ପିଡ଼ିଆ ଗାଡ଼ିରେ ପି.ଡି.ଏସ ଚାଉଳ ଚୋରାଚାଲାଣ: ଥାନାରେ ୪୦୭ ସହିତ ଡ୍ରାଇଭର ଅଟକ

ବଲାଙ୍ଗୀର: ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରି ପି.ଡି.ଏସ ଚାଉଳ ଯୋଗାଇ ଦେଉଛନ୍ତି ସରକାର। କିନ୍ତୁ ଏହି ପି.ଡି.ଏସ ଚାଉଳରେ ଦୁର୍ନିୀତି ହେଉଥିବା ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ। ଏକ ତେଲ ପିଡ଼ିଆ ଗାଡ଼ିରେ ପି.ଡି.ଏସ ଚାଉଳ ଚୋରାଚାଲାଣ ହେଉଥିବା ବେଳେ କାବୁ କରିଛି ଟିକ୍ରାପଡ଼ା ଓ ସଇଁନ୍ତଳା ପୁଲିସ।
ଛନଛଡାରୁ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ଏକ ୪୦୭କୁ ଟିକ୍ରାପଡ଼ା ଥାନାରେ ଅଟକ ରଖିଥିଲା ପୁଲିସ। ଏହାକୁ ସଇଁନ୍ତଳା ଥାନାକୁ ଅଣାଯାଇଛି। ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି। ସାମ୍ନା ପଟରେ ତେଲ ପିଡୁଆ ଥିବା ବେଳେ ଭିତର ପଟରେ ପି.ଡି.ଏସ ଚାଉଳ ରହିଛି। ତେଣୁ ପି.ଡି.ଏସ ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

ସଇଁନ୍ତଳା ପୁଲିସ ଏ ନେଇ ଯୋଗାଣ ବିଭାଗକୁ ଖବର ଦେଇଛି। ଯୋଗାଣ ବିଭାଗ ତଦନ୍ତ କଲା ପରେ କିଏ କେଉଁଠାକୁ ଚୋରାଚାଲାଣ କରୁଥିଲା, ତାହା ଜଣାପଡ଼ିବ। କଣ୍ଟାବାଞ୍ଜିର ଏକ ମିଲକୁ ଗାଡ଼ିଟି ଯାଉଥିବା ଅନୁମାନ କରାଯାଉଛି। ପରିବହନ ବିଭାଗର ୱେବସାଇଟରୁ ମିଲିଥିବା ତଥ୍ୟ ଅନୁସାରେ ୪୦୭ ଟି କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ପି.ଡି.ଏସ ଚୋରାଚାଲାଣ କାରବାରରେ ଅନେକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର