ସିବିଆଇ ତଦନ୍ତ ହେଲେ ସ୍ମିତାରାଣୀଙ୍କୁ ନ୍ୟାୟ ମିିଳିବ: ବିଜେପି

ହତ୍ୟା ପଛରେ ରାମ୍‌କୋର ଜମି ଜବରଦଖଲ, ମିଡିଆରେ ରହିବା ପାଇଁ ହୀନ ରାଜନୀତି: ବିଜେଡି

ଭୁବନେଶ୍ବର : କିଛି ଦିନ ବ୍ୟବଧାନ ପରେ ବିଜେପି ପୁଣି ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍‌ କରିଛି। ଦଳ ପକ୍ଷରୁ କୁହାଯାଇଛି, ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ୪ଟି ପଞ୍ଚାୟତ ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଞ୍ଚାୟତର ୧୫୨ ଏକର ଜମି ରାମ୍‌କୋ ସିମେଣ୍ଟ କାରଖାନା ପାଇଁ ରାଜ୍ୟ ସରକାର ଦେଇଥିବା ବେଳେ ଆହୁରି ଶହ ଶହ ଏକର ଜମିକୁ ରାମ୍‌କୋ ଜବରଦଖଲ କରିଛି। ଏହି ଜବରଦଖଲ ଜମିରେ ଶ୍ମଶାନ, ଗୋଚର, ଅନାବାଦି, ଦେବୋତ୍ତର ଓ ଜଙ୍ଗଲ କିସମ ଜମି ରହିଛି। ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ନିମନ୍ତେ ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ମାତ୍ର ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, ରାମ୍‌କୋ ସିମେଣ୍ଟ କମ୍ପାନିର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସମ୍ପର୍କ ତୃତୀୟ ମହଲାର ୫-ଟି ସଚିବଙ୍କ ସହ ରହିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ସବୁ ଆଇନକାନୁନ୍‌କୁ ଅଣଦେଖା କରିଛି। ଇମାମୀ ଓ ଅନ୍ୟାନ୍ୟ ସିମେଣ୍ଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିଲା ବେଳେ ରାମ୍‌କୋ ପାଇଁ କାହିଁକି ସଭା କରାଗଲା ନାହିଁ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମ୍‌କୋ କିପରି ଜବରଦଖଲ କ‌ଲା? ଜିଲ୍ଲାରେ ଜିଲ୍ଲାପାଳ, ଏସ୍‌ପି, ବିଡିଓ, ତହସିଲ୍‌ଦାର, ରାଜସ୍ବ ଅଧିକାରୀ ଥିବା ସତ୍ତ୍ବେ ରାମ୍‌କୋ ବେଆଇନ ଭାବେ ଶହ ଶହ ଏକର ଜମି କିପରି ଜବରଦଖଲ କଲା ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ରାମ୍‌କୋର ଜମି ଜବରଦଖଲ ଓ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମ୍‌କୋ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଉ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏହି ଘଟଣାରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଏଣୁ କେବଳ ସିବିଆଇ ତଦନ୍ତ କଲେ ହିଁ ସତ ଲୋକଲୋଚନକୁ ଆସିବ ଓ ସ୍ମିତାରାଣୀଙ୍କୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଅନନ୍ତ ନାୟକ ଓ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ।

ମିଡିଆରେ ରହିବା ପାଇଁ ହୀନ ରାଜନୀତି: ବିଜେଡି
ଭୁବନେଶ୍ବର : ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସୁଲତା ଦେଓ କହିଛନ୍ତି, ମିଡିଆରେ ତିଷ୍ଠି ରହିବା ପାଇଁ ଲେଖାଶ୍ରୀ ସାମନ୍ତସିଂହାର ବାରମ୍ବାର ମିଛ ଓ ମନଗଢ଼ା କାହାଣୀର ଆଶ୍ରୟ ନେଉଥିବା ବେଳେ ଆଜି ସବୁ ସୀମା ଟପି ଯାଇଛନ୍ତି। ସ୍ମିତାରାଣୀଙ୍କ ମୃତ୍ୟୁ ପରି ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ଆଜି ସେ ଯେଉଁ ନିମ୍ନ ରୁଚିର ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ।

ଶ୍ରୀମତୀ ଦେଓ ଆହୁରି କହିଛନ୍ତି, ଲେଖାଶ୍ରୀ ୨୦୧୪ ମସିହାରେ ସରକାରୀ ଚାକିରି ଛାଡ଼ି ବିଜେଡି ଟିକେଟ୍‌ ପାଇବା ପାଇଁ ନବୀନ ନିବାସକୁ ‌ଦଉଡ଼ୁଥି‌େଲ। ୬ ମାସ କାଳ ଦଉଡ଼ିବା ପରେ ସଫଳ ନ ହେବାରୁ ବି‌େଜପିରେ ‌େଯାଗ ଦେଲେ। ଏବେ ବିଜେପିରେ ତାଙ୍କ ଆଚରଣକୁ କେହି ସମର୍ଥନ କରୁନାହାନ୍ତି ବୋଲି ଖବର ମିଳୁଛି। ତାଙ୍କର ଏପରି ମିଛ ଓ ମନଗଢ଼ା ମନ୍ତବ୍ୟକୁ ଗଣମାଧ୍ୟମ ପ୍ରତ୍ୟାଖ୍ୟାନ କରୁ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନ କରିବା ପାଇଁ ବାରମ୍ବାର ଜନସାଧାରଣଙ୍କୁ ଅନୁରୋଧ କରି ଆସୁଛନ୍ତି। ତେଣୁ ମହିଳାଙ୍କ ସମ୍ମାନର ସୁରକ୍ଷା ଓ ଗୋଟିଏ ଦାୟିତ୍ବସମ୍ପନ୍ନ ଜାତୀୟ ଦଳ ହିସାବରେ ବିଜେପି ହୀନ ରାଜନୀତିରୁ ଦୂରେଇ ରହିବାକୁ ଶ୍ରୀମତୀ ଦେଓ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର