ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏମିତି ଚାଲିଛି ସ୍ମାର୍ଟସ୍କୁଲ୍ 

୨୭ ସ୍କୁଲ୍‌ରେ ୭୪ ଶିକ୍ଷକ ପଦ ଖାଲି, କେଉଁଠି କମ୍ପ୍ୟୁଟର୍‌ ଶିକ୍ଷକ ନାହାନ୍ତି, ବିନା ଶିକ୍ଷକରେ ଚାଲିଛି ପି.ଖିରିଡ଼ା ହାଇସ୍କୁଲ୍‌

ଶେରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକ୍‌ର ୫୦ ଗୋଟି ହାଇସ୍କୁଲ୍‌କୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇ ସ୍ମାର୍ଟସ୍କୁଲ୍‌ରେ ପରିଣତ କରାଗଲା। ଗତବର୍ଷ ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ ସାଂସଦ ଉଭୟ ବ୍ଲକ୍‌କୁ ଆସି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ। ଏହାସହ ସରକାର ଏହି ଯୁଗାନ୍ତକାରୀ ପଦକ୍ଷେପ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଏକ ବିରଳ ଉଦାହରଣ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହାକୁ ମଡ଼େଲ୍‌ ଭାବେ ଗ୍ରହଣ କରାଯାଇ ବର୍ତ୍ତମାନ ସାରା ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସ୍ମାର୍ଟସ୍କୁଲ୍ ନିର୍ମାଣ କାମ ଜାରି ରହିଛି।

କିନ୍ତୁ ଦୁଃଖର କଥା ହେଲା, ସ୍ମାର୍ଟସ୍କୁଲ୍‌ ନିର୍ମାଣ ହୋଇଥିଲେ ହେଁ ଏହାର ମୂଳ ଉଦ୍ଦେଶ୍ୟ ଆଜି ପର୍ଯ୍ୟନ୍ତ ସାଧିତ ହୋଇପାରୁନି। କେଉଁଠି ଶିକ୍ଷକଙ୍କ ଅଭାବ ତ ଆଉ କେଉଁଠି ଭିତ୍ତିଭୂମି ଅସଜଡ଼ା ହୋଇ ରହିଛି। ଶେରଗଡ଼ ବ୍ଲକରେ ସ୍ମାର୍ଟସ୍କୁଲ୍‌ର ଅବସ୍ଥା ଦୟନୀୟ ପାଲଟିଛି। ସବୁ ସ୍କୁଲ୍‌ରେ କମ୍ପ୍ୟୁଟର୍ ଲ୍ୟାବ୍ ଅଛି। କିନ୍ତୁ କୌଣସି କମ୍ପ୍ୟୁଟର୍ ଶିକ୍ଷକଙ୍କୁ ନିଯୁକ୍ତି ମିଳିନି। ସେହିପରି ୨୭ଟି ବିଦ୍ୟାଳୟର ୭୪ ଶିକ୍ଷକଶିକ୍ଷୟିତ୍ରୀ ପଦବି ଖାଲି ପଡ଼ିଥିବାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ କିଭଳି ଶିକ୍ଷାଦାନ ହେଉଥିବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ପି‌.ଖିରିଡ଼ା ଉଚ୍ଚବିଦ୍ୟାଳୟର ଅବସ୍ଥା ସବୁଠୁ ସାଂଘାତିକ। ଏଠାରେ ନବମ ଓ ଦଶମ ଶ୍ରେଣୀରେ ୧୫୦ ଜଣ ପଢ଼ୁଥିବା ବେଳେ ଜଣେ ମଧ୍ୟ ହାଇସ୍କୁଲ୍ ଶିକ୍ଷକଙ୍କୁ ନିଯୁକ୍ତି ମିଳିନି। ଦୁଇଜଣ ପ୍ରାଥମିକ ଶିକ୍ଷକ ଡେପୁଟେସନ୍‌ରେ ଆସି ପାଠ ପଢ଼ାଉଛନ୍ତି।

କୃଷ୍ଣଛାଇ ହାଇସ୍କୁଲ୍‌ରେ ଦୁଇ ଜଣ ବିଜ୍ଞାନ, ଦୁଇ ଜଣ କଳା, ହିନ୍ଦୀ ଓ କ୍ରୀଡ଼ା ଶିକ୍ଷକ ପଦବି ଖାଲି ପଡ଼ିଛି। ଧବଳପୁରରେ ପ୍ରଧାନଶିକ୍ଷକ ସାଙ୍ଗକୁ କଳା ଶିକ୍ଷକ, ଶେରଗଡ଼ ମହାତ୍ମାଗାନ୍ଧୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ, ଦୁଇଜଣ ବିଜ୍ଞାନ, ଦୁଇ ଜଣ କଳା ଶିକ୍ଷକ, ବରମୁଣ୍ଡଳିରେ ପ୍ରଧାନଶିକ୍ଷକ, ୨ ଜଣ ବିଜ୍ଞାନ, ହିନ୍ଦୀ, କଳା ଶିକ୍ଷକ, ପିତଳରେ ୩ ଜଣ କଳା ଶିକ୍ଷକ, କାଞ୍ଜିଆମ୍ମାରେ ଗୋଟିଏ ବିଜ୍ଞାନ, ୨ଟି କଳା ଶିକ୍ଷକ, ଗୋଠଗାଁରେ ପ୍ରଧାନଶିକ୍ଷକ ସମେତ ହିନ୍ଦୀ, ସଂସ୍କୃତ ଏବଂ ବିଜ୍ଞାନ ଶିକ୍ଷକ, ଠୁରୁବୁରାଇରେ ପ୍ରଧାନଶିକ୍ଷକ, ହିନ୍ଦୀ ଏବଂ ବିଜ୍ଞାନ ଶିକ୍ଷକ, ବନ୍ଧାଗୁଡ଼ା ଓ କୁଲାଗଡ଼ରେ ଜଣେ ଲେଖାଏଁ ଶିକ୍ଷକ, କରଡ଼ାକଣାରେ ପ୍ରଧାନଶିକ୍ଷକ, କଳା, ବିଜ୍ଞାନ ଓ ହିନ୍ଦୀ ଶିକ୍ଷଖ, କୁମାରପାଣିରେ ଜଣେ ବିଜ୍ଞାନ ଓ ଜଣେ କଳା ଶିକ୍ଷକ, ଡେଙ୍ଗାପଦରରେ ପ୍ରଧାନଶିକ୍ଷକ ସାଙ୍ଗକୁ କଳା ଓ ବିଜ୍ଞାନ ଶିକ୍ଷକ, ଧନନ୍ତରରେ ବିଜ୍ଞାନ ଶିକ୍ଷକ, ଲାଞ୍ଜିଆପଲ୍ଲୀରେ ପ୍ରଧାନ ଶିକ୍ଷକ ସମେତ ଜଣେ କ୍ରୀଡ଼ା ଓ ଜଣେ କଳା ଶିକ୍ଷକ, କୁରୁଳାରେ ୨ ଜଣ କଳା ଶିକ୍ଷକ, ଢିଙ୍କିଶାଳରେ ଦୁଇଜଣ ବିଜ୍ଞାନ ଓ ଜଣେ କଳା ଶିକ୍ଷକ,  ନରେନ୍ଦ୍ରପୁରରେ ପ୍ରଧାନଶିକ୍ଷକ ସମେତ ୨ ଜଣ କଳା ଶିକ୍ଷକ, ବ୍ରାହ୍ମଣଛାଇରେ ହିନ୍ଦୀ ଶିକ୍ଷକ, ରାମଚନ୍ଦ୍ରପୁର ବିଜ୍ଞାନ ଏବଂ ହିନ୍ଦୀ ଓ ଗୋବିନ୍ଦପୁର ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ ପଦବି ଖାଲି ପଡ଼ିଛି।

ଫଳରେ କେମିତି ଶିକ୍ଷାଦାହ ହେଉଥିବ ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିବ। ଗତକାଲି ବ୍ଲକର ସମସ୍ତ ସ୍କୁଲକୁ ନିର୍ବାଚିତ ପ୍ରତିନିଧି ଏବଂ ନେତୃବୃନ୍ଦ ବୁଲିବାକୁ ଯାଇ ବିଦ୍ୟାଳୟ ସ୍ଥିତି ପରଖିଲେ। ପିଲାଙ୍କୁ ସରକାରୀ ସ୍କୁଲ୍‌କୁ ପଠାଇବା ପାଇଁ ଉତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଶିକ୍ଷକ ସଂକଟ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର