ପୁଣି ଚର୍ଚ୍ଚାରେ ରାମ୍‌କୋ, କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ

ଯାଜପୁର: ହରିଦାସପୁରର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ରୂପେଶ ଭଦ୍ର ଏବଂ ରାମ୍‌କୋ କମ୍ପାନି ମଧ୍ୟରେ ୩ କୋଟି ଟଙ୍କାର କାରବାରକୁ ନେଇ ଚର୍ଚ୍ଚା ଥମିନି। ନଅ ମାସ ମଧ୍ୟରେ ଏହି ଟଙ୍କା କାରବାରକୁ ନେଇ ସାଧାରଣରେ ବି ଆଲୋଚନା ଲାଗି ରହିଛି। ଏପରିସ୍ଥଳେ, ରାମ୍‌କୋ କମ୍ପାନିର ଜଣେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି। ଏହି କର୍ମଚାରୀ ରେଳଲାଇନରେ କଟି ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ପ୍ରକୃତରେ ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ବୋଲି ପ୍ରଶ୍ନ ଉଠୁଛି। ଏହିଭଳି ସନ୍ଦେହକୁ ଖୋରାକ ଯୋଗାଇଛି ପୂର୍ବର ଏଭଳି ଦୁଇ ମୃତ୍ୟୁ ଘଟଣା। ସ୍ମିତାରଣୀଙ୍କ ରହସ୍ୟଜନକ ମୃତ୍ୟୁ ଭଳି ପୂର୍ବରୁ ବାମ୍ଫିରେ ପଡ଼ି ଦେବାଶିଷ ସାମଲ(ବବୁଲ) ଏବଂ ଟ୍ରେନ୍‌ଲାଇନ୍‌ ନିକଟରେ ଗାଡ଼ି ଧକ୍କାରେ ଇଞ୍ଜିନିୟର୍‌ ହାସନଙ୍କର ମୃତ୍ୟୁ ଘଟିଥିଲା। ଏବେ ସମାନ ଢଙ୍ଗରେ ଦୀପକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ମୃତ କର୍ମଚାରୀ ହେଲେ, ଦୀପକ ତିର୍କୀ। ଘର ଝାଡ଼ଖଣ୍ଡ। କମ୍ପାନିର ସୁପରଭାଇଜର୍‌ ଭାବେ କାର୍ଯ୍ୟ କରୁଥିବା ଦୀପକ ଗତ ୧୭ ତାରିଖ ଦିନ ନିଜ ଡ୍ୟୁଟିରେ ଯୋଗଦେଇଥିଲେ। ଗୋଟିଏ ଦିନ ପରେ ଅର୍ଥାତ୍‌ ଗତ ରବିବାର ସକାଳେ ଦୀପକର ଖଣ୍ଡବିଖଣ୍ଡିତ ଉଲଗ୍ନ ଶରୀର ରାମ୍‌କୋ କାରଖାନା ପାର୍ଶ୍ବରେ ଯାଇଥିବା ରେଳଲାଇନରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଶରୀରରେ ବିଭିନ୍ନ ଦାଗଚିହ୍ନ ରହିଥିବା ସହିତ ମୁଣ୍ଡ ବି ପୂରା ଛତୁ ହୋଇଯାଇଥିଲା। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ବି ଘଟଣାସ୍ଥଳରେ ରକ୍ତ ବି ପଡ଼ି ନ ଥିଲା। ତାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ବି ଯେଉଁଠି ପଡ଼ିଥିଲା, ସେଠାରେ ରେଳଲାଇନକୁ ଅତିକ୍ରମ କରିବା ପାଇଁ କୌଣସି ବାଟ ନଥିଲା। ଏଥିସହିତ, ଦୀପକଙ୍କ ଦେହରେ କୌଣସି ପୋଷାକ ବି ନଥିଲା। ଫଳରେ, ଏହି ପାରିପାର୍ଶ୍ବିକ ଅବସ୍ଥାରୁ ଦୀପକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି।

ଅନ୍ୟପଟେ ଦୀପକଙ୍କ ମୃତ୍ୟୁ ଘଟଣାକୁ ନେଇ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳୁଛି। କିଛି ଲୋକ କହୁଛନ୍ତି ଯେ କାରଖାନାରେ ଓଳିକିଆ କାମ କରି ସାଙ୍ଗମାନଙ୍କ ସହିତ ସେ ଆରୁହା ହାଟକୁ ଯାଇଥିଲେ। ସେଠାରେ ହାଣ୍ଡିଆ ଖାଇ ଫେରୁଥିବା ବେଳେ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି। ଆଉ କେତେଜଣ ପ୍ରଶ୍ନ କରୁଛନ୍ତି ଯେ, ଘଟଣା ସମୟରେ ‌ଟ୍ରେନ୍‌ ଆଗକୁ ଗଲାବେଳେ ସାଙ୍ଗମାନେ ଅଟକାଇଲେନି କାହିଁକି? ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନିରେ ସୁପର୍‌ଭାଇଜର୍‌ ଭାବେ କାମ କରୁଥିବା ଦୀପକ ଉପରେ ବେନିୟମ କାମ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିଲା। ଗୋଟିଏ ଟ୍ରିପ୍‌ ବାଲିକୁ ତିନି ଟ୍ରିପ୍‌ର ବୋଲି ମିଥ୍ୟା ହିସାବ ଦେବାକୁ ବାଧ୍ୟ କରାଯାଉଥିଲା। ସେଥିରେ ସେ ରାଜି ନ ହେବାରୁ ତାଙ୍କୁ ଅନ୍ୟମାନଙ୍କ ଭଳି ଅପରାଧୀମାନେ ରାସ୍ତାରୁ ହଟାଇ ଦେଇଛନ୍ତି ବୋଲି ସେମାନେ କହିଛନ୍ତି। ଦୀପକଙ୍କ ମୃତ୍ୟୁ ଘଟଣାକୁ ଏହିଭଳି ଭିନ୍ନଭିନ୍ନ କଥା ଶୁଣିବାକୁ ମିଳୁଥିଲା ବେଳେ ଜିଆରପି ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ଆଜି ମୃତଦେହ ହସ୍ତାନ୍ତର କରିଛି।

ସ୍ମିତରାଣୀ କି ଦୀପକ ନୁହନ୍ତି, ହରିଦାସପୁରରେ ପୂର୍ବରୁ ଦୁଇଟି ସନ୍ଦେହଜନକ ମୃତ୍ୟୁ ଘଟଣା ଘଟିଥିଲା। ବାମ୍ଫିରେ ପଡ଼ି ଦେବାଶିଷ ସାମଲ(ବବୁଲ) ନାମକ ଜଣେ ବ୍ୟକ୍ତିଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା। ସେହିଭଳି, ରେଲୱେ ଠିକାଦାରଙ୍କ ଅଧୀନରେ କାମ କରୁଥିବା ଇଞ୍ଜିନିୟର ହାସନଙ୍କର ଟ୍ରେନ୍‌ଲାଇନ ନିକଟରେ ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିଲା। ହାସନଙ୍କ ଘର ପଶ୍ଚିମବଙ୍ଗ। ପୂର୍ବରୁ ଏହି ଦୁଇ ମୃତ୍ୟୁ ଘଟଣାର ରହସ୍ୟ ଏଯାବତ୍‌ ଉନ୍ମୋଚନ ହୋଇନଥିବା ବେଳେ ଦୀପକଙ୍କର ମୃତ୍ୟୁ ବି ସମାନ ଢଙ୍ଗରେ କରାଯାଇଥିବା ସନ୍ଦେହ କରାଯାଉଛି। ଏପରିକି ସ୍ମିତାରାଣୀକୁ ହତ୍ୟା କରିବା ପରେ ଅପରାଧୀମାନେ ଟ୍ରେନ୍‌ଲାଇନରେ ପକାଇ ଦେବାକୁ ପ୍ରଥମ ସ୍ଥିର କରିଥିଲେ ବୋଲି ଶୁଣିବାକୁ ମିଳୁଛି। ମାତ୍ର ଜଣେ‌ ନେତାଙ୍କ ପରାମର୍ଶ କ୍ରମେ ମେଡ଼ିକାଲକୁ ନେଇଥିଲେ। ଯେଉଁଥିପାଇଁ ଆମେ ଫସିଲୁ ବୋଲି ସମ୍ପୃକ୍ତ ଅପରାଧୀମାନେ କୁହାକୁହି ହେଉଥିବା ଆଲୋଚନା କରାଯାଉଛି। ଅନ୍ୟପଟେ, ହରିଦାସପୁର ଯେ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି, ଏହିସବୁ ମୃତ୍ୟୁ ଘଟଣାରୁ ସ୍ପଷ୍ଟ ହୋଇଛି। ଏହି ଅପରାଧୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଟ୍ରେନ ଲାଇନରେ ପକାଇ ବେଶ୍‌ ସୁବିଧାରେ ଖସିଯାଉଥିବାରୁ ଦୀପକଙ୍କ ମୃତ୍ୟୁ ମଧ୍ୟ ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ରହସ୍ୟ ଉନ୍ମୋଚନ ହୋଇପାରିବ‌ ବୋଲି ସାଧାରଣରେ ଦାବି କରାଯାଉଛି।

ସମ୍ବନ୍ଧିତ ଖବର