ବ୍ରହ୍ମପୁର : ଲକ୍ଡାଉନ୍ ଯୋଗୁଁ ଜନଜୀବନ ଠପ୍। ଲୋକେ ପଦାକୁ ବାହାରୁ ନାହାନ୍ତି। ସବୁଠି ଯାଞ୍ଚ ଓ ପଇଁତରା। ଆଉ ଏହାର ଫାଇଦା ନେଉଛନ୍ତି କାଠ ମାଫିଆ। କଟକଣା ଭିତରେ କର୍ମଚାରୀଙ୍କ ଚଳପ୍ରଚଳ ଓ ପଇଁତରା ବି ଦୁର୍ବଳ ହୋଇଯାଇଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବର୍ତ୍ତମାନ ପରିସ୍ଥିତିରେ ରୋଜଗାର ହରାଇଥିବା ଗ୍ରାମର ଦିନମଜୁରିଆଙ୍କୁ ଏଥିପାଇଁ କାଠ ମାଫିଆ ମୋହରା ବନାଇଛନ୍ତି। କାମଧନ୍ଦା ପାଉ ନଥିବା ଦିନମଜୁରିଆମାନେ ସେମାନଙ୍କୁ କାଠକଟା କାମରେ ସାହାଯ୍ୟ କରୁଛନ୍ତି। ଏହି କାଠ ସାଇକେଲ୍, ଦୁଇଚକିଆ ଓ ଚାରିଚକିଆ ଯାନରେ ଗଳାବାଟରେ ସୀମାନ୍ତ ଜିଲ୍ଲାକୁ ଚାଲାଣ ହେଉଛି। ଖାଲି ଏତିକି ନୁହେଁ, ଶ୍ରମିକ ମାନେ ମୁଣ୍ଡରେ ମୂଲ୍ୟବାନ୍ କାଠବିଡ଼ା ମୁଣ୍ଡାଇ ଗଚ୍ଛିତ କରି ରଖିଛନ୍ତି। ଆଉ ଲକ୍ଡାଉନ୍ ଖୋଲିବା କ୍ଷଣି ଏହାକୁ ଚାଲାଣ କରିବାକୁ କ୍ଷେତ୍ର ପ୍ରସ୍ତୁତ ହେଉଛି। ବନବିଭାଗର ପଇଁତରା ସତ୍ତ୍ବେ ଦିନରାତି ଅବାଧ ଗଛକଟା ହେଉଥିବା ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର, ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ରହିଛି। ମୋଟ ୧୪ଟି ବନାଞ୍ଚଳ ସାଙ୍ଗକୁ ଜିଲ୍ଲାର ବହୁ ସଂରକ୍ଷିତ ଜଙ୍ଗଲ ରହିଛି। ସେଥିମଧ୍ୟରୁ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ବୃହତ୍ ବନଖଣ୍ଡ ଭାବେ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ନୟାଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଲାଗିଥିବା ଏହି ୨ ବନଖଣ୍ଡ ହାତୀ ଓ କୃଷ୍ଣସାର ମୃଗଙ୍କ ପ୍ରମୁଖ ଆସ୍ଥାନ। ଜଙ୍ଗଲ ସୁରକ୍ଷାଠୁ ଆରମ୍ଭ କରି ବନୀକରଣ ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି। ଏଥିପାଇଁ ଲକ୍ଷାଧିକ ଚାରାରୋପଣ ହେଇଛି।
ଜଙ୍ଗଲ ଏବଂ ବନ୍ୟଜନ୍ତଙ୍କୁ ସୁରକ୍ଷା ପାଇଁ ଦିନ ଓ ରାତିରେ ପଇଁତରା ମରାଯାଉଛି ସତ। କିନ୍ତୁ ଏତେବଡ଼ ଜଙ୍ଗଲକୁ ସୀମିତ ମାନବସମ୍ବଳରେ ସୁରକ୍ଷା ଦେବା ସମ୍ଭବପର ହେଉନି। କର୍ମଚାରୀ ଗୋଟିଏ ଜାଗାରେ ପଇଁତରା ମାରୁଥିବା ବେଳେ ଅନ୍ୟଜାଗାରେ ମାଫିଆମାନେ ଅନାୟାସରେ ଗଛ କାଟି ନେଉଛନ୍ତି। ବନକର୍ମଚାରୀମାନେ ଚଢ଼ଉ କରି କେବଳ କାଠ ଜବତ କରୁଛନ୍ତି। ଆଉ ବହୁ ସମୟରେ ମାଫିଆମାନେ ଖସି ପଳାଇବାରେ ସକ୍ରିୟ ହେଉଛନ୍ତି।
ଏବେ ଲକ୍ଡାଉନ୍ କଟକଣା ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି। କିନ୍ତୁ ମାଫିଆ ଏଭଳି ସମୟରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। କିଛି ଗ୍ରାମାଞ୍ଚଳର ଲୋକେ ଜଙ୍ଗଲକୁ ଯାଇ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରୁଛନ୍ତି। ଆଉ ଏମାନଙ୍କୁ ହିଁ ମାଫିଆମାନେ ମୋହରା ବନାଉଛନ୍ତି। ରୋଜଗାର ହରାଇଥିବାରୁ ଅଧିକ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ହାତରେ ଗଛ କାଟୁଛନ୍ତି। ଏଭଳି ଭାବେ ବିଭିନ୍ନ ମୂଲ୍ୟବାନ ଗଛକୁ କଟାଯାଉଥିବା ବେଳେ ସେଠାରେ ଏଥିପ୍ରତି ବନବିଭାଗର ଦୃଷ୍ଟି ପଡ଼ୁନାହିଁ। ଖାଲି ଏତିକି ନୁହେଁ, ଗଛକୁ କାଟିବା ପରେ ଚିହ୍ନ ଲିଭାଇବା ପାଇଁ ମୂଳରେ ନିଆଁ ଲଗାଇ ଦେଉଛନ୍ତି। କିଛି ସ୍ଥାନୀୟ ଲୋକ ସେହି ଅଙ୍ଗାରକୁ ସଂଗ୍ରହ କରି ବିକ୍ରି ମଧ୍ୟ କରୁଛନ୍ତି। ଏଭଳି ଭାବେ ବନୀକରଣ କରାଯାଇଥିବା ଟାଙ୍ଗରା ଭୂଇଁ ପାଲଟିଥିବା ସହ ଶାଳ, ପିଆଶାଳ ଓ ସାଗୁଆନ୍ ଭଳି ମୂଲ୍ୟବାନ୍ କାଠ ଗାଏବ୍ ହୋଇଯାଇଛି। ଗଛ କାଟିବା ପରେ ଏହି ଦିନମଜୁରିଆମାନେ ସାଇକେଲ୍ କିମ୍ବା ମୁଣ୍ଡରେ କାଠ ନେଇ ଆସିବା ପରେ ମାଫିଆଙ୍କୁ ଦେଉଛନ୍ତି। ଆଉ ରାତିରେ ଏହାକୁ ଜିଲ୍ଲା ବାହାରକୁ ଚାଲାଣ କରିବା ଲାଗି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି। ଏଥିପାଇଁ ଟ୍ରାକ୍ଟର୍ ସମେତ ଅନ୍ୟ ଚାରିଚକିଆ ଯାନର ବ୍ୟବହାର କରାଯାଉଛି। କିଛି ମାଫିଆ ଲକ୍ଷାଧିକ ଟଙ୍କାର କାଠକୁ ଲକ୍ଡାଉନ୍ ସରିବା ପରେ ଚାଲାଣ ପାଇଁ ଗଚ୍ଛିତ କରି ରଖିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି।
ବୁଗୁଡ଼ା ବନାଞ୍ଚଳର ବାଘୁଆ ଡ୍ୟାମ୍ ନିକଟସ୍ଥ ଜଙ୍ଗଲରେ ଗତ କିଛି ଦିନ ପୂର୍ବେ ଗଛ କାଟି ନିଆଯାଇଥିବା ଦେଖିବାକୁ ମିଳିଥିଲା। ଲକ୍ଡାଉନ୍ ସମୟରେ ଜଙ୍ଗଲରୁ କାଠ ଚାଲାଣ ହେଉଥିବା ବେଳେ ବଡ଼ଗଡ ବନାଞ୍ଚଳ ପକ୍ଷରୁ ୩୭ଟି କାଠଗଣ୍ଡି ଜବତ ହୋଇଛି। ବିଭିନ୍ନ ସମୟରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଓ ୧୨ଟି ସାଇକେଲ୍ ଜବତ କରାଯାଇ ୩ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଆଜି ପୋଲସରା ବନାଞ୍ଚଳ ପକ୍ଷରୁ ପୋଲସରା ସେଣ୍ଟ ଜାଭିୟର୍ ସ୍କୁଲ ନିକଟରେ ଚିରିକିପଡ଼ାଶାସନର ଚନ୍ଦ୍ରଭାନୁ ସାହୁଙ୍କ ଅର୍ଦ୍ଧନିର୍ମିତ ଘରେ ଗଚ୍ଛିତ ୯.୬୨ ଘନଫୁଟ ୨୬ ଗୋଟି ଶାଳକାଠ ଓ ଘରପଛ ପଟେ ଗଚ୍ଛିତ ୩୫ ଖଣ୍ଡ କାଠ ଜବତ ହୋଇଛି। ବିଭିନ୍ନ ବନଖଣ୍ଡରେ ମୋବାଇଲ୍ ଟିମ୍ ସକ୍ରିୟ ସତ୍ତ୍ବେ ମାଫିଆମାନେ କିଭଳି ଭାବେ ସେମାନଙ୍କ ଯୋଜନାରେ ସଫଳ ହେଉଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ganjam-4.jpg)