୟାର ବେଞ୍ଚ୍ ନାହିଁ। ଅତ୍ୟାଧୁନିକ ବ୍ୟବସ୍ଥା ହୋଇଥିବାରୁ ପିଲାମାନେ ତାହାକୁ ନଷ୍ଟ କରିଦେବାର ଭୟରେ ଅଧ୍ୟକ୍ଷମାନେ କ୍ଲାସରୁମ୍ ଖୋଲୁ ନ ଥିବା ବି ଦୃଷ୍ଟିକୁ ଆସିଛି। ଗତ ୩ ମାସ ଧରି ଅଧିକାରୀମାନେ ତଦାରଖ କରିବା ପରେ ଏଭଳି ଚିତ୍ର ପଦାକୁ ଆସିଛି। ଯେଉଁଥିପାଇଁ ଗତ ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁଳପତିମାନଙ୍କୁ ନିର୍ଦେଶ ଦେଇଥିଲେ। ସପ୍ତାହକ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସରୁମ୍କୁ କାର୍ଯ୍ୟକ୍ଷମ କରିବା ସହ ଅଧ୍ୟାପକମାନେ ସପ୍ତାହକୁ ଗୋଟିଏ ଦିନ ଉକ୍ତ ରୁମ୍ରେ ପଢ଼ାଇବା ବାଧ୍ୟତାମୂଳକ କରିବା ନେଇ ଆଲୋଚନା ହୋଇଥିଲା। ଏବେ ତାହାକୁ କଡ଼ାକଡ଼ି ପାଳନ କରିବାକୁ ସଚିବ ଶ୍ରୀ ମିଶ୍ର ସମସ୍ତ ୧୦୧ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ କଲେଜର ସମସ୍ତ ଅଧ୍ୟାପକ(ଅତିଥି ଓ ଆଡହକ୍ ଅଧ୍ୟାପକଙ୍କୁ ମିଶାଇ)ମାନେ ମାସକୁ ଅତି କମ୍ରେ ଗୋଟିଏ ଦିନ ଭର୍ଚୁଆଲ କ୍ଲାସରୁମ୍ରେ ପିଲାଙ୍କୁ ପଢ଼ାଇବେ। କ୍ଲାସ ରୁମ୍ରେ ଲାଗିଥିବା ସାମଗ୍ରୀକୁ ବ୍ୟବହାର କରିବେ। କେଉଁ ଅଧ୍ୟାପକ କେବେ ଭର୍ଚୁଆଲ କ୍ଲାସ କଲେ ସେନେଇ ଏକ ରେଜିଷ୍ଟରରେ ଉଲ୍ଲେଖ କରାଯିବ। ସ୍ବାଭାବିକ ଭାବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନିଆଯିବ। ପ୍ରତି କଲେଜ ତିନି ମାସରେ ଥରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ତଥ୍ୟ ଦାଖଲ କରିବେ। କେଉଁ ଦିନ କେଉଁ କ୍ଲାସ କରାଗଲା, ବିଷୟବସ୍ତୁ କ’ଣ ଥିଲା, କ୍ଲାସରେ କେତେ ପିଲା ଉପସ୍ଥିତ ଥିଲେ ସେସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିବ। ୨୦୨୦ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରଥମ ରିପୋର୍ଟ ପ୍ରଦାନ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।
ସୂଚନା ଅନୁଯାୟୀ ୧୦୧ଟି ମହାବିଦ୍ୟାଳୟରେ ୧୩୫ଟି ଭର୍ଚୁଆଲ କ୍ଲାସରୁମ୍ ଖୋଲାଯାଇଛି। ଟେଲିକମ୍ୟୁନିକେସନ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍(ଟିସିଆଇଏଲ୍) ସହାୟତାରେ ରାଜ୍ୟ ସରକାର ପ୍ରତି କ୍ଲାସରୁମ୍ ଲାଗି ୫ ଲକ୍ଷ ୮୮ ହଜାର ୫୨୫ ଟଙ୍କା ଲେଖାଏ ଖର୍ଚ୍ଚ କରିଛନ୍ତି। ସରକାରୀ କଲେଜଗୁଡ଼ିକ ମଧ୍ୟରୁ ଅନୁଗୁଳ ସରକାରୀ କଲେଜ, ବାଲେଶ୍ବରର ଫକୀରମୋହନ କଲେଜ, ଭଦ୍ରକ କଲେଜ, ବଲାଙ୍ଗୀରର ରାଜେନ୍ଦ୍ର କଲେଜ, କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ କଲେଜ, ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜ, ବ୍ରହ୍ମପୁରର ଖଲ୍ଲିକୋଟ କଲେଜ, ଯାଜପୁରର ନରସିଂହ ଚୌଧୁରୀ କଲେଜ, ଭବାନୀପାଟଣା ସରକାରୀ କଲେଜ, ଫୁଲବାଣୀ ସରକାରୀ କଲେଜ, କେନ୍ଦୁଝରର ଧରଣୀଧର କଲେଜ, ଭୁବନେଶ୍ବରର ବିଜେବି କଲେଜ, ଜୟପୁରର ବିକ୍ରମ ଦେବ କଲେଜ, ମୟୂରଭଞ୍ଜର ଏମ୍ପିସି କଲେଜ, ପୁରୀର ଏସ୍ସିଏସ୍ କଲେଜ ଓ ରାଉରକେଲା ସରକାରୀ କଲେଜରେ ଦୁଇଟି ଲେଖାଏ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା ହୋଇଛି। ଏଥିସହ ୧୭ଟି ବେସରକାରୀ କଲେଜରେ ବି ଦୁଇଟି ଲେଖାଏ ସ୍ମାର୍ଟ କ୍ଲାସରୁମ୍ କରାଯାଇଛି।