ଭୁବନେଶ୍ୱରରେ ଗାଡ଼ି ମରାମତି ନାଁରେ ଖଲ୍ଲିକୋଟ ଯାଉଥିଲା
ପାରଳାଖେମୁଣ୍ତି : ‘ବାଡ଼ ଯଦି ଫସଲ ଖାଏ...’ ? ଯେଉଁ ପରିପ୍ରେକ୍ଷୀରେ ଏହି ଉକ୍ତିଟି କୁହାଯାଉଛି, ବୁଧବାର ଠିକ୍ ସେହିଭଳି ଏକ ଘଟଣା ଘଟିଛି ଗଜପତିର ପାରଳାଖେମୁଣ୍ଡିରେ। ଓଏସ୍ଏପିର (ଓଡ଼ିଶା ସ୍ବତନ୍ତ୍ର ସଶସ୍ତ୍ର ପୁଲିସ) ଗାଡ଼ିରେ ବିପୁଳ ପରିମାଣର କାଠ ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଏହି ଘଟଣାରେ ବନବିଭାଗ ଜଣେ ପୁଲିସ୍ ଏସ୍ଆଇଙ୍କ ସମେତ ୪ଜଣଙ୍କୁ ଅଟକ ରଖିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୀପାବଳିରେ ଭୁବନେଶ୍ୱରରେ ଗାଡ଼ି ମରାମତି ପାଇଁ ଅନୁମତି ମିଳିଥିଲା। ମାତ୍ର, ଏହା ଖଲ୍ଲିକୋଟ ଯାଉଥିବା ବେଳେ ହିଁ ଗଜପତି ବନବିଭାଗ ହାତରେ ଧରାପଡ଼ି ଯାଇଛି।
/sambad/media/post_attachments/wp-content/uploads/2021/11/v1.jpg)
ପାରଳାଖେମୁଣ୍ଡି ଏସିଏଫ୍ ଗୌରୀ ପ୍ରସାଦ ରଥଙ୍କ ସୂଚନାନୁସାରେ, ଦୀପାବଳି ପୂର୍ବରୁ ବନବିଭାଗ ପକ୍ଷରୁ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯାଉଛି। ବୁଧବାର ଦିନ ରାମସାଗର ନିକଟ ବି.ସୀତାପୁର ଗ୍ରାମ ନିକଟରେ ବନବିଭାଗ ପକ୍ଷରୁ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଓଏସ୍ଏପିର ଏକ ଗାଡ଼ିରେ କାଠ ଯାଉଥିବାରୁ ସନ୍ଦେହ ହୋଇଥିଲା। ଫଳରେ ସେଠାରେ ଥିବା ବନ କର୍ମଚାରୀମାନେ ଯାଞ୍ଚ କରିଥିଲେ। ସେହି ଗାଡ଼ିରେ ସିପାହୀ ତଥା ଚାଳକ ଶ୍ରୀଧର ମହାପାତ୍ର, ପୁଲିସ ବିଭାଗର ସହକାରୀ ଚାଳକ ଚିନ୍ମୟ ବେହେରା, ସିପାହୀ ଭାରତ ମହାଙ୍କୁଡ଼ ଏବ˚ ଏସ୍ଆଇ ଯଶୋବନ୍ତ ଆଚାର୍ଯ୍ୟ ବସିଥିଲେ। ଯାଞ୍ଚ ସମୟରେ ଗାଡ଼ିରେ ଲୋଡିଂ ହୋଇଥିବା କାଠପଟାର କୌଣସି କାଗଜପତ୍ର ନଥିବା ଦେଖିବାକୁ ମିଳିଥିଲା। ପଚରାଉଚରା କରିବାରୁ ସିପାହୀ ଭାରତ ଓ ଏସ୍ଆଇ ଯଶୋବନ୍ତ କେବଳ ଯାତ୍ରୀ ଭାବେ ବସିଛନ୍ତି ବୋଲି ସଫେଇ ଦେଇଥିଲେ। ଗାଡ଼ି ବା ଭ୍ୟାନ୍ରେ ଚାଲାଣ ହେଉଥିବା କାଠ ସମ୍ପର୍କରେ ସେମାନେ ଅବଗତ ନଥିବା କହିଥିଲେ। ଏହାପରେ ଏସ୍ଆଇ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ବନବିଭାଗ ଏସିଏଫ୍ ଶ୍ରୀ ରଥ କହିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ଗଜପତି ଏସ୍.ପିଙ୍କୁ ସବିଶେଷ ତଥ୍ୟ ଦିଆଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଶ୍ରୀରଥ କହିଛନ୍ତି।
/sambad/media/post_attachments/wp-content/uploads/2021/11/v3.jpg)
ଏଥିସହିତ , ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ମରାମତି ଓ ସର୍ଭିସିଂ ପାଇଁ ଗାଡ଼ିକୁ ଭୁବନେଶ୍ବର ନେବା ପାଇଁ ବିଭାଗୀୟ ଅନୁମତି ରହିଥିଲା। ମାତ୍ର, ଏହା ବଦଳରେ କାଠ ବୋଝେଇ କରି ଖଲ୍ଲିକୋଟ ନିଆଯାଉଥିଲା। ଗାଡ଼ିର ଡ୍ରାଇଭର୍ଙ୍କ ଘର ଖଲ୍ଲିକୋଟ ଅଞ୍ଚଳରେ। ତେଣୁ, ବିଭାଗକୁ ମିଥ୍ୟା କହି ଗାଡ଼ିକୁ ଭିନ୍ନ ଜାଗାକୁ ନେବା ସହିତ ସେଠାରେ କାଠଚାଲାଣ କରାଯାଉଥିବା ବନବିଭାଗ ସନ୍ଦେହ କରୁଛି।
ଓଏସ୍ଏପି ଥାର୍ଡ ବାଟାଲିୟନ୍ ପକ୍ଷରୁ ମଧ୍ୟ ଘଟଣାକୁ ସ୍ବୀକାର କରାଯାଇଛି। ଓଏସ୍ଏପି କମାଣ୍ଡାଣ୍ଟ ଜୁରିଆ ବେହେରା କହିଛନ୍ତି, ‘ମରାମତି ପାଇଁ ଗାଡ଼ିକୁ ଭୁବନେଶ୍ବର ନେବା ପାଇଁ ଅନୁମତି ଦିଆଯାଇଥିଲା। ମାତ୍ର, ସମ୍ପୃକ୍ତ ଡ୍ରାଇଭର୍ ଗତକାଲି ରାତିରେ ଗଣ୍ଡାହାତୀ ଜଙ୍ଗଲରୁ କାଠ ଆଣି ଗାଡ଼ିରେ ରଖିଥିଲେ। ‘ ‘ଏହା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯାଇଛି,’ ବୋଲି ସେ କହିଛନ୍ତି ।
ତେବେ, ବନ ବିଭାଗ ଆହୁରି ମଧ୍ୟ ସନ୍ଦେହ କରୁଛି ଯେ ଏହା ପ୍ରଥମ ଘଟଣା ନୁହେଁ। ପୁଲିସ ଗାଡ଼ିରେ ଏହିଭଳି ରୀତିମତ କାଠ ଚୋରା ଚାଲାଣ ହେଉଛି। ଏହାପଛରେ ପୁଲିସର କିଛି ଉଚ୍ଚ ଅଧିକାରୀଙ୍କ ହାତ ରହିଛି। ଏପରିକି, ଏହାପଛରେ ଏକ ରାକେଟ୍ ମଧ୍ୟ କାମ କରୁଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ଅଧିକ ଖୋଳତାଡ଼ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। କେହି କେହି ଏମିତି ବି କହୁଛନ୍ତି, ‘ବାଡ଼ ଯଦି ଫସଲ ଖାଏ...’!!!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/wood-seized-gajapati.jpg)