ତରଭୁଜ ଟ୍ରକ୍‌ରେ ଗଞ୍ଜେଇ ଚୋରାଚାଲାଣ

ସୋହେଲା: ଅନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କ ଅଭିନବ ଉପାୟରେ ତରଭୁଜ ବୋଝେଇ ଟ୍ରକ୍‌ରେ ଗଂଜେଇ ଚାଲାଣ କରୁଥିବା ବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୀମାନ୍ତ ସରାଇପାଲି ପୁଲିସ ଦ୍ୱାରା ଧରାପଡିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ଦେଇ ଓଡ଼ିଶାରୁ ଛତିଶଗଡ଼ ରାଜ୍ୟ ତଥା ଅନ୍ୟ ରାଜ୍ୟକୁ ବ୍ୟାପକ ମାତ୍ରାରେ ଗଂଜେଇ ଚୋରା ଚାଲାଣ ହେଉଥିବା ଏବଂ ଏହାକୁ ରୋକିବା ପାଇଁ ଛତିଶଗଡ଼ ମହାସମୁନ୍ଦ ଏସ୍‌ପି ଧର୍ମେନ୍ଦ୍ର ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଜାତୀୟ ରାଜପଥ ଉପରେ ଥିବା ଥାନାଗୁଡ଼ିକ ଦ୍ୱାରା ଅବୈଧ ଗଂଜେଇ କାରବାର ରୋକିବା ପାଇଁ ପାଟ୍ରୋଲିଂ କଡାକଡି କରାଯାଇଛି। ଏହି କ୍ରମରେ ଶନିବାର ସୋହେଲା ପଟୁ ଗଂଜେଇ ଛତିଶଗଡ଼ ଆଡ଼େ ବେଆଇନ ଚୋରା ଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସରାଇପାଲି ପୁଲିସ ପକ୍ଷରୁ ଜାତୀୟ ରାଜପଥ ଉପରେ ସରାଇପାଲି ନିକଟସ୍ଥ ବାଲିସି ପେଟ୍ରୋଲ ପମ୍ପ ସମ୍ମୁଖରେ ନକାବନ୍ଦୀ କରାଯାଇ ଗାଡି ମଟର ଯାଂଚ ଚାଲିଥିଲା।

ଏହି ସମୟରେ ସୋହେଲା ଆଡୁ ତରଭୁଜ ବୋଝେଇ କରି ଆସୁଥିବା ଏକ ଲାଲ ରଂଗର ଟାଟା ୧୧୦୯ ମିନିଟ୍ରକ (ଏମ୍‌ପି୧୯-ଜିଏ-୫୦୫୮)କୁ ପୁଲିସ୍‌ ସନ୍ଦେହରେ ଅଟକାଇଥିଲା। ଟ୍ରକ୍‌ରେ ଥିବା ୨ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଫଳରେ ପୁଲିସ ସନ୍ଦେହ କରି ଟ୍ରକ୍‌କୁ ଯାଂଚ କରିଥିଲେ। ତରଭୁଜ ଭିତରେ କିଛି ବସ୍ତା ଲୁଚା ହୋଇଥିବା ଦେଖିବାକୁ ପାଇଥିଲେ। ପୁଲିସ ଏହାପରେ ଟ୍ରକକୁ ସରାଇପାଲି ଥାନାକୁ ଆଣି ଯାଂଚ କରିବାରୁ ତରଭୁଜ ଭିତରେ ପ୍ରୟ ୩୦ଟି ଜରି ବସ୍ତାରେ ଭରା ହୋଇଥିବା ୧୦ କ୍ୱିଣ୍ଟାଲ ୫୦ କେଜି ଓଜନର ଗଂଜେଇ ଜବତ କରା ଯାଇଥିଲା। ଯାହାର ଅନୁମାନିକ ବଜାର ମୂଲ୍ୟ ପ୍ରାୟ ୨କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍‌ ସୂଚନା ଦେଇଛି।

ସରାଇପାଲି ଥାନା କେସ ନମ୍ବର ୧୦୫/୨୩ ଅନୁସାରେ ବେଆଇନ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଟ୍ରକରୁ ଧରା ପଡିଥିବା ମଧ୍ୟପ୍ରଦେଶ ରାଜ୍ୟ ପନ୍ନା ଜିଲା ବସାଇ ଥାନା ଅଂଚଳର ପପ୍ପୁ ପାଲ(୩୫) ଏବଂ ଲୀଳାଧର ପାଲ(୩୩) କକ୍ନାରକୋଟିକ୍ସ ଆଇନର ୨୦(ଖ) ଅନୁସାରେ ଗିରଫ କରାଯିବା ସହିତ ଗଂଜେଇ ଏବଂ ଟ୍ରକକୁ ଜବତ କରାଯାଇଛି । ମହାସମୁନ୍ଦ ଏସ୍‌ପି ଶ୍ରୀ ସିଂଙ୍କ ମାର୍ଗଦର୍ଶନ କ୍ରମେ ଏଏସ୍‌ପି ଆକାଶ ରାୟ ଏବଂ ସରାଇପାଲି ଏସ୍‌ଡିପିଓ ଅଭିଷେକ କେଶରୀଙ୍କ ନିର୍ଦ୍ଦେଶକ୍ରମେ ସରାଇପାଲି ଥାନାଧିକାରୀ ଆଶିଷ ୱାସନିକ, ସବଇନ୍ସପେକ୍ଟର ଉଦୟରାମ ସାହୁ, ମଦନ ସେଠ, ପ୍ରକାଶ ସାହୁ, ସରଫୁଦ୍ଦିନ ଅଂଶାରି, ରାହୁଲ ବର୍ମା, ବିକ୍ରମ ଲହରେ, ରାକେଶ ସାଣ୍ଡିଲ୍ୟ, ଉମେଶ୍ୱର ମରକାମ, ଶିବଶଙ୍କର ରାଜ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର