ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି। ଭିଡିଓ କନ୍ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲାରେ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରାଯାଇଛି।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଦେବଗଡ଼ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଓ ଏହା ଓଡ଼ିଶା ପାଇଁ ପ୍ରକୃତିର ଏକ ବରଦାନ। ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ। ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ନଜରରେ ରଖି ରାଜ୍ୟ ସରକାର ଦେବଗଡ଼ରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ। ତିନିଟି ମେଗା ପାଇପ୍ ପାଣି ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ସମସ୍ତ ତିନିଟି ବ୍ଲକ୍କୁ ପାଣିର ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୌରାଞ୍ଚଳ ପାଇଁ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଥିଲେ। ଏହା ସହିତ ଦେବଗଡରେ ତିନିଶହ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ରଖିଥିଲେ। ଏଥି ପାଇଁ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ। ସ୍ଥାନୀୟ ଇନ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୭୮ ହଜାର ୬୧୫ କାର୍ଡ ବଣ୍ଟନ କରାଯିବ। କାର୍ଯ୍ୟକ୍ରମରେ ବିଏସ୍କେୱାଇ ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯିବା ସହ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ରଥକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।