ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ବୃତ୍ତିଗତ ଆଧାରରେ ତଦନ୍ତ କରାଯାଉ, ୨୬ରେ ଯାଜପୁରର ସବୁ ଥାନାରେ ଏସ୍‌ପିଙ୍କ ବିରୋଧରେ ଏତଲା, ଗୃହ ସଚିବଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ଭୁବନେଶ୍ବର : ଯାଜପୁର ଜିଲ୍ଲା ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ଘଟଣାରେ ପୁଲିସ ତଦନ୍ତକୁ ନେଇ ବିଜେପି ତା’ର ଆକ୍ରମଣକୁ ଆହୁରି ଶାଣିତ କରିଛି। ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ତଦନ୍ତ ବୃତ୍ତିଗତ ଆଧାରରେ କରିବାକୁ ଦାବି କରାଯାଇଥିଲା। ଅପରାହ୍ନରେ ବିଜେପିର ଏକ ପ୍ରତିନିଧି ଦଳ ଗୃହ ସଚିବଙ୍କୁ ଭେଟି ସ୍ମିତାରାଣୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଲେ, ରାଜ୍ୟ ସରକାର ମହିଳା ସଶକ୍ତୀକରଣ, ମୋ ସରକାର, ମୋ ପୁଲିସ ଓ ୫ଟି କଥା କହୁଥିବା ବେଳେ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଜଣେ ବି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ନ ଭେଟିବା ନିନ୍ଦନୀୟ। ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଯାଜପୁର ଏସ୍‌ପି ଘଟଣାକୁ ଚପାଇ ଦେବା ପାଇଁ ଅପଚେଷ୍ଟା କରୁଛନ୍ତି। ମହିଳା କମିସନ୍‌ ଘଟଣା ସ୍ଥଳକୁ ଯାଇଥିଲେ ବି ପରିବାର ଲୋକଙ୍କୁ ଏ ପର୍ଯ୍ୟନ୍ତ ଭେଟି ନାହାନ୍ତି। ଘଟଣାକୁ ସାତ ଦିନ ବିତିଯାଇଥିଲେ ବି ରାଜ୍ୟ ସରକାର, ଜିଲ୍ଲା ପୁଲିସ, ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ବାକି ଅଭିଯୁକ୍ତମାନଙ୍କୁ ଗିରଫ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ସମ୍ବେଦନହୀନ ହୋଇ କାର୍ଯ୍ୟ କରୁଛନ୍ତି। ସ୍ମିତାରାଣୀଙ୍କ ହତ୍ୟା ବେଳେ ଅତିଥି ଭବନରେ ଥିବା ବିଜେଡି ନେତା ଓ ରାମ୍‌କୋ ଅଧିକାରୀଙ୍କୁ ଜେରା ନ କରି ପୁଲିସ ମୃତକଙ୍କ ସ୍ବାମୀଙ୍କୁ ଜେରା କରୁଛି। ସେହି ଅତିଥି ଭବନକୁ ପୁଲିସ ଏ ପର୍ଯ୍ୟନ୍ତ ସିଲ୍‌ କରି ନାହିଁ। ମରଶରୀର ବୁହା ହୋଇଥିବା ସ୍କର୍ପିଓ ଗାଡ଼ିକୁ ବି ପୁଲିସ ଜବତ କରି ନାହିଁ। ହତ୍ୟାକାଣ୍ଡରେ ରାମ୍‌କୋ ଅଧିକାରୀଙ୍କ ହାତ ରହିଛି ବୋଲି ସନ୍ଦେହ ହେଉଥିଲେ ବି ତାହାକୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ସଚିବାଳୟ ତୃତୀୟ ମହଲା, ଜିଲ୍ଲା ପ୍ରଶାସନ ଓ ବିଜେଡି ନେତାଙ୍କ ସହ ରାମ୍‌କୋ ଅଧିକାରୀଙ୍କ କି ସମ୍ପର୍କ ରହିଛି ? ଜିଲ୍ଲା ଏସ୍‌ପି ଗଣମାଧ୍ୟମରେ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେବା ଦ୍ବାରା ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ କି ? ଅଭିଯୁକ୍ତଙ୍କ ବଦଳରେ ପୀଡ଼ିତାଙ୍କ ସ୍ବାମୀ, ଭାଇ, ବାପାଙ୍କୁ ଘଣ୍ଟା ଘଣ୍ଟା ଧରି ଥାନାରେ ଅଟକ ରଖାଯାଇ ଜେରା କରାଯିବାର ଉଦ୍ଦେଶ୍ୟ କ’ଣ ?

ଏସ୍‌ପିଙ୍କ ଏହି ମନ୍ତବ୍ୟ ବିରୋଧରେ ଆସନ୍ତା ୨୬ ତାରିଖରେ ଜିଲ୍ଲାର ସମସ୍ତ ଥାନାରେ ବିଜେପି ପକ୍ଷରୁ ଏସ୍‌ପି ଚରଣ ସିଂହ ମୀନାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ଓ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ଲୋକସେବା ଭବନରେ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଥିଲା, ଘଟଣାର ସାତ ଦିନ ବିତିଯାଇଥିଲେ ବି ପୁଲିସ କେବଳ ସ୍ମିତାରାଣୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ କରିଛି। ତାଙ୍କ ବୃତ୍ତିଗତ ଦିଗକୁ ଜାଣିଶୁଣି ଛାଡ଼ି ଦେଇଛି। ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ୍ କରାଇବା, ସେମାନଙ୍କ ସୁପାରିସ ଅନୁସାରେ ପକ୍କା ଘର ହିତାଧିକାରୀ ଚୟନ କରିବା‌ ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ। ସ୍ମିତରାଣୀ ଡ୍ୟୁଟିରେ ଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଧର୍ମଶାଳା ବିଡିଓ ଏ ପର୍ଯ୍ୟନ୍ତ ଏଫ୍‌ଆଇଆର୍‌ଦେଇ ନାହାନ୍ତି। ତୃଣମୂଳ ସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପ୍ରତି ଏପରି ଅତ୍ୟାଚାର ଘଟଣାରେ ମୁଖ୍ୟ ଶାସନ ସଚିବ ହସ୍ତକ୍ଷେପ କରିବା ସହ ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଜେପି ଦାବି କରିଥିଲା। ଏହି ପ୍ରତିନିଧି ଦଳରେ ରମାରଞ୍ଜନ ବଳିୟାରସିଂହ, କାଳନ୍ଦୀ ସାମଲ, ଅମର ନାୟକ, ଗୌତମ ରାୟ ଓ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର