ଏମିତି ଚାଲିଛି ସ୍ମାର୍ଟସିଟି ରାସ୍ତା ସମ୍ପ୍ରସାରଣ କାମ: ନିର୍ମାଣର ସପ୍ତାହ ପରେ ଦବିଲା ରାସ୍ତା

୨ କି.ମି. ରାସ୍ତାରେ ଖର୍ଚ୍ଚ ହେଉଛି ୨ କୋଟି

ରାଉରକେଲା : ଆସନ୍ତା ୨୦୨୩ରେ ରାଉରକେଲାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ବକପ୍‌। ନିର୍ମାଣ ହେଉଛି ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମ। ଚକାଚକ୍‌ ହେଉଛି ସହର ରାସ୍ତାଘାଟ। ସୌନ୍ଦର୍ଯ୍ୟକରଣ ହେଉଛି ସହର ପ୍ରମୁଖ ରାସ୍ତା। ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ ହେଉଛି। ସ୍ମାର୍ଟସିଟି, ପୂର୍ତ୍ତ ବିଭାଗ, ଆର୍‌ଏମ୍‌ସି ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସମୟ ପାଖେଇ ଆସୁଥିବାରୁ ତରବରିଆ ଭାବେ ଚାଲିଛି ପ୍ରାୟ ସମସ୍ତ କାମ। କେଉଁଠି ରାସ୍ତା ସମ୍ପ୍ରସାରଣ ତ ଅନ୍ୟ କେଉଁଠି ସୌନ୍ଦର୍ଯ୍ୟକରଣ। ପୁଣି କେଉଁଠି ବୋଟିଂ ବ୍ୟବସ୍ଥା। ଅର୍ଦ୍ଧାଧିକ କାମ ନିମ୍ନମାନର ହେଉଥିବା ଅଭିଯୋଗ ଆସୁଛି। ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ମଧ୍ୟରେ ଭିତିରି ସଲାସୁତରାରେ ସବୁକିଛି ହେଉଥିବାର ଏଭଳି ସମସ୍ୟା ଉପୁଜଛି।

କିଛି ଠିକା ସଂସ୍ଥା ମନଇଚ୍ଛା କାମ କରୁଥିଲେ ହେଁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ବିଭାଗୀୟ ଅଧିକାରୀମାନେ କେବଳ କାରଣ ଦର୍ଶାଅ ନୋଟିସ୍‌ ଜାରି କାମ ସାରି ଦେଉଛନ୍ତି। ଗତ କିଛି ମାସ ତଳେ ପାନପୋଷ ଗାନ୍ଧିଛକରୁ ଉସିତନଗର ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାମରେ ବହୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ଅସରାଏ ବର୍ଷାରେ ରଘୁନାଥପାଲୀ ଥାନା ନିକଟରେ ନିର୍ମାଣଧୀନ ରାସ୍ତା ଦବି ଯାଇଥିଲା। ତତ୍କାଳୀନ ଆର୍‌ଏମ୍‌ସି କମିସନର ତଥା ସ୍ମାର୍ଟସିଟିର ସିଇଓ ଦିବ୍ୟଜ୍ୟୋତି ପରିଡା ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଗତକାଲି ସମାନ ଘଟଣାର ପୁନରାବୃତ୍ତି ହୋଇଛି ଛେଣ୍ଡ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାମରେ। ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟରୁ କଳିଙ୍ଗ ବିହାର ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତା ସମ୍ପ୍ରସାରଣ ଓ ମରାମତି ପାଇଁ ଖର୍ଚ୍ଚ ହେଉଛି ପ୍ରାୟ ୨ କୋଟିରୁ ଅଧିକ। ଠିକା ସଂସ୍ଥା ତରବରିଆ ଭାବେ କାମ ସାରିଦେବାକୁ ଉଦ୍ୟମ ଚଳାଇଛି। ଗତକାଲି ବର୍ଷାରେ ବ୍ୟାଙ୍କ ଅପ୍‌ ଇଣ୍ଡିଆ ନିକଟରେ ରାସ୍ତା ଦବି ଯାଇଛି। ରାସ୍ତା ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ନିର୍ମାଣ ଆରମ୍ଭରୁ ଯଦି ଏମିତି ସ୍ଥିତି ଉପୁଜିଛି। ଭବିଷ୍ୟତରେ ରାସ୍ତାର ସ୍ଥାୟିତ୍ବକୁ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ନିମ୍ନମାନର କାମ ହେଉଥିବାରୁ ରାସ୍ତା ମଝିରେ ଗର୍ତ୍ତ ସୃଷ୍ଟି ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅବଶ୍ୟ ଆଜି ଠିକା ସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଇଛି। ମାତ୍ର ୨ କି.ମି. ରାସ୍ତା ନିର୍ମାଣ ନୁହେଁ ସମ୍ପ୍ରସାରଣରେ ୨ କୋଟି ଖର୍ଚ୍ଚ କରାଯାଉଛି। ଅର୍ଥାତ୍‌ ୧ କିଲୋମିଟରକୁ କୋଟିଏ ଟଙ୍କା। ରାସ୍ତା ସମ୍ପ୍ରସାରଣ ସହ ପେଣ୍ଟିଂ, ସାଇନିଂ ବୋର୍ଡ ଆଦି କାମ କରାଯିବ ବୋଲି ପୂର୍ତ୍ତବିଭାଗ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ରାସ୍ତାର ସ୍ବରେଜ ପାଇପ୍‌ ପିଛାବେଳେ ଏଲ୍‌ ଆଣ୍ଡ ଟି ପକ୍ଷରୁ ରାସ୍ତାକୁ ମରାମତି କରାଯାଇଛି। କିଛି ସ୍ଥାନରେ ବ୍ଲକ ମଧ୍ୟ ପକାଯାଇଥିଲା। ଏଲ୍‌ଆଣ୍ଡଟିର ରାସ୍ତା କାମ ସରିବା ପରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ଗ୍ୟାସ୍‌ ପାଇପ୍‌ ଲାଇନ ବିଛା କାମ ପାଇଁ ରାସ୍ତାର କିଛି ସ୍ଥାନରେ ଖୋଳାଯାଇଥିଲା। ଏବେ ପୁଣି ଚାଲିଛି ସମ୍ପ୍ରସାରଣ କାମ। ତେଣୁ ସହରରେ ବିକାଶମୂଳକ କାର୍ଯ୍ୟ ଠିକ୍‌ ଭାବେ ଚାଲୁଛି କି ନାହିଁ, ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ନିୟମିତ ଯାଞ୍ଚ ହେବାର ଆବଶ୍ୟକତା ରହିଛି। ନ ହେଲେ ପୁରୁଷ ବିଶ୍ବକପ୍‌ ହକି ପରେ ସହର ସ୍ଥିତି ଯେମିତିକୁ ସେମିତି ଯେ ନ ହେବ, ତା କହିବା ମୁସ୍କିଲ।

ସମ୍ବନ୍ଧିତ ଖବର