ଏମିତି ହେଉଛି ସହରର ବିକାଶ: ଅଧପନ୍ତରିଆ ସ୍ୱରେଜ ପାଇପ ଉପରେ ସ୍ମାର୍ଟ ରାସ୍ତା

ଦୁଇ ବିଭାଗ ମଧ୍ୟରେ ରହୁନି ସମନ୍ବୟ

ରାଉରକେଲା : ରାଜ୍ୟରେ ଦ୍ବିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି ଇସ୍ପାତ ସହର ରାଉରକେଲା। ଚାଲିଛି କୋଟି କୋଟି ଟଙ୍କାର ବିକାଶମୂଳକ କାମ। କିନ୍ତୁ ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ବରବାଦ୍‌ ହେଉଛି ସରକାରଙ୍କ କୋଟି କୋଟି କୋଟି ଟଙ୍କା। ଗୋଟିଏ ସ୍ଥାନରେ ଥରେ କି ଦୁଇ ଥର ନୁହେଁ ଏକାଧିକ ବାର କାମ କରି କେବଳ ଠିକାଦାର ପୋଷା ଯାଉଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ପାନପୋଷ ଗାନ୍ଧିଛକରୁ ଉଦିତନଗର ଆମ୍ବେଦକର ଛକ ସ୍ମାର୍ଟ ସିଟି ରୋଡ।

ମାତ୍ର ୩.୭ କି.ମି. ରାସ୍ତା ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ନାଁରେ ଥରେ ନୁହେଁ ଦୁଇ ଦୁଇ ଅର୍ଥ ମଞ୍ଜୁରି ହେଲାଣି। ସ୍ମାର୍ଟ ସିଟି ରାସ୍ତା କାମ କରିବା ପୂର୍ବରୁ ଆର୍‌ଆଣ୍ଡ ବି ପକ୍ଷରୁ ୧୩ ସମ୍ପ୍ରସାରଣ ଓ ମରାମତିରେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ ସ୍ମାର୍ଟ ସିଟି ରାସ୍ତା ନାଁରେ ପୁଣି ଖର୍ଚ୍ଚ ହେଉଛି ୨୨ କୋଟି। ଖର୍ଚ୍ଚ କରିବାରେ ବିଭାଗୀୟ ଅଧିକାରୀ ଏମିତି ବାଉଳା ହୋଇଯାଇଛନ୍ତି ଯେ, ସ୍ବରେଜ ବୋର୍ଡ ପକ୍ଷରୁ ଚାଲିଥିବା ପାଇପ ବିଛା କାମ ଚାଲିଛି କି ନାହିଁ ଜାଣି ପାରୁ ନାହାନ୍ତି। ଯେଉଁସବୁ ସ୍ଥାନରେ ସ୍ବରେଜ ପାଇପ୍‌ ବିଛା କାମ ଅଧପନ୍ତରିଆ ‌ହୋଇ ପଡିଛି, ତା ଉପରେ ନିର୍ମାଣ ସରିଲାଣି ସ୍ମାର୍ଟ ସିଟି ରାସ୍ତା। ଆଇଟିଆଇ ତାରିଣୀ ମନ୍ଦିର ସମ୍ମୁଖରୁ ରଘୁନାଥପାଲୀ, ଏସ୍‌ଟିଆଇ ଛକରୁ ବିରଜାପାଲି ଓଭବ୍ରିଜ ଏମିତି ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଠିକାସଂସ୍ଥା ରାସ୍ତା ନିର୍ମାଣ କାମ ସାରିଦେଇଛନ୍ତି। ଆଗାମି ଦିନରେ ଏସବୁ ରାସ୍ତାକୁ ଖୋଳା ନ ହେଲେ ଉଦିତନଗର ମ୍ୟୁନିସିପାଲ କଲେଜ ଓ ପାନପୋଷ ସରକାରୀ କଲେଜ ପମ୍ପହାଉସ୍‌କୁ ମୁଖ୍ୟ ସ୍ବରେଜ ପାଇପ୍‌ ସଂଯୋଗ କରାଯାଇ ପାରିବ ନାହିଁ। ପାଇପ୍‌ ସଂଯୋଗ କାମ ନ ହେଲେ ଘର, ଦୋକାନ ଓ ବିଭିନ୍ନ କାର୍ଯ୍ୟାଳୟରୁ ନିର୍ଗତ ମଇଳା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବ।

କେବଳ ପାନପୋଷ -ଆମ୍ବେଦକର ରାସ୍ତା ନୁହେଁ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ ନିକଟ‌, ବାସନ୍ତୀ କଲୋନି ପାଣି ଟାଙ୍କି ସମ୍ମୁଖ ଓ ଛେଣ୍ଡ କନକ ମଞ୍ଜରି କଲେଜ ସମ୍ମୁଖ ରାସ୍ତାରେ ସେହି ସମାନ ସ୍ଥିତି ଉପୁଜିଛି। ଆଗାମି ଦିନରେ ନିର୍ମାଣ ସରିଥିବା ପ୍ରାୟ ଦେଢ଼ କିଲୋମିଟର ରାସ୍ତା ଖୋଳା ନ ହେଲେ ସ୍ବରେଜ ବୋର୍ଡ ପାଇପ ପିଛା କାମ ହୋଇପାରିବ ନାହିଁ। ସ୍ବରେଜ ବୋର୍ଡ କାମ ପାଇଁ ପୁଣି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ରାସ୍ତାକୁ ଖୋଳାଯିବ। ଏହା କେବଳ ଠିକାଦାରଙ୍କୁ ପୋଷିବା ପରି ମନେ ହେଉଛି। ଅନ୍ୟପଟେ ଠିକାସଂସ୍ଥା ବିଲ୍‌ ହାତେଇବା ଲକ୍ଷ୍ୟରେ ଏଭଳି କାମ କରୁଥିଲେ ହେଁ ବିଭାଗୀୟ ଅଧିକାରୀ ସେମାନଙ୍କୁ ‌ଆଦୌ ବାରଣ ନାହାନ୍ତି। କୋଟି କୋଟି କାମ ହେଉଥିଲେ ହେଁ ଉଭୟ ସ୍ବରେଜ ବୋର୍ଡ, ସ୍କାର୍ଟ ସିଟିର ଅଧିକାରୀ କିଛି ଜାଣି ନ ପାରିବା, ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସ୍ମାର୍ଟ ସିଟି କେବଳ ଗୋଟିଏ କାମ ନୁହେଁ ବିକାଶମୂଳକ କାମରେ ବିଭାଗୀୟ ଅଧିକାରୀମାନେ କେବଳ ଠିକାଦାର ପୋଷା ନୀତି ଆପଣେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ସିଟି ପକ୍ଷରୁ ଚାଲିଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ବାବଦରେ ୧୧ କୋଟି ୬ ଲକ୍ଷ , ସ୍ମାର୍ଟ ରୋଡ ଫେଜ୍‌ -୧ ରେ ୨୬ କୋଟି ୪୭ ଲକ୍ଷ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ୧୩୮ କୋଟି ୪୭ ଲକ୍ଷ, ସ୍ମାର୍ଟ ସିଟି ରୋଡ ଫେଜ୍‌ -୨ରେ ୧୨୬ କୋଟି ୪ ଲକ୍ଷ, ସ୍ମାର୍ଟ ବସ୍‌ ସେଲ୍‌ଟରରେ ୨ କୋଟି ୮୯ ଲକ୍ଷ, ପାନପୋଷ ଏନ୍‌ଏସି ମାର୍କେଟ ୪୯ କ‌ୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ବ୍ରାହ୍ମଣୀ ନଦୀ ସମ୍ମୁଖ ବିକାଶ ୪୭ ‌କୋଟି ୪ ଲକ୍ଷ, ସ୍ମାର୍ଟ ବସ୍‌ ଟର୍ମିନସ୍‌ ରେ ୮ କୋଟି, ବାସନ୍ତି ଡିଏଭି ପୋଖରୀର କାୟାକଳ୍ପ ୧୧ କୋଟି ୪୮ ଲକ୍ଷ, ଛେଣ୍ଡ ଭିଏସ୍‌ଏସ୍‌ ସାପ୍ତାହିକୀ ହାଟର ବିକାଶରେ ୨ କୋଟି ୮୧ ଲକ୍ଷ, ୨୪ ଟି ପାର୍କିଂ ପ୍ଲେସ୍‌ର ବିକାଶରେ ୧୨ କୋଟି ୨୭ ଲକ୍ଷ, ବେଦବ୍ୟାସ ଟୁରିଜିମ୍ ହବ୍‌ରେ ୧୪ କୋଟି ୯୩ ଲକ୍ଷ,ବସ୍ତିର ଆଲୋକୀକରଣ ବ୍ୟବସ୍ଥାରେ ୫ କୋଟି, କର୍ମଜୀବୀ ମହିଳା ହଷ୍ଟେଲ ୧୦ କ‌ୋଟି, ସ୍ମାର୍ଟ କ୍ଲାସ ରୁମ୍‌ ୨ କୋଟି ୮୧ ଲକ୍ଷ, ଆର୍‌ଏମ୍‌ସିର ରାସ୍ତାର ସୌନ୍ଦର୍ଯ୍ୟକରଣରେ ୫ କୋଟି ୨୨ ଲକ୍ଷ ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର