କଟକ : ସାଉଦି ଆରବର ଚୋରା ସୁନା ବିସ୍କୁଟ୍ ଆସୁଛି କଟକ ସହରକୁ। ବାଙ୍ଗଲାଦେଶ ବାଟ ଦେଇ ପଶ୍ଚିମବଙ୍ଗର ସିଲିଗୁଡ଼ି ଓ ମାଲଦା ରାସ୍ତାରେ ଏହି ସୁନା କଟକ ଆସୁଛି। ସୁରକ୍ଷିତ ଚୋରା ସୁନା କାରବାର ପାଇଁ ମାଫିଆ ଯାତ୍ରୀବାହୀ ବସକୁ ବ୍ୟବହାର କରୁଛନ୍ତି। ମାସିକ ପାଖାପାଖି ୨୮୦ କୋଟି ଟଙ୍କାରୁ ଅଧିକ ସୁନା ଏଭଳି ଢଙ୍ଗରେ କଟକ ସହରକୁ ଆସୁଥିବା କୁହଯାଉଛି। ଏଭଳି କାରବାରରେ ରାଜକୋଷକୁ ମାସକୁ ୮ କୋଟି ଟଙ୍କାରୁ ଅଧିକ ଜିଏସ୍ଟି ଫାଙ୍କି ହେଉଥିବା ଆକଳନ କରାଯାଇଛି। ଯାତ୍ରୀବାହୀ ବସ୍ରେ ପରିବା ବସ୍ତାରେ ସୁନା ବିସ୍କୁଟ୍ କାରବାର ସଂପର୍କରେ ଗୁଇନ୍ଦା ତଥ୍ୟ ଥିଲେ ବି ଏଯାଏ ମାଫିଆ ଧରା ନପଡିବା ଅନେକଙ୍କୁ ଚକିତ କରୁଛି।
ଯାତ୍ରୀବସ୍ରେ ହେଉଛି ଚାଲାଣ
ବାଙ୍ଗଲାଦେଶ ଦେଇ ଆସୁଛି
ସୂଚନା ଅନୁଯାୟୀ ସାଉଦି ସୁନା ବାଙ୍ଗଲାଦେଶ ପଟୁ ପଶ୍ଚିମବଙ୍ଗର ସିଲିଗୁଡ଼ି ଓ ମାଲଦା ରାସ୍ତାରେ କଲିକତାର ବଡ଼ ବଜାର, ପଶ୍ଚିମ ମେଦିନପୁର ଜିଲ୍ଲାର ସାଗରପୁରକୁ ଆସୁଛି। ସେଠାରୁ ସୁନା କଟକ ସହରକୁ ଆସୁଛି। ବଡ଼ ବଜାରରେ ପୁଲିସ ଚେକି˚ ଭୟ ରହୁଥିବାରୁ ସାଗରପୁର ମାର୍କେଟ ଏବେ ସୁନା ମାଫିଆଙ୍କ ପାଇଁ ଅଧିକ ସୁରକ୍ଷିତ ସ୍ଥାନ ପାଲଟିଛି। ସାଗରପୁର ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳ ହୋଇଥିବାରୁ ପୁଲିସ ଚେକି˚ ଭୟ ରହୁନାହିଁ। ସାଗରପୁରର ୫ କିମି ଭିତରେ ଦାସପୁର, ସୋନାଖାଲି, ଗୌରା ମାର୍କେଟ୍ରେ ୧୫୦ ପାଖାପାଖି ସୁନା ଦୋକାନ ରହିଛି। ସାଗରପୁରରୁ ଦାସପୁର ମାତ୍ର ଗୋଟିଏ କିଲୋମିଟର। ସାଗରପୁର ଓ ଆଖପାଖ ମାର୍କେଟରୁ ସୁନା ଯାତ୍ରୀବାହୀ ବସ୍ରେ କଟକ ଆଣୁଛନ୍ତି ମାଫିଆ। କଟକକୁ ଆସୁଥିବା ଚୋରା ସୁନା ମୁଖ୍ୟତଃ ଫିରିଙ୍ଗି ବଜାର, ତେଲେଙ୍ଗା ବଜାର, ବାଲୁବଜାର, ନୟାସଡ଼କ, ମଙ୍ଗଳାବାଗ ବଣିଆ ସାହି, ନିମଚଉଡ଼ି ଭଳି ଅଞ୍ଚଳର ବେପାରୀଙ୍କୁ ଯୋଗାଇ ଦିଆଯାଉଛି। କଟକରେ ପହଞ୍ଚିଲା ପରେ କିଛି ସୁନା ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ବି ଚାଲାଣ ହେଉଛି। କଲିକତାରୁ ସିଧା ସମ୍ବଲପୁରକୁ ଯଦିଓ ସୁନା ଯାଉଛି, କିନ୍ତୁ ତାହାର ପରିମାଣ ସ୍ବଳ୍ପ। କଟକରୁ ସୁନା