ସ୍ମିତାରାଣୀ ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଛି : ଜେଲ୍‌ରେ ଥାଇ ଟଙ୍କା କାରବାର

ରୂପେଶଙ୍କ ଆକାଉଣ୍ଟରୁ ଉଠିଛି ୧୧ ଲକ୍ଷ, ଟଙ୍କା ନେଇଥିବା ଚିନ୍ମୟଙ୍କୁ ନେଇ ଚର୍ଚ୍ଚା

ଯାଜପୁର : ମାସାଧିକ ସମୟ ପରେ ବି ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରିନି। ଏ ପଟେ ଗିରଫ ହୋଇ ଜେଲ୍‌ରେ ଥିବା ରୂପେଶ ଭଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ଆଲୋଡ଼ନ ସୃଷ୍ଟି କରିଛି। ଆଜି ‘ସମ୍ବାଦ’ରେ ୩ କୋଟି ଟଙ୍କାର କାରବାର ସମ୍ପର୍କରେ ଖବର ପ୍ରକାଶ ପରେ ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି। ଚିନ୍ମୟ ଶତପଥୀଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି। ରୂପେଶ ଜେଲ୍‌ରେ ଥିବାବେଳେ କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା କାରବାର ହୋଇଛି, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ଜଣାପଡ଼ିଥିଲା ଯେ, ଗତ ୯ ମାସ ମଧ୍ୟରେ ରାମ୍‌କୋ ସିମେଣ୍ଟ କମ୍ପାନି ଓ ରୂପେଶ ଭଦ୍ରଙ୍କ ମଧ୍ୟରେ ୩ କୋଟି ଟଙ୍କାର କାରବାର ହୋଇଛି। ଏହି ସିମେଣ୍ଟ କାରଖାନାରେ ନିର୍ମାଣ କାମ କରୁଥିବା ଏଲ୍‌ଆଣ୍ଡଟିର ଭେଣ୍ଡର ହେଉଛନ୍ତି ରୂପେଶ। କ’ଣ ପାଇଁ କୋଟି କୋଟି ଟଙ୍କାର କାରବାର ହୋଇଛି, ତାହାକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଆଜି ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି। ରୂପେଶ ଜେଲ୍‌ ଥିବା ସତ୍ତ୍ବେ ତାଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା କାରବାର ହୋଇଛି। ସ୍ମିତାରାଣୀଙ୍କ ମୃତ୍ୟୁ ଦିନ ବି ରୂପେଶଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଚିନ୍ମୟ ପ୍ରସାଦ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କୁ ଚେକ୍ ଜରିଆରେ ପ୍ରଦାନ କରାଯାଇଥିଲା। ଏହାପରେ ବି ଆଉ ୯ ଲକ୍ଷ ଟଙ୍କା ରୂପେଶଙ୍କ ଆକାଉଣ୍ଟରୁ ଏହି ଭଦ୍ର ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ଗତ ୨୯ତାରିଖରେ ୪ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଆଜି ଆଜି ୫ଲକ୍ଷ ଟଙ୍କା ରୂପେଶଙ୍କ ଆକାଉଣ୍ଟରୁ ଚିନ୍ମୟ ଚେକ୍ ଜରିଆରେ ଉଠାଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ରୂପେଶ ଜେଲ୍‌ରେ ଥିବାବେଳେ କେଉଁ ଉଦ୍ଦେଶ୍ୟରେ ଲକ୍ଷଲକ୍ଷ ଟଙ୍କାର କାରବାର ହୋଇଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଏବେ ଆଲୋଚନାକୁ ପରିସରକୁ ଆସିଛନ୍ତି ଏହି ଚିନ୍ମୟ ଶତପଥୀ। ଏହି ଚିନ୍ମୟ ଶତପଥୀ କିଏ, ଏବଂ ରୂପେଶ ଏତେ ଟଙ୍କା ତାଙ୍କୁ କାହିଁକି ଦେଉଛନ୍ତି ଏବଂ ଏହି ଟଙ୍କା କେବଳ ତାଙ୍କ ପାଖରେ ରହୁଛି ନା ଅନ୍ୟମାନଙ୍କ ନିକଟକୁ ଯାଉଛି, ସାଧାରଣ ଲୋକଙ୍କ ମନରେ ବି ଏହିଭଳି ପ୍ରଶ୍ନ ଉଙ୍କି ମାରୁଛି।

ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ପ୍ରେମଜନିତ ଆତ୍ମହତ୍ୟା କହି ପୁଲିସ ଚୁପ୍‌ ରହିଥି‌ବା ବେଳେ ଏହି ଘଟଣା ସହ ଅନେକ ଖିଅ ଯୋଡ଼ି ହେବାପରେ ପ୍ରସଙ୍ଗ ଅଧିକ ଜଟିଳ ହେବାରେ ଲାଗିଛି। ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ରୂପେଶ ଭଦ୍ରଙ୍କ ରଙ୍ଗଶାଳାରେ ଉପସ୍ଥିତ ଥିବା ରାମ୍‌କୋ କମ୍ପାନି ଅଧିକାରୀ, ତାଙ୍କ ସହଯୋଗୀକୁ ପୁଲିସ ପଚରାଉଚରା ନକରିବା ପଛର କାରଣକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ, ରାମ୍‌କୋ ସହିତ ଏଲ୍‌ଆଣ୍ଡଟି ଜରିଆରେ ଗତ ୯ ମାସରେ ରୂପେଶ କରିଥିବା ୩ କୋଟି ୭ଲକ୍ଷ ଟଙ୍କାର କାରବାର କଥା ବି ଆଜି ବିଜେପି ବିଧାନସଭା ବାହାରେ ଉଠାଇଛି। ଏହି ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରି ଆସୁଥିବାବେଳେ ଏଥିପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର