ଯାଜପୁର: ଯାଜପୁର ଜିଲ୍ଲାର ବଡ଼ଚଣା ମାଟିରୁ ପୂର୍ବ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଚୁର୍ଯ୍ୟ ଭରା ଅଞ୍ଚଳରେ ନଗଡ଼ା ଭଳି ଗାଁ, ଧର୍ମଶାଳାର ସ୍ମୀତାରାଣୀ ହତ୍ୟାକାଣ୍ଡ, ବିକାଶ ଆଳରେ ହରିଲୁଟ୍ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଆଜି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଯାଜପୁର ହେଉଛି ପ୍ରାଚୁର୍ଯ୍ୟର ଜିଲ୍ଲା। ଏହି ପ୍ରାଚୁର୍ଯ୍ୟକୁ କିନ୍ତୁ ଜନତାଙ୍କ ବିକାଶରେ ବ୍ୟବହାର କରାଯାଇନାହିଁ। ୨୪ ବର୍ଷର ପୂର୍ବତନ ସରକାର ତାହା ନକରି କେବଳ ନିଜର ସମୃଦ୍ଧି କରିଛନ୍ତି। ୩ ପରିବାର ଯାଜପୁର ଜିଲ୍ଲାକୁ ଲୁଟିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ର ବୁଢ଼ାକେନ୍ଦୁଆରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏଭଳି ଢଙ୍ଗରେ ପୂର୍ବ ନବୀନ ସରକାର ଓ ଜିଲ୍ଲାର ବିଜେଡି ନେତାମାନଙ୍କ ଉପରେ ବର୍ଷିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଜେପିର ସଦସ୍ୟତା ଅଭିଯାନରେ ଯୋଗଦେଇ ପୂର୍ବ ସରକାର ଉପରେ ସିଧାସଳଖ ଆକ୍ରମଣ କରିଥିଲେ। ଯାଜପୁର ଜିଲ୍ଲାକୁ ବିକାଶର ମଡେଲ ବୋଲି ଯେଉଁମାନେ କହିଥିଲେ, ନଗଡ଼ା ସେମାନଙ୍କ ମୁଖା ଖୋଲି ଦେଇଛି। ସେହିପରି ମା’, ମାଟିକୁ ସମ୍ମାନ ଦେବା କଥା କହୁଥିବା ବିଜେଡି ସ୍ବର୍ଗତ ସ୍ମିତାରାଣୀଙ୍କୁ ନ୍ୟାୟ ଦେଇ ପାରିଲା ନାହିଁ। ଆମ ସରକାର ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇ ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସରକାର ହେଉଛି ଲୋକଙ୍କ ସରକାର। ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ। ଦେଶ ତଥା ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଉଥିବା ଭାରତୀୟ ଜନତା ପାର୍ଟିକୁ ଆଜି ସେବା କରିବାର ସୁଯୋଗ ମିଳିଛି।
ବିକାଶ ନାଁରେ ବିନାଶ ଚାଲିଥିଲା
ଯାଜପୁର ଜିଲ୍ଲାକୁ ୩ ପରିବାର ଲୁଟିଛନ୍ତି
ନଗଡ଼ା ପ୍ରସଙ୍ଗ ଉଠାଇ ସମାଲୋଚନା କଲେ
ଲୋକଙ୍କ ସାମଗ୍ରିକ ବିକାଶକୁ ଏ ସରକାର ଗୁରୁତ୍ୱ ଦେଉଛି। ପୂର୍ବ ସରକାର ରାଜ୍ୟ ତଥା ଯାଜପୁର ବିକାଶର କଥା କହି ଯେଉଁ ମିଛ ସ୍ୱପ୍ନ ଦେଖାଇ ଆପଣଙ୍କୁ ଠକିଥିଲେ, ଗତ ନିର୍ବାଚନରେ ଆପଣ ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ନିଜକୁ କ୍ରୀତଦାସ କହି ଯେଉଁମାନେ ଯାଜପୁରକୁ ଦୁର୍ନୀତିରେ ବୁଡ଼ାଇ ଦେଇଥିଲେ, ବିକାଶ ନାଁରେ ବିନାଶ କରିଥିଲେ, ଆପଣ ସେମାନଙ୍କୁ ଶାସନ କ୍ଷମତାରୁ ବିତାଡ଼ିତ କରିଛନ୍ତି। ବିଜେଡି ସରକାରରେ ନିଜେ ନବୀନ ପଟ୍ଟନାୟକ ୧୬ ବର୍ଷ ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ। ଜଣେ ଅଫିସର କାଗଜ ଧରି ମିଛ ପ୍ରଚାର କରୁଥିଲେ। ହେଲେ ଆଜି ଲୋକଙ୍କ ଗୁହାରି ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ସଂପୂର୍ଣ୍ଣ ଖୋଲା ରହିଛି। ଏବେ ଲୋକଙ୍କ ସରକାର ଲୋକଙ୍କ ଉନ୍ନତି ପାଇଁ ତଥା ସମାଜର ସବୁ ବର୍ଗର ହିତ ପାଇଁ ଚିନ୍ତା କରୁଛନ୍ତି। ଯାଜପୁର ଜିଲ୍ଲା ବିକାଶର ସୂର୍ଯ୍ୟୋଦୟ ଦେଖିବ। ଯାଜପୁର ସହିତ ସମଗ୍ର ରାଜ୍ୟର ବିକାଶ ପାଇଁ ଭାରତୀୟ ଜନତା ପାର୍ଟିକୁ ଆହୁରି ସଶକ୍ତ କରିବା ନିମନ୍ତେ ଏହି ସଦସ୍ୟତା ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନିକଟସ୍ଥ ମାଟିସାହିକୁ ଗସ୍ତ କରି ବୃକ୍ଷରୋପଣ କରିବା ସହ ଆଦିବାସୀ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଅଭିଯୋଗ ଗ୍ରହଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମାଟିସାହି ଗ୍ରାମର ରାଜୁ ସିଂ ଜମୁଡ଼ାଙ୍କ ଘରେ ଭାତ, ଡାଲି, ପୋଟଳ ଓ ଦେଶୀ କୁକୁଡ଼ା ମାଂସ ତରକାରି ଖାଇଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଜୁଳି ସମସ୍ୟା, ରାସ୍ତା ଓ ଆବାସ ଘର ଆଦି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ପାଖରେ ପାଇ ଗ୍ରାମବାସୀ ବେଶ୍ ଉତ୍ସାହିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଓ ଅନ୍ୟ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/aqnTwNdCkIEQwrFdK6xP.jpg)