ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା

ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବେନଶ୍ବର: ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଏଭଳି ଦାବିରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା କରାଯିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାସହିତ ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।

ଗତ ୧୬ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ) ଦାୟିତ୍ବରେ ଥିବା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ରୂ‌ପେଶ ଭଦ୍ରଙ୍କ ଫାର୍ମହାଉସ୍‌ରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପିସିସି ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ମିତାରାଣୀଙ୍କ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିଥିଲା। ତେବେ ତଦନ୍ତରେ ଶିଥିଳତା ଏବଂ ଶାସକ ଦଳର ନେତାଙ୍କ ସଲାସୁତୁରାରେ ଯାଜପୁର ଜିଲ୍ଲା ଏସପିଙ୍କ ବୟାନକୁ ବିରୋଧ ଦଳ ପକ୍ଷରୁ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଓ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ଭେଟି ସିବିଆଇ ତଦନ୍ତ ଦାବି ଉପସ୍ଥାପନ କରାଯାଇଥିଲା।

ଆଜି ଧାରଣାସ୍ଥଳରେ ଉପସ୍ଥିତ ନେତାମାନେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ମହିଳା ଆୟୋଗଙ୍କ ଭିଜିଲାନ୍ସ ତଦନ୍ତ ସୁପାରିସ କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନ ନେଇ ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଅଭିଯୋଗ କରିଥିଲେ। ଯେ ପର୍ଯ୍ୟନ୍ତ ସ୍ବର୍ଗତଃ ବିଶ୍ବାଳଙ୍କ ପରିବାରବର୍ଗଙ୍କୁ ନ୍ୟାୟ ନ ମିଳିଛି ଓ ତାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନ କରାଯାଇଛି ସେ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସାରା ରାଜ୍ୟରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ଅପରାହ୍ଣରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଜଭବନର ସ୍ବତନ୍ତ୍ର ସଚିବଙ୍କୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ଧାରଣା ଓ ପ୍ରତିବାଦ ସଭାରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଦେଶ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା, ସ୍ମୃତିରେଖା ପହି, ରୀତାଶ୍ରୀ ମହାନ୍ତି, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ସ୍ବାଗତିକା ପଟ୍ଟନାୟକ, ଗିରିବାଳା ବେହେରା, ଶୈଳବାଳା ଜେନା, ଯଜ୍ଞେଶ୍ବର ବାବୁ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ମନୋଜ ରାଉତ, ରଞ୍ଜିତା ରାଉତ, ସତ୍ୟ ପ୍ରକାଶ ନାୟକଙ୍କ ସମେତ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର