ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ମହିଳା କମିସନ୍‌ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କଲା ବିଜେପି, ୨୮ରେ କମିସନ୍‌ଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ବର : ଯାଜପୁରରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ମହିଳା କମିସନ୍‌ଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି। ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଫଳ ହୋଇଥିବା କମିସନ୍‌ ଅଧ୍ୟକ୍ଷା ମିନତି ବେହେରା ଇସ୍ତଫା ଦେବାକୁ ଦଳ ଦାବି କରିଛି। ଇସ୍ତଫା ନ ଦେଲେ ଆସନ୍ତା ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିସନ୍‌ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦିଆଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ସ୍ମିତାରାଣୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲେ ବି ପ୍ରଥମେ ମହିଳା କମିସନ୍ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଚୁପ୍ ରହିଲେ। ଯେତେବେଳେ ଗଣମାଧ୍ୟମ ଓ ବିରୋଧୀ ଦଳ ମହିଳା କମିସନ୍‌ଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିସନ୍‌ ଅଧ୍ୟକ୍ଷା‌ କହ‌ିଲେ ଯେ ନିରପେକ୍ଷ ଭାବେ ତଦନ୍ତ ହୋଇସାରିଛି। ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ। ଗତ ୧୯ ତାରିଖରେ ସେ ଯାଜପୁର ଯାଇ ତଦନ୍ତ କରିଥିବା କହୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ, ତେବେ ତଦନ୍ତ ବେଳେ କାହାକୁ ଭେଟିଲେ ? ସ୍ମିତାରାଣୀଙ୍କ ପରିବାରକୁ ଭେଟିଥିଲେ କି ? ଯେତେବେଳେ ସ୍ମିତାରାଣୀଙ୍କ ସ୍ବାମୀ ଭୁବନେଶ୍ବରରେ ମହଳା କମିସନ୍‌ ଅଧ୍ୟକ୍ଷାଙ୍କୁ ଭେଟିଲେ, ସେତେବେଳେ ଅଧ୍ୟକ୍ଷା ତାଙ୍କୁ ଚିହ୍ନି ନ ଥିବା କଥା କହିଲେ। ଏପରିକି ମହିଳା କମିସନ୍ ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଗାଁକୁ ଯାଇନାହାନ୍ତି ବୋଲି ସେହି ଗାଁ ଲୋକ କହୁଛନ୍ତି। ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି, ତାଙ୍କ ସ୍ବାମୀଙ୍କର ବିନା ବୟାନରେ ତାଙ୍କ ସହିତ କଥା ନ ହୋଇ କି ପ୍ରକାର ତଦନ୍ତ କଲେ ? ସ୍ମିତାରାଣୀଙ୍କ ସହଯୋଗୀ କର୍ମଚାରୀମାନଙ୍କ ସହିତ ବି ସେ କଥା ହୋଇନାହାନ୍ତି। ସ୍ଥାନୀୟ ଧର୍ମଶାଳା ପୁଲିସ୍‌ ପାଖରେ ବି ମହିଳା କମିସନ୍‌ ଅଧ୍ୟକ୍ଷା ଯିବା ନେଇ ଖବର ନାହିଁ। ତେଣୁ ଏପରି ମିଛ କହୁଥିବା କମିସନ୍ ଅଧ୍ୟକ୍ଷା‌ କେବେ ବି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିପାରିବେ ନାହିଁ। ଯଦି ପ୍ରକୃତରେ ସେ ଯାଇଛନ୍ତି, ତେବେ ତାହାର ପ୍ରମାଣ ଦିଅନ୍ତୁ। ନଚେତ ସେ ମିଛ କହୁଥିଲେ ବୋଲି ପ୍ରମାଣିତ ହେବ ଓ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିବେ। ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦେଇ ସେହି ପଦବିର ଗାରିମା ରକ୍ଷା କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା ଦାବି କରିଥ‌ିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ, କାନନବାଳା ପଟ୍ଟନାୟକ ଓ ନିୟତି ଗିରି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର