ପ୍ରଶ୍ନକାଳ, ଶୂନ୍ୟକାଳ ହୋଇପାରିଲାନି
ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ, ଅଶ୍ଲୀଳ ଭାଷାରେ ଗର୍ଜିଲେ
ନିୟମାବଳୀ ଅନୁସାରେ ନୋଟିସ୍ ଦେଇନି ବିଜେପି : ବାଚସ୍ପତି
ଭୁବନେଶ୍ବର : ଗତକାଲି ବିଧାନସଭା ଆରମ୍ଭରୁ ଦୃଶ୍ୟ ଯେମିତି ଥିଲା, ଆଜି ବି ସେମିତି ଥିଲା। ଗତକାଲି ଠାରୁ ବହୁଥିବା ଝଡ଼ ଆଜି ବି ସକାଳୁ ତା’ର ତାଉ ଦେଖାଇଲା। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଉଡ଼ିଗଲା। ଶୂନ୍ୟକାଳ ଆଦୌ ହେଲାନି। ପରବର୍ତ୍ତୀ ସମୟରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ପାଖାପାଖି ଦୁଇଘଣ୍ଟା ଧରି ପ୍ରତିବାଦର ସ୍ବରକୁ ବହୁଗୁଣିତ କରିଥିଲେ। ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ଏବଂ ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକମାନେ ଏହି ସମୟରେ ତୁମୁଳ କାଣ୍ଡ ଘଟାଇଥିଲେ। ଦଳର ଦୁଇ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିୟମରୁ ମାଇକ ଭାଙ୍ଗିଦେଇଥିଲା ବେଳେ ବିଧାୟିକା କୁସୁମ ଟେଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ।
ବାଚସ୍ପତି ବ୍ୟାନର ଛଡାଇବାକୁ ସୁରକ୍ଷା କର୍ମୀଙ୍କୁ ପଠାଇବା ପରେ ବିଧାୟକ ଜୟନାରାୟଣ ମିଶ୍ର ଅତ୍ୟନ୍ତ ଉତକ୍ଷିପ୍ତ ହୋଇପଡି ଅଶ୍ଳୀଳ ଶବ୍ଦରେ ପାଟି କରିଥିଲେ। ଏହା ଏତେ ଶ୍ରୁତିକଟୁ ଥିଲା ଯେ ନିଜେ ବିରୋଧୀ ଦଳ ଉପନେତା ତାଙ୍କ ପାଟି ଚାପି ଧରିଥିଲେ। ତେବେ ଏପରି ସ୍ଥିତି ସତ୍ତ୍ବେ ବାଚସ୍ପତି ଆଜି ମୁଖ୍ୟ ବିରୋଧୀ ଦଳକୁ ଛାଡି ମୁଲତବୀ ପ୍ରସ୍ତାବ ଆଲୋଚନା କରିଥିଲେ, ଯାହା ନିକଟ ଅତୀତରେ କେବେ ଦେଖାଯାଇନଥିଲା। କାରଣ, ମୁଲତବୀ ପ୍ରସ୍ତାବ ସବୁବେଳେ ବିରୋଧୀ ଦଳର ଓ ଓଡ଼ିଶା ବିଧାନସଭାରେ ଏହାକୁ ବିରୋଧୀ ଦଳମାନେ ଅମୋଘ ଅସ୍ତ୍ର ଭାବେ ସରକାରଙ୍କ ବିରୋଧରେ ପ୍ରୟୋଗ କରିବାର ପରମ୍ପରା ରହିଆସିଛି।
ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ କଂଗ୍ରେସ ସଭ୍ୟମାନେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ଆଲୋଚନା କରିବା ପାଇଁ ଦାବି କରିଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରଶ୍ନକାଳ ବାତିଲ୍ କରିବାକୁ ସେମାନେ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେପି ସଭ୍ୟମାନେ ମଧ୍ୟ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଗୃହ ମଧ୍ୟ ଭାଗକୁ ଚାଲି ଆସିଥିଲେ। ଉଭୟ ଦଳ ସଭ୍ୟଙ୍କ ନାରାବାଜିରେ ଗୃହ କମ୍ପି ଉଠିଥିଲା। ବିଜେପି ସଭ୍ୟମାନେ ବ୍ୟାନର୍ ପ୍ରଦର୍ଶନ କରିଥିଲେ। ସେଥିରେ ଲେଖାଥିଲା, ‘ସ୍ମିତାରାଣୀ ମୃତ୍ୟୁର ତଦନ୍ତ ବାଟବଣା କଲା କିଏ...’, ‘ରଙ୍ଗଶାଳା ସିସିଟିଭି କୁଆଡ଼େ ଗଲା...’, ‘ଯାଜପୁର ଏସ୍ପିଙ୍କ ବରଖାସ୍ତ ଆମର ଦାବି...’। ଏହି ସମୟରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଡାକିଥିଲେ। ମନ୍ତ୍ରୀ ଉତ୍ତର ପଢ଼ୁଥିଲେ ବି କିଛି ଶୁଣାଯାଉ ନ ଥିଲା। ବିରୋଧୀଙ୍କ ହୋହଲ୍ଲା ଏତେ ଜୋର୍ରେ ଥିଲା ଯେ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ମାତ୍ର ତିନି ମିନିଟ୍ ପରେ ଅର୍ଥାତ ୧୦ଟା ୩୩ରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।
୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସେମିତି ପୂର୍ବ ପରି ବ୍ୟାନର୍ ପ୍ରଦର୍ଶନ କରି ସରକାରଙ୍କ ବିରୋଧରେ ନାରାବାଜି କଲେ। ତେବେ କଂଗ୍ରେସ ପକ୍ଷରୁ ସ୍ମିତାରାଣୀ ମୃତ୍ୟୁ ସଂକ୍ରାନ୍ତରେ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗୃହୀତ ହୋଇଥିବାରୁ କଂଗ୍ରେସ ସଭ୍ୟମାନେ ଆଉ ହୋହଲ୍ଲା କରି ନ ଥିଲେ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଗତକାଲି ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ୧୧.୧୧.୨୦୧୯ରେ ‘ଓଡ଼ିଶାରେ ନାରୀ ନିର୍ଯାତନା ସୀମା ଲଂଘଇଛି’ ସମ୍ପର୍କରେ ଆଗତ ମୁଲତବୀ ପ୍ରସ୍ତାବ ଓ ଗତକାଲି ୧୩.୧୧.୨୦୧୯ରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ଆଗତ ସେହି ସମ୍ପର୍କିତ ଦୁଇଟି ନୋଟିସ୍ ଅଫ୍ ମୋସନ୍ ଉପରେ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀରେ ଥିବା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଉପରୋକ୍ତ ବିଷୟକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ବହୁମତ ପ୍ରକାଶ ପାଇଥିଲା। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକଙ୍କୁ ଏହି ଆଲୋଚନାରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା। କିନ୍ତୁ ଗତକାଲି ସନ୍ଧ୍ୟା ୬ଟାରେ ଏହି ମୁଲତବୀ ପ୍ରସ୍ତାବଟିକୁ ବାତିଲ୍ କରିବା ପାଇଁ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଲିଖିତ ଭାବେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଏହା ବାଦ୍ ଗତକାଲି ପ୍ରଦତ୍ତ ମୋସନ୍ ସଂକ୍ରାନ୍ତୀୟ ନୋଟିସ୍ ମଧ୍ୟ ଉପଯୁକ୍ତ ଆକାରରେ ପ୍ରସ୍ତାବିତ ହୋଇ ନାହିଁ ବୋଲି ଗତକାଲି ଗୃହରେ ସୂଚାଇ ଦେଇଥିଲି। ସେହିପରି ଗତକାଲି ଅପରାହ୍ନରେ ମିଳିଥିବା ମୋସନ୍ ସଂକ୍ରାନ୍ତୀୟ ନୋଟିସ୍ଟି ମଧ୍ୟ ଉପଯୁକ୍ତ ଆକାରରେ ପ୍ରସ୍ତାବିତ ହୋଇ ନାହିଁ। ବିଜେପି ବିଧାୟକ ଦଳ ପକ୍ଷରୁ ଆଉ କୌଣସି ମୁଲତବୀ ପ୍ରସ୍ତାବ ଆଜି ସକାଳ ୯ଟା ୩୦ ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ। କଂଗ୍ରେସ ବିଧାୟକ ଦଳ ନେତାଙ୍କ ପକ୍ଷରୁ ପ୍ରାପ୍ତ ଦୁଇଟି ମୁଲତବୀ ପ୍ରସ୍ତାବ ନୋଟିସ୍ ମଧ୍ୟରୁ ‘ରହସ୍ୟ ଘେରରେ ଲେଡି ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ଆତ୍ମହତ୍ୟା ପ୍ରସଙ୍ଗ : ତଦନ୍ତ କରି ସତ୍ୟ ଉନ୍ମୋଚନ ପାଇଁ ପ୍ରଶାସନ ଓ ପୁଲିସ୍ର ଆନ୍ତରିକତା ନାହିଁ’ ସମ୍ପର୍କିତ ମୁଲତବୀ ପ୍ରସ୍ତାବଟିକୁ ଆଜି ଗୃହରେ ଆଲୋଚନା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ତେଣୁ ଏହି ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ ମୁଁ ଗୃହରେ ରଖୁଛି।
ବାଚସ୍ପତି କହୁଥିଲା ବେଳେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା ଜାରି ରଖିଥିଲେ। ଶାସକ ଦଳ ମୁଖ୍ୟ ସେଚତକ ପ୍ରମିଳା ମଲ୍ଲିକ, ବରିଷ୍ଠ ସଭ୍ୟ ପ୍ରତାପ ଦେବ ଓ ଶଶୀଭୂଷଣ ବେହେରା ପ୍ରମୁଖ ବିଜେପି ସଭ୍ୟମାନଙ୍କୁ ସମାଲୋଚନା କରି ପ୍ରସଙ୍ଗ ଉପରେ ସେମାନଙ୍କର ଆନ୍ତରିକତା ନାହିଁ ବୋଲି କହିଥିଲେ। ୧୨ଟା ୯ରେ ବାଚସ୍ପତି ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ ରଖିଲେ। ୧୨ଟା ୩୯ରେ ଗୃହ ଆରମ୍ଭ ହେଲା ମାତ୍ରେ ପୁଣି ବିଜେପି ସଭ୍ୟମାନେ ନାରାବାଜି କଲେ। କିନ୍ତୁ ବାଚସ୍ପତି ମୁଲତବୀ ଆଲୋଚନା ଆରମ୍ଭ କଲେ। ୨ଟା ୨୧ ପର୍ଯ୍ୟନ୍ତ ହୋହଲ୍ଲା ଭିତରେ ମୁଲତବୀ ଆଲୋଚନା ହେଲା। ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗରେ ତାଳି ମାରିଥିଲେ, ସ୍ଲୋଗାନ ଦେଇଥିଲେ ଓ ବ୍ୟାନର ପ୍ରଦର୍ଶନ କରିଥିଲେ। ବିଧାୟକ ନବଚରଣ ମାଝୀ ଓ ଗଣେଶ ରାମ ସିଂହ ଖୁଣ୍ଟିଆ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଚେଷ୍ଟା କରି ମାଇକ୍ ଭିଡି ଭାଙ୍ଗିଦେଇଥିଲେ। ବିଧାୟିକା କୁସୁମ ଟେଟେ ଓ ଅନ୍ୟମାନେ ବିରୋଧୀ ଦଳ ପଟୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଶିଢିରେ ଚଢି ଉଠିବାକୁ ଚେଷ୍ଟା କରିଥିଲେ। ସୁରକ୍ଷା କର୍ମୀଙ୍କୁ ତାଙ୍କୁ ଅଟକାଇଥିଲେ। ଗୋଟିଏ ସମୟରେ ବାଚସ୍ପତିଙ୍କୁ ୧୭ ଜଣ ସୁରକ୍ଷା କର୍ମଚାରୀ ଘେରି ରହିଥିଲେ ଓ ଗୃହ ମଧ୍ୟଭାଗରେ ୧୭ ଜଣ ବିଧାୟକ ସରକାର ବିରୋଧରେ କମ୍ପୁଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଆଜି ବାଚସ୍ପତି ସରକାରୀ ଦଳ ଓ କଂଗ୍ରେସ ସହ ମିଶି ହଟ୍ଟଗୋଳ ଭିତରେ ଆଲୋଚନା କରିଥିଲେ। ଏହା ଅଗଣତାନ୍ତ୍ରିକ। ବାଚସ୍ପତିଙ୍କ ଏଭଳି ପକ୍ଷପାତିତା ବିରୋଧରେ ବିରୋଧ ଜାରି ରହିବ। ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଯେ ରୂପେଶ ଭଦ୍ର ବ୍ୟତୀତ ସେଦିନ ଆଉ ଜଣେ ଜିଲ୍ଲା ପରିଷଦ ସଭ୍ୟ, ଦୁଇଜଣ ସମିତି ସଭ୍ୟ ଏବଂ ରାମକୋ ଅଧିକାରୀ ଥିଲେ। ଏ ସମସ୍ତଙ୍କ ବିରୋଧରେ ଦଫା ୩୦୨ରେ ମକଦ୍ଦମା ରୁଜୁ କରାଯାଉ। ମହିଳା କମିସନଙ୍କୁ ସରକାର ବହିଷ୍କାର କରନ୍ତୁ ଓ ଏସପିଙ୍କୁ ନିଲମ୍ବିତ କରାଯାଉ। ଘଟଣାର ସିବିଆଇ ତଦନ୍ତ ନ ହେଲେ ବିଜେପି ଏହି ପ୍ରସଙ୍ଗରୁ ହଟିବାର ପ୍ରଶ୍ନ ଉଠୁନାହିଁ। ।
୪ଟା ୨୧ରେ ଅପରାହ୍ନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେପି ସଭ୍ୟମାନେ ପୂର୍ବ ପରି ସେମିତି ନାରାବାଜି କଲେ। ଏହି ହୋହଲ୍ଲା ଭିତରେ ୧୩ ମିନିଟ୍ ଗୃହ ଚାଲିଲା। କିଛି ସଭ୍ୟ ପ୍ରତିବେଦନ ଉପସ୍ଥାପନ କରିଥିଲେ। ୪ଟା ୩୪ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/assembly-sepeaker.jpg)