ପ୍ରତିଭା ରାୟ ଜ୍ଞାନପୀଠ ଚୟନ ବୋର୍ଡ ଅଧ୍ୟକ୍ଷା

ଭୁବନେଶ୍ବର : ପ୍ରଥିତଯଶା ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ଜ୍ଞାନପୀଠ ଚୟନ ବୋର୍ଡର ନୂଆ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି। ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ପାଇଁ ୨୦୧୧ ମସିହା ନିମନ୍ତେ ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିବା ବେଳେ ସେହି ପୁରସ୍କାର ଚୟନ କମିଟି ପକ୍ଷରୁ ତାଙ୍କୁ ମୁଖ୍ୟ ପଦବିରେ ଆସୀନ କରାଯାଇଛି। ‘ଯାଜ୍ଞସେନୀ’ ଭଳି କାଳଜୟୀ ଉପନ୍ୟାସର ରଚୟିତା ଶ୍ରୀମତୀ ରାୟ ବର୍ଷା ‌ବସନ୍ତ ବୈଶାଖ, ଅନନ୍ୟା, ନିଷିଦ୍ଧ ପୃଥିବୀ, ଅପରିଚିତା, ପରିଚୟ, ପୁଣ୍ୟତୋୟା, ମେଘମେଦୁର, ନୀଳତୃଷ୍ଣା, ସମୁଦ୍ରର ସ୍ବର, ଶିଳାପଦ୍ମ, ଉତ୍ତରମାର୍ଗ, ଆଦିଭୂମି, ମଗ୍ନମାଟି ଭଳି ଉପନ୍ୟାସ ରଚନା କରି କାଳଜୟୀ ହୋଇପାରିଛନ୍ତି।

କେବଳ ଯାଜ୍ଞସେନୀ ଉପନ୍ୟାସ ଇଂରାଜୀ, ହିନ୍ଦୀ, ମାଲାୟଲମ, ମରାଠି, ଆସାମି, ବଙ୍ଗାଳି, ଗୁଜରାଟି, ହଙ୍ଗେରିଆନ ଭଳି ବହୁ ଭାଷାରେ ଅନୁବାଦ ହୋଇଥିବା ବେଳେ ଅଧିକାଂଶ ‌ବହି ଅନୁଦିତ ହୋଇ ଦେଶ ଓ ଦେଶ ବାହାରେ ତାଙ୍କ ପାଇଁ ପ୍ରସିଦ୍ଧି ଆଣି ଦେଇଛି। ଏହି କୃତିତ୍ବ ପାଇଁ ସେ ପଦ୍ମଶ୍ରୀ, ମୂର୍ତିଦେବୀ ସମ୍ମାନ, ଅମ୍ରିତା କୀର୍ତି ପୁରସ୍କାର, ସାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମି, ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ ଲାଭ କରିଛନ୍ତି।

ଆଜି ଚେୟାରମ୍ୟାନ୍‌ ହେବା ନେଇ ଘୋଷଣା ବେଳକୁ ସେ ଓଡ଼ିଶାରେ ଉପସ୍ଥିତ ନଥିଲେ। କାନାଡ଼ାକୁ ମିଟ୍‌ ଦି ଅଥର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯାଉଥିବା ବେଳେ ଏହା ଘୋଷଣା କରାଯାଇଥିଲା। ତେବେ କାନାଡ଼ାରେ ଥିବାରୁ ତାଙ୍କର କୌଣସି ମତାମତ ନିଆଯାଇ ପାରିନାହିଁ। ଏହି ଖବର ଆସିବା ପରେ ବହୁ ସାହିତ୍ୟିକ ଓ ଶୁଭେଚ୍ଛୁଙ୍କ ତରଫରୁ ସାମାଜିକ ଗଣମାଧ୍ୟମରେ ଶ୍ରୀମତୀ ରାୟଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର