କଟକ : ରାଜ୍ୟର ୧୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରେ ଆଜିଠାରୁ ସ୍ମାର୍ଟ୍ କ୍ୟୁ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ ପ୍ରଚଳନ ହୋଇଛି। ଏହାଦ୍ବାରା ବିଭିନ୍ନ କାମ ପାଇଁ ଆର୍ଟିଓ ଅଫିସ୍ ଆସୁଥିବା ଲୋକଙ୍କୁ ଭିଡ଼ ଭିତରେ ଧାଡ଼ି ବାନ୍ଧି ଠିଆ ହେବାକୁ ପଡିବ ନାହିଁ। ସେମାନଙ୍କୁ ଡିଜିଟାଲ୍ ସେବା ମାଧ୍ୟମରେ ସେବା ଯୋଗାଇ ଦିଆଯିବ। ଏହାଦ୍ବାରା ଲୋକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବ୍ କମ୍ ସମୟ ମଧ୍ୟରେ ସେବା ମିଳିଯିବ। ୫-ଟି ଅଧୀନରେ ଜନସେବାରେ ପରିବହନ ବିଭାଗ ସଫଳତାର ଏହା ଆଉ ଏକ ଫର୍ଦ୍ଦ ବୋଲି ଅଧିକାରୀ କହିଛନ୍ତି।
ଏହି ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ ୧୫ଟି ଆର୍ଟିଓରେ ପ୍ରବର୍ତ୍ତନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨.୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅବଶିଷ୍ଟ ୧୩ଟି ଆର୍ଟିଓରେ ଏହି କାର୍ଯ୍ୟ ଚାଲିଛି। ଆଜିଠାରୁ ଏହି ସେବା ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଗଂଜାମ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ଢେଙ୍କାନାଳ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା, ଦେଓଗଡ଼ ଓ ସୋନପୁର ଆର୍ଟିଓରେ କାର୍ଯ୍ୟକ୍ଷମ ହୋଇଛି। ଖୁବ୍ଶୀଘ୍ର ଖୋର୍ଦ୍ଧା, ନୟାଗଡ଼, ବଡ଼ବିଲ୍, ବାରିପଦା, ରାଇରଙ୍ଗପୁର, କୋରାପୁଟ, କଟକ, ଭୁବନେଶ୍ବର-୨, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ଯାଜପୁର, ଚଣ୍ଡୀଖୋଲ, ତାଳଚେର, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା, ଫୁଲବାଣୀ ଓ ନବରଙ୍ଗପୁର ଆର୍ଟିଓରେ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି। ସୂଚନା ମୁତାବକ, ଏହି ସେବାରେ ଆର୍ଟିଓ ଆସୁଥିବା ଗ୍ରାହକମାନେ ଧାଡ଼ିରେ ଛିଡ଼ା ହେବାର କଷ୍ଟରୁ ମୁକ୍ତି ପାଇବେ। ଲାଇସେନ୍ସ ପ୍ରଦାନ, ଯାନ ପଞ୍ଜୀକରଣ, ଟିକସ ଦେୟ ଇତ୍ୟାଦି ପ୍ରକ୍ରିୟାକୁ ଏହି ବ୍ୟବସ୍ଥା ଅଧିକ ସରଳ ଏବଂ ତ୍ବରିତ କରିବ ବୋଲି ଅତିରିକ୍ତ କମିସନର୍ ପରିବହନ (ବୈଷୟିକ) ଧନଞ୍ଜୟ ସେନାପତି କହିଛନ୍ତି। ଏହି ସେବାରେ ଆବେଦନକାରୀଙ୍କୁ ଏକ ଟୋକନ୍ ଦିଆଯିବ। ଏଥିପାଇଁ ନାଗରିକ ଧାଡ଼ିରେ ଠିଆହେବାର ଆବଶ୍ୟକତା ରହିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/rto.jpg)