ବିସ୍କୁଟ୍ ବାଦ୍ ଚୋରା ସୁନାରେ ଅଳଙ୍କାର ପ୍ରସ୍ତୁତ ପରେ ରାଉରକେଲା, ସମ୍ବଲପୁର, ତାଳଚେର, ଅନୁଗୁଳ, ବ୍ରହ୍ମପୁର, ଭୁବନେଶ୍ବର ସମେତ ଗୁଜୁରାଟର ରାଜକୋଟ, ମୁମ୍ବାଇ, ରାୟପୁର ଭଳି ବଡ଼ ସହରକୁ ବି ଚାଲାଣ ହେଉଛି। କଲିକତା ମାର୍କେଟ୍କୁ ବି କଟକରୁ ସେହି ସୁନାରେ ଅଳଙ୍କାର ତିଆରି ହୋଇ ଚାଲାଣ କରାଯାଉଛି। କେବଳ ରାଉରକେଲାକୁ ଦୈନିକ ୫୦ ଭରିରୁ ଅଧିକ ସୁନା ଅଳଙ୍କାର ଯାଉଛି। ପାର୍ବଣ ଋତୁରେ ୧ କେଜିରୁ ୨ କେଜି ବି ଚାଲାଣ ହେଉଛି।
ଘାଟାଲ-କଟକ ମଧ୍ୟରେ ଏଭଳି କାରବାର ନିୟମିତ ଚାଲି ଥିବା ବେଳେ ପଶ୍ଚିମ ମେଦିନାପୁର ଜିଲ୍ଲା ଡେବ୍ରା ଥାନା ପୁଲିସ କିଛି ମାସ ପୂର୍ବେ କଟକକୁ ଆସୁଥିବା ଯାତ୍ରୀବାହୀ ବସ୍ ଯାଞ୍ଚ କରି ସୁନା ଜବତ କରିଥିଲା। କିନ୍ତୁ ସେଭଳି ଚଢ଼ଉ ନିୟମିତ ହେଉନଥିବାରୁ କିଛି ଦିନ ବନ୍ଦ ରହିବା ପରେ କାରବାର ପୁଣି ବେଧଡକ ଚାଲିଛି। କଟକରେ ପାଖାପାଖି ୨୦ରୁ ଅଧିକ ଡିଲର୍ ଓ ଏଜେଣ୍ଟ ଏଭଳି କାରବାରରେ ସଂପୃକ୍ତ ଥିବା ବେଳେ ଏଥିରୁ ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି।
ଅତିରିକ୍ତ ବାଣିଜ୍ୟକର ଓ ଜିଏସ୍ଟି କମିସନର(ଏନ୍ଫୋର୍ସମେଣ୍ଟ ବିଭାଗ ମୁଖ୍ୟ) ମାନଭଞ୍ଜନ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ, ଦେଢ଼ ଶହ କୋଟି ଟଙ୍କାର ସୁନା ଆଣିଲେ ତାହା ଉପରେ ୫ କୋଟି ଟଙ୍କାର ଟିକସ ଦେବାକୁ ପଡିଥାଏ। ଯେଉଁ କାରାବାରରେ ଟିକସ ଫାଙ୍କି ପରିମାଣ ୫ କୋଟି ଟଙ୍କାରୁ ଅଧିକ ହୋଇଥାଏ ସେଥିରେ ଅଭିଯୁକ୍ତଙ୍କୁ ଗିରଫ କରାଯାଏ। କିନ୍ତୁ ତା ଠାରୁ କମ ପରିମାଣର ଟିକସ ଫାଙ୍କିରେ କେବଳ ଜରିମାନା ଆଦାୟ ହୁଏ। ଜରିମାନା ଦାଖଲ ପରେ ସୁନା ମୁକୁଳାଇ ଦିଆଯାଏ। ଏଭଳି ଚୋରା ସୁନା ଅଧିକା˚ଶ ସାଉଦି ଆରବରୁ ଆସୁଛି। ଗଲା ଦୁଇ ମାସ ତଳେ ୭ କେଜି ସୁନା ଓ ୨୪୦ କେଜି ରୁପା ବ୍ରହ୍ମପୁରରୁ ଏକ କାର୍ରେ ଚାଲାଣ ବେଳେ ଧରା ପଡିଥିଲା। ଏବେ ଏଭଳି ଚୋରା ସୁନା କାରବାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଶ୍ରୀ ଆଚର୍ଯ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/gold-biscuit-53502befb747c_exlst.jpg)