ନଷ୍ଟ ହୋଇଥିବା ସିମେଣ୍ଟର ଚୋରା କାରବାର; ତିଆରି ହେଉଥିଲା ସିମେଣ୍ଟ ନନ୍ଦ, କବାଟ ବନ୍ଧ

୯୯ ବସ୍ତା ସିମେଣ୍ଟ ଜବତ, କାରବାରରେ ସାମିଲ ଦୁଇ ଗିରଫ

କଟକ/ସିଡିଏ : ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ସିମେଣ୍ଟରେ କୂଅ ନନ୍ଦ, ଘର ବନ୍ଧ, ଝରକା ବନ୍ଧ ଇତ୍ୟାଦି ତିଆରି କରି ଗ୍ରାହକଙ୍କୁ ଠକାଯାଉଥିଲା। ଏଭଳି ଏକ ବେଆଇନ କାରବାରକୁ ଠାବ କରିଛି ମର୍କତନଗର ଥାନା ପୁଲିସ। ଜଗତପୁରରୁ ନଷ୍ଟ ହୋଇଯାଇଥିବା ସିମେଣ୍ଟ ସତୀଚଉରାର ଏକ ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ କାରବାର ପର୍ଦ୍ଦାଫାସ ହୋଇଛି। ପୁଲିସ ଏହି ମାମଲାରେ ସତୀଚଉରାର ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରି ମାଲିକ ଅଜୁ ଓରଫ ଅଞ୍ଜନ ଦାସ ଏବଂ ଖରାପ ସିମେଣ୍ଟ ଯୋଗାଉଥିବା ଚାଉଳିଆଗଞ୍ଜର ପବିତ୍ର ବାରିକକୁ ଗିରଫ କରିଛି। ଏମାନଙ୍କ ନିକଟରୁ ୯୯ ବସ୍ତା ନଷ୍ଟ ସିମେଣ୍ଟ ଜବତ କରାଯାଇଛି। ଜବତ ସିମେଣ୍ଟର ମୂଲ୍ୟ ପ୍ରାୟ ୨୦,୭୯୦ ଟଙ୍କା ବୋଲି ପୁଲିସ ଆକଳନ କରୁଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଇଣ୍ଡିଆ ସିମେଣ୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ରାଶି ଗୋଲ୍ଡ ସିମେଣ୍ଟ ନାଁରେ ଏକ ସିମେଣ୍ଟ ଏହି କମ୍ପାନି ପ୍ରସ୍ତୁତ କରୁଥିଲା। ଏହି ସିମେଣ୍ଟର କଟକ ଜଗତପୁରରେ ଏକ ଗୋଦାମ ରହିଛି। ପବିତ୍ର ବାରିକ ଖୁସି ଏଣ୍ଟରପ୍ରାଇଜର୍ସ ନାଁରେ ଏହି ଗୋଦାମ ଚଳାଉଛି। ତେବେ ଏହି ଗୋଦାମରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ କମ୍ପାନିରୁ ୫୫ ଟଙ୍କାରେ କିଣି ସେ କଟକ ଜିଲ୍ଲାରେ ୨୧୦ ଟଙ୍କାରେ ବିକ୍ରି କରୁଥିଲା। ସତୀଚଉରା ଛକରେ ଏକ ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରି ଖୋଲିଥିବା ଅଜୁକୁ ଏକ ଟ୍ରକରେସେ ଏହି ସିମେଣ୍ଟ ବିକ୍ରି ପାଇଁ ପଠାଇଥିଲା। ଅଜୁ ଉକ୍ତ ନଷ୍ଟ ହୋଇଥିବା ସିମେଣ୍ଟରେ କୂଅ ନନ୍ଦ, ସ୍କାଏ ଲାଇଟ୍, କବାଟ ବନ୍ଧ, ଝରକା ବନ୍ଧ, ପାଇଖାନା ଟାଙ୍କୀ ଇତ୍ୟାଦି ଦିଆରି କରିଆସୁଥିଲା। ନଷ୍ଟ ହୋଇଥିବା ସିମେଣ୍ଟରେ ପ୍ରସ୍ତୁତ ଏଭଳି ସାମଗ୍ରୀ କିଣୁଥିବା ଗ୍ରାହକ ଠକାମିରେ ପଡ଼ୁଥିଲେ। ମାସକ ଭିତରେ ଏଭଳି ସାମଗ୍ରୀ ଭାଙ୍ଗିଯାଉଥିଲା। ଏଭଳି ଠକେଇ କରୁଥିବା ପବିତ୍ର ଓ ଅଜୁଙ୍କୁ ଧରିବାକୁ ମର୍କତନଗର ଥାନା ପୁଲିସ ଜାଲ ବିଛାଇଥିଲା। ଶନିବାର ସନ୍ଧ୍ୟାରେ ପବିତ୍ର ଏକ ଟ୍ରକ(ଓଆର୍‌- ୦୫ବି-୫୦୮୧)ରେ ସତୀଚଉରା ଛକରେ ଥିବା ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରିକୁ ସିମେଣ୍ଟ ପଠାଇ ଅନଲୋଡ୍ କରୁଥିଲା। ଏହି ସମୟରେ ମର୍କତନଗର ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଚଢ଼ଉ କରି ସିମେଣ୍ଟ ଗାଡ଼ି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏଭଳି ନଷ୍ଟ ସିମେଣ୍ଟ ଜଗତପୁରରୁ କଟକ ସହରର ଏକାଧିକ ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରିକୁ ଚୋରା ଚାଲାଣ ହେଉଥିବା ମର୍କତନଗର ଥାନା ପୁଲିସ ଉଭୟଙ୍କୁ ପଚରାଉଚରାରୁ ସୂଚନା ପାଇଛି। ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଠାବ କରାଯିବା ନେଇ ଥାନା ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର