ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା, ସ୍ବାମୀ ସୁଶୀଲ ବିଶ୍ବାଳଙ୍କ ବିସ୍ଫୋରକ ବୟାନ

ଫଟୋ ଦେଖାଇ ପୁଲିସର ବ୍ଲାକ୍‌ମେଲିଂ!

ଯାଜପୁର: କୌଣସି ଅପରାଧୀ ନୁହେଁ, ଖୋଦ୍‌ ପୁଲିସ କରୁଛି ବ୍ଲାକ୍‌ମେଲିଂ। ମୃତ ପତ୍ନୀଙ୍କ ଅତରଙ୍ଗ ମୁହୂର୍ତ୍ତର ଫଟୋ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି ଧମକ ଦେବାକୁ ପଛାଉ ନାହିଁ। ହରିଦାସପୁର ପିିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ବଦଳରେ ତାଙ୍କ ପରିବାର ଉପରେ ଏମିତି ଚାପ ପ୍ରୟୋଗ କରିଛି ପୁଲିସ। ଏଭଳି ସାଂଘାତିକ ତଥା ବିସ୍ଫୋରକ ବୟାନ ଦେଇଛନ୍ତି ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ। ପୁଲିସ ଉପରୁ ଭରସା ତୁଟିବା ସହ ଏଠାରେ ଅସୁରକ୍ଷିତ ମନେ କରି ଗାଁ ଛାଡ଼ିଛନ୍ତି ସ୍ମିତାରାଣୀଙ୍କ ପରିବାର।ସ୍ମିତାରାଣୀଙ୍କ ଇଂଜିନିୟର ସ୍ବାମୀ ସୁଶୀଲ ବିଶ୍ବାଳ ‘ସମ୍ବାଦ’କୁ ଦେଇଥିବା ବି‌ସ୍ଫୋରକ ବୟାନ ପୁଲିସର ଅସଲ ଚେହେରାକୁ ପଦାରେ ପକାଇଛି। ଘଟଣାକୁ ଚାପିବା ପାଇଁ ପୁଲିସ ରୂପେଶ- ସ୍ମିତାରଣୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ବ୍ଲାକମେଲିଂ କରିଥିବା ସୁଶୀଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଗତ ୧୬ତାରିଖ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳା (ବେଆଇନ୍ ଗେଷ୍ଟ ହାଉସ)ରେ ତାଙ୍କ ପତ୍ନୀ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଲା। ଘଟଣାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିଆସୁଛୁ। ପୁଲିସ ଉପରେ ଭରସା ନାହିଁ। ପୁଲିସ ତାଙ୍କୁ ପ୍ରଥମେ ଦୁଇ ଦିନ ପଚରାଉଚରା କରିବା ବାହାନାରେ ସ୍ମିତାରାଣୀ- ରୂପେଶଙ୍କର ଏକ ଅନ୍ତରଙ୍ଗ ଫଟୋ ଦେଖାଇ ବ୍ଲାକ୍‌ମେଲିଂ କରିଥିଲା।

ଗାଁ ଛାଡ଼ିଲେ ସ୍ମିତାରାଣୀଙ୍କ ପରିବାର
ବନ୍ଦ ଘରକୁ ପହରା ଦେଉଛି ପୁଲିସ

ଯାହାଫଳରେ ସେ ମାନସିକ ଚାପରେ ରହି ଦୁଇ ଦିନ ପର୍ଯ୍ୟନ୍ତ ଗଣମାଧ୍ୟମ ଠାରୁ ଦୂରେଇ ରହିଥିଲେ। ଏସ୍‌ପିଙ୍କ ଉପସ୍ଥିତିରେ ପୁଲିସ ତାଙ୍କୁ ଗୋଟିଏ ଫଟୋ ଦେଖାଇବା ସହିତ ଅପରାଧୀ କହୁଥିବା ପ୍ରେମ ନାଟକ ଶୁଣାଇଥିଲେ। ଏପରିକି ସ୍ମିତାରାଣୀ ତାଙ୍କୁ ଛାଡ଼ପତ୍ର ଦେବ ବୋଲି କହିଥିବା ଅଡିଓ ଓ ବହୁ ଅଶ୍ଲୀଳ ଫଟୋ ଥିବା କହିଥିଲେ। ସେ ସବୁକୁ ଦେଖିବା ପାଇଁ ମାଗିବାରୁ ଏହା ଦେଖାଇ ହେବ ନାହିଁ ବୋଲି ଏସ୍‌ପି କହିଥିବା ସୁଶୀଲ ଅଭିଯୋଗ କରିଛନ୍ତି। ଏହି ସମୟରେ ସେ ପୁଲିସକୁ ପାଲଟା ପ୍ରଶ୍ନ କରିଥିଲେ। ଯଦି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା, ତେବେ କେଉଁ ଉଦ୍ଦେଶ୍ୟରେ ଏହି ଫଟୋ ଉଠା ଯାଇଥିଲା? ଉଭୟଙ୍କ ସଂପର୍କକୁ ନେଇ କେବେ ସନ୍ଦେହ ପ୍ରକାଶ କରି ନଥିବା ବେଳେ ଛାଡ଼ପତ୍ର କଥା କାହିଁକି ଉଠିଥିଲା? ଯେଉଁ ଫଟୋ ଉଠିଛି ତାହା ସ୍ମିତାରାଣୀଙ୍କୁ ବ୍ଲାକ୍ ମେଲିଂ କରି ଅନୈତିକ କାମ ଓ ଦୁର୍ନୀତିରେ ଲିପ୍ତ କରାଯାଉ ନଥିଲା ତ? ଏଥିପାଇଁ ତାଙ୍କୁ ହତ୍ୟା କିମ୍ବା ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇ ନାହିଁ ତ? ଇତ୍ୟାଦି ପ୍ରଶ୍ନ ପଚାରିବାରୁ ପୁଲିସ ଅଧିକାରୀମାନେ ନିରବ ରହିଥିଲେ ବୋଲି ସୁଶୀଲ କହିଛନ୍ତି। ଏପରିକି ରୂପେଶ-ସ୍ମିତାରାଣୀଙ୍କ ଗୋଟିଏ ଅନ୍ତରଙ୍ଗ ଫଟୋକୁ ଦେଖାଇ ପୁଲିସ ଧମକ ଦେଇଥିଲା। ଏ ସବୁ ଫଟୋ ଓ ଅଡିଓ ଗଣମଧ୍ୟମକୁ ଦିଆଗଲେ ତୁମ ପରିବାର ମୁଣ୍ଡ ଟେକି ଦାଣ୍ଡରେ ଚାଲିପାରିବ କି? ତେଣୁ ଗଣମାଧ୍ୟମକୁ କିଛି କୁହ ନାହିଁ। ପୁଲିସ ଠିକ୍ ତଦନ୍ତ କରୁଛି ବୋଲି କୁହ। ପୁଲିସର ସେହି ଧମକରେ ପ୍ରଥମେ ପୁଲିସ ଠିକ୍ ତଦନ୍ତ କରୁଥିବା କହିଥିଲି ବୋଲି ସୁଶୀଲ କହିଛନ୍ତି।

ଅପରପକ୍ଷରେ ଆଜି ସ୍ମିତାରାଣୀଙ୍କ ବାପା, ମା, ସ୍ବାମୀ ଓ ଶିଶୁ କନ୍ୟା ଧର୍ମଶାଳା ଛାଡ଼ିଛନ୍ତି। ଚୋରମୁହାଁ ଘରେ ତାଲା ପଡ଼ିଛି। ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ବାଳ ଓ ସୁଶୀଲ କହିଥିଲେ ଯେ ଜେଲରେ ଥିବା ରୂପେଶର ନେଟୱର୍କ ବହୁତ ବଡ଼। ତାଙ୍କ ଗ୍ୟାଙ୍ଗର ଅପରାଧୀଙ୍କ ଆଡୁ ଜୀବନ ପ୍ରତି ବିପଦ ରହିଛି। ଏପରିକି ହରିଦାସପୁରରେ ୩ଟି ସିରିଜ ହତ୍ୟାକାଣ୍ଡ ହୋଇଥିବା ସତ୍ତ୍ବେ ଗୋଟିଏ ଘଟଣାରେ ବି ପୁଲିସ ଅପରାଧୀଙ୍କୁ ଧରିବା ଦୂର କଥା ହତ୍ୟା ମାମଲା ରୁଜୁ କରିନାହିଁ। ଯାଜପୁର ପୁଲିସ ଉପରେ ଭରସା ନାହିଁ ବୋଲି କହି ସପରିବାର ଘରେ ତାଲା ପକାଇ ପଳାଇଛନ୍ତି। ଆଜି ସେହି ତାଲା ପଡ଼ିଥିବା ଘର ନିକଟରେ ପୁଲିସ ପହରା ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର