ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳ(୩୪)ଙ୍କର ମୃତ୍ୟୁ ଘଟଣାରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇ ଥିବା ଅଭିଯୋଗରେ (ଦଫା ୩୦୬) ପୁଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ହତ୍ୟା ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି।
ମଙ୍ଗଳବାର ସୁଶୀଲ ରାଜ୍ୟ ମାନବାଧିକାର କମିସନ ଓ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରି କହିଛନ୍ତି, ସ୍ମିତାରାଣୀ ବିଶ୍ୱାଳକୁ ବେଆଇନ କାମ କରିବାକୁ ବାଧ୍ୟ କରାଯାଉଥିଲା । ସେଥିପାଇଁ ସେ ମାନସିକ ଚିନ୍ତାରେ ରହୁଥିଲେ। ଏହି ଘଟଣାକୁ ନେଇ ତାଙ୍କୁ ରୂପେଶ ଭଦ୍ରା ଓରଫ ନଣ୍ଡା ଓ ସହଯୋଗୀମାନେ ତାକୁ ହତ୍ୟା କରିଥାଇ ପାରନ୍ତି ବୋଲି ମୃତା ସ୍ମିତାରାଣୀଙ୍କ ସ୍ୱାମୀ କହିଛନ୍ତି ।
ସୁଶୀଲ ଅଭିଯୋଗରେ ଦର୍ଶାଇଛନ୍ତି, ସ୍ମିତାରାଣୀ ମୃତ୍ୟୁର ତଦନ୍ତ ସରି ନଥିବା ବେଳେ ଏସପି ତାଙ୍କ ଚରିତ୍ର ସଂହାର କରିଛନ୍ତି । ଯାହା ତାଙ୍କ ପରିବାର ଲୋକଙ୍କୁ ମର୍ମାହତ କରିବା ସହ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । ଜଣେ ମହିଳାର ଚରିତ୍ର ସଂହାର କରିବାର ଅଧିକାର ପୁଲିସର ନାହିଁ । ଏଥିସହିତ ପୁଲିସ ଚାପରେ ରହି ତଦନ୍ତ କରୁଥିବାରୁ ବାଟବଣା ହେଉଛି । ତେଣୁ ଘଟଣାର ପୁନଃ ତଦନ୍ତ କରାଯିବା ସହ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଥିବା ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।
ସେ ଗଣମାଧ୍ୟମକୁ କହିଛନ୍ତି, ସରପଞ୍ଚ ମୁଧୁସ୍ମିତା ଭଦ୍ର ଓ ତାଙ୍କ ସ୍ୱାମୀ ରୂପେଶ ଭଦ୍ର ବେଆଇନ ଭାବେ ବାର୍ଦ୍ଧକ୍ୟଭତ୍ତା ଦେବା ଲାଗି ବାଧ୍ୟ କରୁଥିଲେ । ସେ ସେଥିରେ ରାଜି ହେଉ ନଥିଲେ । ଯାହା ଫଳରେ ଏହାକୁ ନେଇ ତାଙ୍କ ଉପରେ ଚାପା ପକାଯାଉଥିଲା । ଘଟଣା ଦିନ ତାଙ୍କୁ ଗେଷ୍ଟ ହାଉସକୁ ଡାକି ଚାପ ପକାଇବା ସହ ହତ୍ୟା କରାଯାଇଥାଇ ପାରେ । ଗେଷ୍ଟ ହାଉସରୁ ସିସିଟିଭି ଫୁଟେଜ କିପରି ଗାଏବ ହୋଇଯାଇଛି। ପୁଲିସ ସଠିକ ଭାବେ ତଦନ୍ତ କରୁ ନାହିଁ। ତେଣୁ ଘଟଣାର ପୁନଃ ତଦନ୍ତ ବା ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସୁଶୀଲ ଦାବି କରିଛନ୍ତି ।