ଯାଜପୁର/ଧର୍ମଶାଳା : ରହସ୍ୟଜନକ ଭାବେ ମୃତ୍ୟୁବରଣ କରିଥିବା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ଧର୍ମଶାଳା ବ୍ଲକସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ତାଲା ଭଙ୍ଗା ଯାଇଛି। ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ତାଲା ଭଙ୍ଗା ଯାଇ କାଗଜପତ୍ର ଜବତ କରାଯାଇଛି। ଶ୍ରୀମତୀ ବିଶ୍ବାଳଙ୍କ ଆଲମିରାରୁ ହରିଦାସପୁର ପଞ୍ଚାୟତ ସମ୍ପର୍କିତ କାଗଜପତ୍ର ଜବତ ହୋଇଛି। ସେହିପରି ତାଙ୍କ ସରକାରୀ ବାସଭବନରୁ ମଧ୍ୟ କିଛି ସରକାରୀ କାଗଜପତ୍ର ମିଳିଛି। ଏହି କାର୍ଯ୍ୟରେ ମାଜିଷ୍ଟ୍ରେଟ୍ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ବାଇଁ, ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ସହେଯାଗୀ କର୍ମଚାରୀ ସାମଲ ହୋଇଥିଲେ। ସ୍ମିତାରାଣୀଙ୍କ ସରକାରୀ ବାସଭବନ ଖୋଲିବା ବେଳେ ତାଙ୍କ ସ୍ବାମୀ ସୁଶୀଲ କୁମାର ବିଶ୍ବାଳ ଓ ଶ୍ବଶୁର ସୀତାକାନ୍ତ ବିଶ୍ବାଳ ଉପସ୍ଥିତ ଥିଲେ।
ଆଜି ଠିକ୍ ମାସେ ପୂର୍ବରୁ ଗତମାସ ୧୬ତାରିଖରେ ସ୍ମିତାରାଣୀ ସ୍ବାଭାବିକ ଭାବେ ତାଙ୍କ ପଞ୍ଚାୟତ ହରିଦାସପୁରର ବିଭିନ୍ନ ଗ୍ରାମରେ ଭତ୍ତା ବଣ୍ଟନ କରିବାକୁ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗାଡ଼ିରେ ସରକାରୀ ବସଭବନରୁ ଯାଇଥିଲେ। ସେଠାରୁ ସ୍ମିତାରାଣୀ ଘରକୁ ଫେରିବା ପରିବର୍ତ୍ତେ ରୂପେଶଙ୍କ ରଙ୍ଗଶାଳା(ବେଆଇନ୍ ଗେଷ୍ଟହାଉସ୍)ରେ ତାଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା। ଧର୍ମଶାଳା ମେଡିକାଲରୁ ସ୍ମିତାରାଣୀଙ୍କ ମୃତଦେହ ପୁଲିସ ଜବତ କରିଥିଲା। ସ୍ମିତାରାଣୀଙ୍କ ମୃତ୍ୟୁ କିପରି, କେଉଁଠାରେ, କେଉଁ ପରିସ୍ଥିତିରେ ଓ କଣ ପାଇଁ ହେଲା, ତାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରିଲା ନାହିଁ। ଅଭିଯୁକ୍ତ ରୂପେଶଙ୍କ ବୟାନକୁ ଭିତ୍ତି କରି ପୁଲିସ ଯେଉଁ କେସ ଓ ତଦନ୍ତ କରିଛି। ସେ ନେଇ ମାସେ ହେଲାଣି ସନ୍ଦେହ ଓ ବିବାଦ ଲାଗିରହିଛି। ପୁଲିସର ତଦନ୍ତର ପ୍ରତ୍ୟେକ ପାଦରେ କେଉଁଠି ନା କେଉଁଠି ତ୍ରୁଟିକୁ ନେଇ ବିଧାନସଭାରେ ଝଡ଼ ଲାଗିରହିଛି। ସ୍ମିତାରାଣୀଙ୍କ ପରିବାର ମଧ୍ୟ ଭୟରେ ଗାଁ ଛାଡ଼ିଛନ୍ତି। ରୂପେଶ ଜେଲରେ ଥିବା ବେଳେ ଅନ୍ୟ ସାଥୀମାନଙ୍କୁ ପୁଲିସ ତଦନ୍ତର ପରସରଭୁକ୍ତ ନକରି ନିଜେ କାଠଗଡ଼ାରେ ଛିଡ଼ା ହୋଇଛି। ଯାହାକୁ ନେଇ ସ୍ମିତାରାଣୀଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟବୃତ୍ତ ହୋଇ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Jajpur-Smitarani.jpg)