ରୂପେଶର ଜାମିନ ପାଇଁ ପୁଲିସ୍‌ ଦୁର୍ବଳ ଚାର୍ଜସିଟ୍‌ କରିଛି : ବିଜେପି

ସ୍ମିତାରାଣୀ ମୃତ୍ୟୁ ମାମଲା

ଭୁବନେଶ୍ବର : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏହି ଘଟଣାକୁ ଅଢ଼େଇ ମାସ ବିତିଯାଇଥିଲେ ବି ହତ୍ୟାକାଣ୍ଡ ରହସ୍ୟର ପର୍ଦ୍ଦାଫାସ ହେଲା ନାହିଁ। ପୂର୍ବରୁ ଏହି ହତ୍ୟ‌ାକାଣ୍ଡ ଘଟଣାରେ ଯାଜପୁର ଏସ୍‌ପି ମୃତା ସ୍ମିତାରାଣୀର ଚରିତ୍ର ହନନ କରିଥିଲେ। ଏବେ ଯାଜପୁର ପୁଲିସ୍‌ ତୃତୀୟ ମହଲା ଇଙ୍ଗିତରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ହେପାଜତକୁ ନ ନେଇ ଜାଣିଶୁଣି ଦୁର୍ବଳ ଚାର୍ଜସିଟ୍‌ କରି ରୂପେଶ ଭଦ୍ରକୁ ଜାମିନ ଦେବାର ଷଡ଼ଯନ୍ତ୍ର କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଲେ, ପୁଲିସ ରୂପେଶ ଭଦ୍ରଙ୍କୁ ଗିରଫ କରିଛି। କିନ୍ତୁ ତାକୁ ହେପାଜତକୁ ନେଇ ନାହିଁ। କେଉଁ ଆଧାରରେ ପୁଲିସ୍ ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ? ମୁଖ୍ୟ ଅପରାଧୀକୁ ପୁଲିସ ହେପାଜତକୁ ନ ନେଇ କିପରି ଚାର୍ଜସିଟ୍‌ ପ୍ରସ୍ତୁତ କଲା ? ମୃତା ସ୍ମିତାରାଣୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ତାଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଯୋଗୁ ହୋଇଛି। ଏହାର ଅର୍ଥ ଆତ୍ମହତ୍ୟା ନୁହେଁ। କିଏ ବି ତଣ୍ଟି ଚିପି ହତ୍ୟା କରିଥାଇପାରେ କିମ୍ବା ବେକରେ ରଶି ଲଗାଇ ହତ୍ୟା କରିଥାଇପାରେ। ପୁଲିସ୍ ଘଟଣାର ୩ ଦିନ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଦିଗହରା କରିବାକୁ ବସିଥିଲା। ଏଠାରେ ପ୍ରଶ୍ନ ଉଠୁଛି, ସ୍ମିତାରାଣୀ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଯାଜପୁର ଏସ୍‌ପିଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲେ ? କାହା ନିର୍ଦ୍ଦେଶରେ ପୁଲିସ୍ କେବଳ ରୂପେଶ ଭଦ୍ରଙ୍କୁ ଗିରଫ କରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଶାସକ ଦଳର ଚାରି ଜଣ ପ୍ରତିନିଧି ଓ ରାମ୍‌କୋର ଜଣେ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କଲା ନାହିଁ ? କେଉଁ ଆଧାରରେ ଯାଜପୁର ଏସ୍‌ପି ୩ ଦିନ ଭିତରେ ଏହାକୁ ଆତ୍ମହତ୍ୟାର ରୂପ ଦେଲେ?  ଶ୍ରୀମତୀ ସାମନ୍ତସିଂହାର ଆହୁରି ଅଭିଯୋଗ କରିଛନ୍ତି, ସ୍ମିତାରାଣୀ ହତ୍ୟାକାଣ୍ଡ ତଦନ୍ତକୁ ବାଟବଣା କରିବା ପାଇଁ ତୃତୀୟ ମହଲାର ଚାପ ରହୁଛି। ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ମୁଖପାତ୍ର ବ୍ୟକ୍ତିଗତ ଆରୋପ ଲଗାଇ ଘଟଣାକୁ ଅନ୍ୟ ମୋଡ଼ ଦେବାକୁ ଅପ‌େଚଷ୍ଟା କରୁଛନ୍ତି। ଘଟଣାର ସିବିଆଇ ତଦନ୍ତ ହେଲେ ହିଁ ସତ୍ୟ ପଦାକୁ ଆସିବ ଓ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ମିଳିବ। ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର