ରାଉରକେଲା: ରାଉରକେଲା ସ୍ମାର୍ଟସିଟି ଘୋଷଣାକୁ ୫ ବର୍ଷ ପୂରିବାକୁ ଯାଉଛି। କିନ୍ତୁ ସହରବାସୀ ସ୍ମାର୍ଟସିଟିର ବିକାଶର ଚିହ୍ନ ବି ଦେଖି ପାରିନାହାନ୍ତି। ସହରରେ କୋଟି କୋଟି ଟଙ୍କାର ମାଳମାଳ ପ୍ରକଳ୍ପ, ହେଲେ କେବେ ସରିବ କାହା ପାଖରେ ଉତ୍ତର ନହିଁ। କାମ ପ୍ରତି ଧ୍ୟାନ ନଦେଇ ଟଙ୍କା ତରବରିଆ ଭାବେ ଖର୍ଚ୍ଚ କରାଯାଉଥିବାରୁ ବିନିଯୋଗ ପ୍ରମାଣପତ୍ର ଦିଆଯାଇପାରୁନି। ଏଣେ ବର୍ତ୍ତମାନ କୋଟି କୋଟି ଟଙ୍କା ବ୍ୟାଙ୍କରେ ପଡିଛି। ଫଳରେ କେନ୍ଦ୍ର ଓ ରାଜ୍ୟ ପାଣ୍ଠି ବନ୍ଦ କରି ଦିଆଯାଇଛି। ଫଳରେ ସ୍ମାର୍ଟସିଟି ବିକାଶରେ ଦୁର୍ନୀତିର ଗନ୍ଧ ଲାଗିଥିବା ବାରି ହେଉଛି।
ସ୍ମାର୍ଟସିଟି ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ପାଣ୍ଠି ଓଡ଼ିଶା ବନ ଉନ୍ନୟନ ନିଗମ, ରାଉରକେଲାକୁ ଦିଆଯାଇଛି। ସରକାରଙ୍କ ନିୟମ ଅନୁଯାୟୀ, ୫ ଲକ୍ଷରୁ ଅଧିକ ଟଙ୍କାର କାମ ହେଲେ ଇ-ଟେଣ୍ଡର ବାଧ୍ୟତାମୂଳକ। କିନ୍ତୁ ରାଉରକେଲା ବନ ଉନ୍ନୟନ ନିଗମ ଏହି ନିୟମ ମାନିନି। ଭିତିରି କାରବାର ହୋଇଥିବା ଅଭିଯୋଗର ତଦନ୍ତର ଆବଶ୍ୟକତା ରହିଛି। ହନୁମାନବାଟିକାରୁ ଆରଏସ୍ପି ମୁଖ୍ୟ ଗେଟ୍ ପର୍ଯ୍ୟନ୍ତ ରିଂ ରୋଡର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୧୩ କୋଟି ୯୦ ଲକ୍ଷ, ବେଦବ୍ୟାସ ଛକରୁ ବେଦବ୍ୟାସ ମନ୍ଦିର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କାମ ପାଇଁ ପ୍ରାୟ ୭ କୋଟି, ଏମିତି ମୋଟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଫୁଟ୍ପାଥ ୱେ, ବିଭିନ୍ନ ପ୍ରକାର ଗଛ, ସିଟିଂ ଚେୟାର ସହ ଅନ୍ୟାନ୍ୟ କାମ କରାଯାଉଛି। କିନ୍ତୁ କାମର ମାନକୁ ଦେଖିଲେ ଏତେ ଟଙ୍କା ଖର୍ଚ୍ଚ ହେଲାଭଳି ଜଣାପଡୁନି। ବେଦବ୍ୟାସ ରୋଡର ଅଧିକାଂଶ ସ୍ଥାନରେ ଲାଗିଥିବା ମୂଲ୍ୟବାନ ଫୁଲଗଛ ଲଗାଇବାର ମାତ୍ର କେଇ ଦିନ ପରେ ମରିଯାଇଛି।
ଫୁଟ୍ପାଥରେ ଯେଉଁ ଟାଇଲ ବ୍ୟବହାର ହେଉଛି, ତା’ ମଧ୍ୟ ନିମ୍ନରମାନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି। ବର୍ଷ ବର୍ଷ ଧରି ଖର୍ଚ୍ଚ ନ ହୋଇ ପଡ଼ିଥିବା କୋଟି କୋଟି ଟଙ୍କାକୁ ଏଭଳି ତରବରିଆ ଭାବେ ଖର୍ଚ୍ଚ କରାଯିବାକୁ ନେଇ ଦୁର୍ନୀତିର ଗନ୍ଧ ସ୍ପେଷ୍ଟ ହୋଇଛି। ଏତେ ପରେ ବି କାମ ନେଇଥିବା ରାଉରକେଲା ବନ ଉନ୍ନୟନ ନିଗମର ଅଧିକାରୀମାନେ ସମ୍ପୂର୍ଣ୍ଣ ନିରବ। ସବୁଠୁ ଆଶ୍ଚର୍ଯ୍ୟ କଥା, ବିଭାଗର ଯେଉଁ ଅଧିକାରୀ ହାତରେ ଏସବୁ ସୌନ୍ଦର୍ଯ୍ୟକରଣ କାମ ହେଉଛି, ତା’ଙ୍କ ନାଁରେ ପୂର୍ବରୁ ଦୁର୍ନୀତି ମାମଲା ରହିଛି। ଯାଜପୁର ଡିଭିଜନରେ କାର୍ଯ୍ୟରତ ଥିବାବେଳେ ତାଙ୍କ ଘର ସମେତ ଓ ଅଫିସରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଥିଲେ।
ତନଖିରୁ ମୋଟ୍ ୧ କୋଟି ୨୦ ଲକ୍ଷ ୨୨ ହଜାର ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିଥିଲେ। କେବଳ ଯାଜପୁର ନୁହେଁ, ସେ ପୂର୍ବରୁ ଅବସ୍ଥାପିତ ଅନ୍ୟ ଜିଲ୍ଲାରେ ମଧ୍ୟ ସେହି ସମାନ ଅଭିଯୋଗ ଆସିଥିଲା। ସେମିତି ଜଣେ ଅଧିକାରୀଙ୍କୁ ସ୍ମାର୍ଟସିଟିର ଏଭଳି କାମ ଦିଆଯିବାକୁ ନେଇ ସହରର ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ବେଦବ୍ୟାସ ଓ ରାଉରକେଲା ଚାଲିଥିବା ସୌନ୍ଦର୍ଯ୍ୟକରଣ କାମ ସଂକ୍ରାନ୍ତରେ ସ୍ମାର୍ଟସିଟିର ଅଧକାରୀ ସଞ୍ଜୟ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ନିମ୍ନମାନର କାମ ହେଉଥିବ, ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେପଟେ ଓଡ଼ିଶା ବନ ଉନ୍ନୟନ ନିଗମର ରାଉରକେଲା ଡିଭିଜନର ଡିଭିଜନାଲ୍ ମ୍ୟାନେଜର ବିଶ୍ବଜିତ୍ ରାଉତଙ୍କୁ ଚାଲିଥିବା କାମ ସଂକ୍ରାନ୍ତରେ ପଚାରିବାରୁ ସେ କହିଲେ, ଯେଉଁ ବିଭାଗ ଟଙ୍କା ଦେଇଛନ୍ତି ସେମାନଙ୍କୁ ପଚାରନ୍ତୁ। ଆମେ କିଛି କହିପାରିବୁ ନାହିଁ। ସେ ଯାହା ହେଉନା କାହିଁକି ଉଭୟ ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁ ବିକାଶ ଆଗେଇ ପାରୁନି। ଏହାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅନେକ ସମୟରେ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ସଂପୃକ୍ତ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଥିରେ ବଡ ଘୋଟାଲା ହୋଇଥିବା ଅନୁମାନ କରାଯାଉଥିବାବେଳେ ଏହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।