କୋଇଲା ବୋଝେଇ ଟ୍ରେନ୍‌ର ବଗିରେ ଧୂଆଁ, ଅଗ୍ନିଶମ ବିଭାଗ ନାକେଦମ

ହରିଚନ୍ଦନପୁର: ଅନୁଗୁଳ ଜିଲ୍ଲା ତାଳଚେରରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦେଇ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରୁ ଧୂଆ ବାହାରିବା ପରେ ଅଗ୍ନିଶମ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଛି।

ସୂଚନା ଅନୁସାରେ କୋଇଲା ବୋଝେଇ ଟ୍ରେନ୍‌ର ଏକ ବଗିରୁ ଧୂଆଁ ବାହାରୁଥିବା ସମ୍ପର୍କରେ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ହରିଚନ୍ଦନପୁର ରେଳ ଷ୍ଟେସନକୁ ଆଜି ମଧ୍ୟାହ୍‌ଣରେ ଖବର ଦିଆଯାଇଥିଲା। ଫଳରେ ହରିଚନ୍ଦନପୁର ଷ୍ଟେସନ ମାଷ୍ଟର ସୁରେଶ କୁମାର ପଲେଇ ଟ୍ରେନଟିକୁ ହରିଚନ୍ଦନପୁର ଷ୍ଟେସନରେ ଅଟକାଇ ଦମକଳ ବହିନୀକୁ ଖବର ଦେଇଥିଲେ।

ସୂଚନାଯୋଗ୍ୟ ହରିଚନ୍ଦନପୁର ରେଳ ଷ୍ଟେସନରେ ବିଦ୍ୟୁତ ବିଭାଗର କର୍ମଚାରୀ ନଥିବାରୁ ଟମକାରୁ ରେଳବାଇର ବିଦ୍ୟୁତ କର୍ମଚାରୀ ଆସି ବିଦ୍ୟୁତ ଲାଇନ କାଟିଥିଲେ। ଫଳରେ ଦୁଇ ଘଣ୍ଟା ବିଳମ୍ବରେ ଅଗ୍ନିଶମ ବାହିନୀ ବଗିରୁ ଧୂଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଟିଏ ବଗିର ଧୂଆଁ ଲିଭାଇବା ପରେ ଅନ୍ୟ ୫ଟି ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୬ଟି ବଗିରୁ ଧୂଆଁ ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ବ୍ରମ ନେତୃତ୍ୱରେ ହାବିଲଦାର ବିଜୟ ନାୟକ, ଅଗ୍ନିଶମ କର୍ମଚାରୀ ସନ୍ତୋଷ ସାମଲ, ରାଜେଶ ମଙ୍ଗରାଜ, ରଂଜନ ପୃଷ୍ଟି ,ବିକ୍ରମ କେଶରୀ ସାମଲ ପ୍ରମୁଖ ଲିଭାଇଛନ୍ତି। ତେବେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ବଗିରୁ ଧୂଆଁ ବାହାରୁଥିବା ଅଗ୍ନିଶମ ଅଧିକାରୀ ଶ୍ରୀ ହେମ୍ବ୍ରମ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର