ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ, ଖସାଇବାକୁ କାହାଣୀ? ଅପରେସନ୍ ୨୫ମିନିଟ୍

ଯାଜପୁର/ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ସପ୍ତାହେ ପୂରିଛି। ଆଜି ପର୍ଯ୍ୟନ୍ତ ପୁଲିସ ବିଶ୍ବାସ ଯୋଗ୍ୟ ତଥ୍ୟ ଉନ୍ମୋଚନ କରିପାରିଲା ନାହିଁ। ଆଇନର ଗଳା ବାଟରେ ମୁଖ୍ୟ ଅଭିଯୁକ୍ତକୁ ଖସାଇ ଦେବା ପାଇଁ ପୁଲିସ ମନଗଢା କାହାଣୀ ରଚିଛି ବୋଲି ଚର୍ଚ୍ଚା ହେଉଛି। ତେବେ ସ୍ମିତାରାଣୀ ମୃତ୍ୟୁ ସମ୍ପର୍କିତ ବହୁୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ପୁଲିସ କାହାର ଚାପରେ ହେଉ କି, କୌଣସି ପ୍ରକାର ପ୍ରଭାବିିତ ହୋଇ ଅବା ଅଭିଜ୍ଞତା ଅଭାବରୁ ତଦନ୍ତରେ ବହୁ ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକୁ ଆଜି ପର୍ଯ୍ୟନ୍ତ ଅଣଦେଖା କରିଚାଲିଛି। ଫଳରେ ଅପରାଧୀମାନେ ଛାତି ଫୁଲାଇ ଚାଲୁଥିବା ‌େବଳେ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ମଧ୍ୟ ପୁଲିସର ଭୂୂମିକାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି। ବିଶେଷ କରି ସ୍ମିତାରାଣୀଙ୍କ ମୃତ୍ୟୁଦିନ ଅପରାଧୀଙ୍କର ମାତ୍ର ୨୫ମିନିଟ୍‌ର ଅପରେସନକୁ ନେଇ ବିଭିନ୍ନ ପ୍ରଶ୍ନ ମୁଣ୍ଡ ଟେକିଛି।

ସୂଚନାଯୋଗ୍ୟ, ଗତ ୧୬ତାରିଖ ବୁଧବାର ମଧ୍ୟାହ୍ନରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟଜନକ ଅବସ୍ଥାରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ଗେଷ୍ଟ ହାଉସ(ରଙ୍ଗଶାଳା)ରେ ହେଲା। ୧୯ ତାରିଖ ଦିନ ଏସପି ଚରଣ ସିଂ ମୀନା ଗଣମାଧ୍ୟମ ସମ୍ମୁଖରେ ସ୍ମିିତାରାଣୀଙ୍କ ଚରତ୍ର ସଂହାର କରି ୩୦୬ଦଫା( ଆତ୍ମହତ୍ୟା ପାଇଁ ଉତ୍ସାହିତ କରିବା) ଅଭିଯୋଗରେ ରୂପେଶ ଭଦ୍ରକୁ ଗିରଫ କରାଯାଇଛି ବୋଲି ଘୋଷଣା କଲେ। ତଦନ୍ତ ଜାରି ରହିଛି ବୋଲି ଏସପି ଶ୍ରୀ ମୀନା କହିଥିଲେ। ଇତିମଧ୍ୟରେ ଆଉ ୩ଦିନ ବିତିଯାଇଛି। ଅଥଚ ପୁଲିସ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ। ଓଲଟି ମାମଲାକୁ ସେହିଠାରେ ଅଟକାଇବା ପାଇଁ କେତେକ ଅଧିକାରୀ ଲାଗିପଡ଼ିଛନ୍ତି। ଏହି ଘଟଣା ସଂପର୍କରେ ଗଣମାଧ୍ୟମରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବା ସତ୍ତ୍ବେ ପୁଲିସ ଆଖିକାନ ବନ୍ଦ କରି ବସି ରହିଛି। ପିଇଓ ସ୍ମିତାରାଣୀଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିବା ସରକାରୀ ଜାଗାରେ ଗଢିଉଠିଥିବା ରଙ୍ଗଶାଳା ଏବେ ମଧ୍ୟ ଅଭିଯୁକ୍ତଙ୍କ କବ୍‌ଜାରେ ରହିଛି। ପୁଲିସ ନିଜ ଅଧୀନକୁ ଆଣି ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଅପରାଧୀଙ୍କ ୨୫ମିନିଟ ଅପରେସନ୍, ‌ଫୋନ୍ କଲ୍ ରେକର୍ଡ, ରୂପେଶଙ୍କ ବୟାନବାଜି, ଗାଡ଼ିରେ ଥିବା ବନ୍ଧୁମାନଙ୍କର ବୟାନ, ରଙ୍ଗଶାଳାରେ କାମ କରୁଥିବା ସିଲିଂ ମିସ୍ତ୍ରିଙ୍କ ମତାମତକୁ ମଧ୍ୟ ପୁଲିସ ରେକର୍ଡଭୁକ୍ତ କରିନାହିଁ।

ପ୍ରକାଶ ଥାଉକି ୧୬ତାରିଖ ଘଟଣା ଦିନ ଭତ୍ତା ବଣ୍ଟନ ପାଇଁ ସ୍ମିତାରାଣୀଙ୍କୁ ନେବା ପାଇଁ ରୂପେଶ କାହା ଗାଡ଼ି ପଠାଇଥିଲେ? ଭତ୍ତା ବଣ୍ଟନ ପରେ ରୂପେଶଙ୍କ କେଉଁ ବନ୍ଧୁମାନଙ୍କ ସହିତ ସ୍ମିତାରାଣୀ ରଙ୍ଗଶାଳାକୁ ଆସିଥିଲେ? ସବୁଠାରୁ ବିଚାର ଯୋଗ୍ୟ ଓ ଅନୁସନ୍ଧାନର ବିଷୟ ହେଉଛି ଭତ୍ତା ବଣ୍ଟନ ପରେ ପିଇଓ ସ୍ମିତାରାଣୀ ତାଙ୍କ ବାପା ସଦାନନ୍ଦ ବିଶ୍ବାଳଙ୍କୁ ୧ଟା ୫୧ମିିନିଟରେ କହିଥିଲେ ତାଙ୍କ ୪ବର୍ଷ ଝିଅ ଖୁସିକୁ ଖାଇବାକୁ ଦେଇଦେବେ। ସେ ବାହାରେ ଖାଇ ୩ଟା ବେଳକୁ ଫେରିବେ। ଏହାର ମାତ୍ର ୨୫ମିନିଟ ପରେ ୨ଟା ୧୬ମିନିଟରେ ରୂପେଶ ଫୋନ କରି ସଦାନନ୍ଦକୁ କହିଲେ ସ୍ମିତା ଗୁରୁତର ମେଡ଼ିକାଲକୁ ଆସ। ସଦାନନ୍ଦ ତରତର ହୋଇ ସ୍କୁଟିରେ ୨କିମି ଦୂର ମେଡ଼ିକାଲରେ ପହଞ୍ଚିବା ବେଳକୁ ରୂପେଶ ଓ ତାଙ୍କର ସାଥୀମାନେ ୯ କିଲୋମିଟର ଦୂରରେ ଥିବା ମେଡ଼ିକାଲରେ ସ୍ମିତାରାଣୀଙ୍କୁ ପହଞ୍ଚାଇ ସାରିଥିଲେ। ଡାକ୍ତର ମୃତ ବୋଲି ଘୋଷଣା ମଧ୍ୟ କରିଦେଇଥିଲେ। ତେବେ ସ୍ମିତାରାଣୀଙ୍କ ଫୋନ ଓ ରୂପେଶଙ୍କ ଫୋନ ମଧ୍ୟରେ ମାତ୍ର ୨୫ମିନିଟର ବ୍ୟବଧାନରେ ଏତେସବୁ ଘଟିଲା କିପରି? ରୂପେଶ କହିବା ମୁତାବକ ସ୍ମିତାରାଣୀ କବାଟ ବନ୍ଦ କରି ଅଧଘଣ୍ଟା ଭିତରେ ରହିବା ପରେ ଡାକିବାରୁ ଜବାବ ନଦେବାରୁ କବାଟ ତାଡ଼ି ପଶିଥିଲେ। ୯କିମି ରାସ୍ତା ଅତିକ୍ରମ କରି ମେଡ଼ିକାଲରେ ପହଞ୍ଚାଇଲେ। ଏହା କଣ ୨୫ମିନିଟ୍ ମଧ୍ୟରେ ସମ୍ଭବ କି? ପୁନଶ୍ଚ ରୂପେଶ କହିଥିଲେ ସ୍ମିତାରାଣୀ ଗାଧୁଆ ଘରେ ଆତ୍ମହତ୍ୟା କରିିଛନ୍ତି। ପରେ କହିଲେ ବେଡ୍‌ରୁମରେ, ପୁଣି ସ୍କୁଟିରେ ଓଢ଼ଣୀ ଛନ୍ଦି ହୋଇ ପଡ଼ିଗଲେ। ତେବେ କେଉଁଟା ସତ୍ୟ? ତାହାର ଅନୁସନ୍ଧାନ କାହିଁକି ପୁଲିସ କରିନାହିଁ? ଏହା ବାଦ ଅନେକ ଗୁପ୍ତ ରହସ୍ୟ ରହିଛି। ତେବେ ତଦନ୍ତ କରୁଥିବା ପୁୁଲିସ ନିଦା ବିଷ୍ଣୁ ସାଜି ଘଟଣାକୁ ଚପାଇ ଦେବାକୁ ହୀନ ଉଦ୍ୟମ କରୁଥିବାର ଅଭିଯୋଗ ହେଉଛି। ଗତକାଲି ବିଜେପି ସିବିଆଇ ତଦନ୍ତ ଦାବି କରି ବନ୍ଦ କରିଥିବା ବେଳେ ଆସନ୍ତାକାଲି କଂଗ୍ରେସ ମଧ୍ୟ ସିବିଆଇ ତଦନ୍ତ ଦାବି କରି ପ୍ରତିବାଦ ସଭା ଓ ଧାରଣା ଦେବ ବୋଲି ଘୋଷଣା କରିଛି। ସରକାର ନିଜର ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ୫-ଟି ଓ ମୋ ସରକାରର ସ୍ଲୋଗାନର ଯଥାର୍ଥତା ଦେଖାଇବାକୁ ଆଗେଇ ଆସିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର