ରାଉରକେଲା : ଉପାନ୍ତ ଗାଁ ଗହଳି ରାସ୍ତାଠାରୁ ଆହୁରି ଦୟନୀୟ ହୋଇ ପଡିଛି ସ୍ମାର୍ଟସିଟି ରାସ୍ତା। କଲୋନି, ବସ୍ତିଠାରୁ ଆରମ୍ଭ କରି ସହରର ପ୍ରମୁଖ ରାସ୍ତା ସବୁଠି ସମାନସ୍ଥିତି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ସାଢ଼େ ୩ ବର୍ଷ ଧରି ଏଭଳି ଶୋଚନୀୟ ଅବସ୍ଥା। ସହର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପ୍ ହେଉ ଅବା ବାସନ୍ତି କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ପାନପୋଷ ବସ୍ତି, ପାନପୋଷ ଡାକ୍ତରଖାନା ରାସ୍ତା ସବୁଠି ରାସ୍ତା ବେହାଲ। ଅସରାଏ ବର୍ଷା ହେଲେ ଅବସ୍ଥା ଆହୁରି ସଙ୍ଗୀନ। କାରଣ ହେଉଛି ସହରର ବିପର୍ଯ୍ୟସ୍ତ ସ୍ବରେଜ ବ୍ୟବସ୍ଥା।
କଚ୍ଛପ ଗତିରେ ଚାଲିଥିବା ୩୪୦ କୋଟିର ପ୍ରକଳ୍ପ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କିନ୍ତୁ ବିଭାଗୀୟ ଅଧିକାରୀ କହୁଛନ୍ତି କାମ ଠିକ୍ଠାକ୍ ଚାଲିଛି। ତିନି ବର୍ଷର ପ୍ରକଳ୍ପକୁ ସାଢ଼େ ଚାରି ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ୩୦% କାମ ବାକି ରହିଛି। ଯାହାକି ପୁରା ପାଇପ୍ ଲାଇନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶ। ସେମିତି ସହରର ପ୍ରାୟ ୨୮ ହଜାର ଘରକୁ ସ୍ବରେଜ ପାଇପ୍ ସଂଯୋଗ କରିବାକୁ ଟାର୍ଗେଟ ରହିଛି। କିନ୍ତୁ ଦେଢ଼ ବର୍ଷ ଭିତରେ ସିଭିଲଟାଉନସିପ୍ର ମାତ୍ର ପ୍ରାୟ ୪୦୦ ଘରକୁ ପାଇପ୍ ସଂଯୋଗ ସମ୍ଭପର ହୋଇ ପାରିଛି। ଯଦି ୪୦୦ ଘରକୁ ବର୍ଷେ ଲାଗୁଛି, ବାକି ୨୭ ହଜାର ୬୦୦ ଘରକୁ ପାଇପ ସଂଯୋଗ କେତେ ଦିନ ଲାଗିବ ଏଥିରୁ ସ୍ପଷ୍ଟ ଅନୁମେୟ। ଏଥିରୁ ଯାହା ବୁଝାପଡୁଛି ସ୍ମାର୍ଟସିଟିର ସ୍ବରେଜ ବ୍ୟବସ୍ଥା ଯେମିତି କାହାରି ନଜର ନାହିଁ। ତେଣୁ ଭବିଷ୍ୟତରେ ଏହି ୩୪୦ କୋଟିର ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2021/09/rkl-rod-3.jpg)
ସ୍ବରେଜ କାମ ଯୋଗୁ ଡ୍ରେନ୍ ପୋତି ହୋଇଯାଇଥିବାରୁ ତଳିଆ କଲୋନିରେ ଅଧିକାଂଶ ଘରେ ବର୍ଷା ପାଣି ଲହଡି ମାରୁଛି। ବିଭାଗୀୟ ଅଧିକାରୀ ସବୁ କିଛି ଜାଣୁଛନ୍ତି, କିନ୍ତୁ ନ ଜାଣିଲା ପରି ଚୁପ୍ ରହୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ବର୍ଷ ବର୍ଷ ଧରି ସହରବାସୀ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ହେଁ, ଶାସକ ବା ବିରୋଧୀ, କୌଣସି ରାଜନୈତିକ ଦଳର ସ୍ବର ଏ ବାବଦରେ ଶୁଭୁନି। ସେପଟେ କାମ ବିଳମ୍ବରୁ ଠିକା ସଂସ୍ଥା ଠାରୁ ବିଭାଗ ଇଓଟି (ଏକ୍ସଟେସନ୍ ଅନ୍ ଟାଇମ୍)ବାବଦରେ ଖର୍ଚ୍ଚର ୧% କାଟୁଛନ୍ତି ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟିର ପରିମଳ ବ୍ୟମସ୍ଥାରେ ସୁଧାର ଆଣିବାକୁ ୨୦୧୭ ଜାନୁଆରି ୯ରେ ସ୍ବରେଜ କାମ ଆରମ୍ଭ ହୋଇଥିଲା। ତିନି ବର୍ଷ, ଅର୍ଥାତ୍ ୨୦୨୦ ଜାନୁଆରି ୮ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାସଂସ୍ଥା କାମ ନ ସାରିବାରୁ ୬ ମାସ, ଅର୍ଥାତ୍ ୨୦୨୦ ଜୁନ୍ ଡେଡ୍ ଲାଇନ ଦିଆଯାଇଥିଲା। ତଥାପି ଠିକା ସଂସ୍ଥା କାମ ସାରି ପାରି ନଥିଲା। ତା’ ପରେ ପୁଣି ଆହୁରି ୬ ମାସ, ଅର୍ଥାତ୍ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଦୁଇ ଦୁଇଥର ସମୟ ଘୁଞ୍ଚାଯାଇଥିଲେ ହେଁ ଅଦ୍ୟାବଧି ପ୍ରାୟ ୨୨% କାମ ବାକି ରହିଛି। ବାକି ଥିବା କାମ ଭିତରେ ରହିଛି ସେକ୍ଟର-୨୧ ନୟାବଜାର ଅଞ୍ଚଳର ଆର୍ଏସ୍ପି ଅଞ୍ଚଳର ୯ କି.ମି. ଲାଇନ୍। ଅନୁମତି ନ ମିଳିବାରୁ ସେଠାରେ କାମ ବନ୍ଦ ରହିଛି। ଝିରପାଣି, କୋଏଲନଗର, ଜଗଦା ଆର୍ଏସ୍ପି ଜାଗା ହୋଇଥିବାରୁ ଏଠି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି।
/sambad/media/post_attachments/wp-content/uploads/2021/09/rkl-road-4a.jpg)
ସ୍ବରେଜ ବ୍ୟବସ୍ଥା ଦ୍ବାରା ସହରର ପ୍ରାୟ ୨୮ ହଜାର ଘର ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅଦ୍ୟାବଧି ସିଭିଲଟାଉନସିପ୍ର ୧୮୦୦ ଘରରୁ ମାତ୍ର ୪୦୦ ଘରକୁ ପାଇପ୍ ସଂଯୋଗ ହୋଇପାରିଛି। ଅବଶିଷ୍ଟ ଘରକୁ ପାଇପ ସଂଯୋଗ କାମ ଅତି ମନ୍ଥର ଗତିରେ ଚାଲିଛି। ଛେଣ୍ଡ କଲୋନି, ବାସନ୍ତୀ କଲୋନି, କଳିଙ୍ଗ ବିହାର, କଳିଙ୍ଗ ବିହାର ହାଉସିଂ କଲୋନି, ଡେଲିମାର୍କେଟ, ଉଦିତନଗର, ପାନପୋଷ ଆଦି ସ୍ଥାନରେ ଜଣେ ହେଲେ ଘରକୁ ପାଇପ୍ ସଂଯୋଗ ହୋଇ ପାରିନି। ଉଲ୍ଲେଖନୀୟ ଯେ ବର୍ଜ୍ୟଜଳ ପରିଚାଳନା ପାଇଁ ଆର୍ଏମ୍ସି ଅଞ୍ଚଳର ପ୍ରଧାନପାଲୀ, ମ୍ୟୁନିସିପାଲ କଲେଜ, ଶିଳ୍ପାଞ୍ଚଳ ଓ ସିଭଲଟାଉସିପ୍ରେ ପମ୍ପହାଉସ୍ ସ୍ଥାପନ କରାଯାଇଛି। ବାଲୁଘାଟରେ ୪୦ ଏମ୍ଏଲ୍ଡିର ଏସ୍ଟିପି (ସ୍ବରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ) ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rkl-road-2.jpg)