ଭୁବନେଶ୍ବର: ଏବେ ସମସ୍ତ ପଞ୍ଜୀକରଣ ସେବା ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ଅଛି। ଷ୍ଟାମ୍ପ ଏବଂ ଅନ୍ୟାନ୍ୟ ସରକାରୀ ଦେୟ ଟ୍ରେଜେରି ପୋର୍ଟାଲରେ ଜମା କରାଯାଉଛି। ଦସ୍ତାବିଜଗୁଡ଼ିକର ସାର୍ଟିଫାଏଡ୍ ନକଲ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ କରାଯାଇଛି। ଏହା ସତ୍ତ୍ବେ ପଞ୍ଜୀକରଣ କାର୍ଯ୍ୟାଳୟରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଖୁବ୍‌ ଶୀଘ୍ର ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବସୁନ୍ଧରା ଯୋଜନାରେ ପ୍ରଦାନ କରାଯାଉଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ନାମରେ ରେକର୍ଡ କରାଯାଉଛି ଏବଂ ସ୍ତ୍ରୀଙ୍କ ନାମ ପ୍ରଥମେ ସ୍ଥାନିତ କରାଯାଉଛି। ସେହିପରି ମହିଳାମାନଙ୍କୁ ଷ୍ଟାମ୍ପ ଦେୟ ଉପରେ ୧% ରିହାତି ଦିଆଯାଇଛି। ଏହି ଅବସରରେ ବିଭାଗର ସଫଳତା ବର୍ଣ୍ଣନା କରିବାକୁ ଯାଇ ମନ୍ତ୍ରୀ କହିଥିଲେ, ସମସ୍ତ ତହସିଲରେ ଭର୍ଚୁଆଲ କେ‌ାର୍ଟ ଆରମ୍ଭ ହୋଇଛି, ବିନା ମୂଲ୍ୟରେ ଏବଂ ସ୍ବ-ଘୋଷଣା ଆଧାରରେ ବିବିଧ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି, ପଞ୍ଜୀକୃତ ଦଲିଲ୍ ଏବଂ ଜମି ପଟ୍ଟା ଡାକ ମାଧ୍ୟମରେ ପଠାଯାଉଛି, ଧାର୍ଯ୍ୟ ସମୟରେ ପଞ୍ଜୀକରଣ କରିବା ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି, ବିଭିନ୍ନ ଶିକ୍ଷା, ସ୍ବାସ୍ଥ୍ୟ, ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନକୁ ଜମି ପ୍ରଦାନ କରାଯାଇଛି। ଏହାସହ ଅତ୍ୟାଧୁନିକ ଉପକରଣ ଓ ତାଲିମ ଦ୍ବାରା ଶୂନ୍ୟ ଜୀବନହାନି ଲକ୍ଷ୍ୟ ସହ ବିପର୍ଯ୍ୟୟ ପରିଚାଳନା କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ।