ଏବେ ବି ରହସ୍ୟ ଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ: ଅଟକିଛି ତଦନ୍ତ, କାଠଗଡ଼ାରେ ପୁଲିସ

କଲ୍‌ ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ, ସିସିଟିଭି ଫୁଟେଜରେ ଗୁମର

ଯାଜପୁର: ପିଇଓ ସ୍ମିତରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୧୫ଦିନ ପୂରିବାକୁ ଯାଉଛି। ଏହି ଘଟଣାକୁ ନେଇ ସାରାରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ତଦନ୍ତ କିନ୍ତୁ ଅଧିକ ବାଟକୁ ଯାଇନାହିଁ। ଅଭିଯୁକ୍ତଙ୍କ ପ୍ରତି ପୁଲିସ୍‌ର କୋହଳ ମନୋଭାବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି! ସୂଚନାଯୋଗ୍ୟ, ଗତ ୧୬ତାରିଖ ଦିନ ପିଇଓ ସ୍ମିତାରାଣୀ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରି ଫେରିବା ପରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳା(ଗେଷ୍ଟ ହାଉସ୍)ରେ ରହସ୍ୟଜନକ ସ୍ଥିତିରେ ପ୍ରାଣ ହରାଇଥିଲେ। ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଅଭିଯୁକ୍ତ ରୂପେଶ ଭଦ୍ରକୁ ଗିରଫ କରିଥିଲା। ହେଲେ ତଦନ୍ତ ବର୍ତ୍ତମାନ ସେହିଠାରେ ହିଁ ଅଟକି ଯାଇଛି। ସ୍ମିତାରାଣୀଙ୍କ ମୃ୍ତ୍ୟୁ ପାଇଁ ଦାୟୀ ଅପରାଧୀଙ୍କ କାର୍ଯ୍ୟକଳାପ କ’ଣ ଥିଲା, ସେମାନଙ୍କ ମଧ୍ୟରେ ସେଦିନ କ’ଣ ବାର୍ତ୍ତାଳାପ ହୋଇଥିଲା ତାହାକୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ଏପରିକି ଯେଉଁ ଗାଡିରେ ସ୍ମିତାରାଣୀ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ, ଯେଉଁ ଗାଡ଼ିରେ ତାଙ୍କ ଶବକୁ ମେଡିକାଲ ନିଆଯାଇଥିଲା; ସେହି ଡ୍ରାଇଭରମାନଙ୍କୁ ମଧ୍ୟ ପୁଲିସ ଜେରା ବି କରି ନାହିଁ। ସର୍ବୋପରି ରୂପେଶ ଓ ତାଙ୍କ ସାଥୀମାନଙ୍କ ଫୋନ ରେକର୍ଡକୁ ମଧ୍ୟ ତର୍ଜମା କରଯାଇ ନାହିଁ। ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ରୂପେଶଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା କିଛି ପ୍ରଭାବଶାଳୀ ଲୋକଙ୍କ ନିକଟକୁ ଯାଇଛି ବୋଲି ଚର୍ଚ୍ଚା ହେଉଛି। ସେନେଇ ମଧ୍ୟ ଅନୁସନ୍ଧାନ ହୋଇନାହିଁ। ବ‌ିଶେଷକରି, ରଙ୍ଗଶାଳାରୁ ‌ଧର୍ମଶାଳା ମେଡିକାଲ, ଧର୍ମଶାଳା ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ କେଉଁମାନେ ରୂପେଶ ସହିତ ଥିଲେ, ତାହାର ପ୍ରମାଣ ସିସି କ୍ୟାମେରାରେ ଧରାପଡ଼ିଯିବ। ମାତ୍ର ସେ ସଂପର୍କରେ ମଧ୍ୟ ଅନୁସନ୍ଧାନ ନକରି ପୁଲିସ ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ଦିନ ପରେ ଦିନ ଗଡ଼ି ଯାଉଥିବା ବେଳେ ପ୍ରମାଣ ମଧ୍ୟ ନଷ୍ଟ ହେବାରେ ଲାଗିଛି।

ଗାଡ଼ି ଡ୍ରାଇଭର ନିକଟରେ ବି ପହଞ୍ଚୁନି ପୁଲିସ
ଏସ୍‌ପିଙ୍କ ବୟାନରେ ଷଡ଼ଯନ୍ତ୍ରର ଗନ୍ଧ?
ଆଉ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍‌ ସ୍ଥିତି ପରଖିଲେ

ତଦନ୍ତରେ ଫାଙ୍କକୁ ନେଇ ଯାଜପୁର ପୁଲିସକୁ ଲୋକେ କାଠଗଡ଼ାରେ ଠିଆ କରିଥିବା ବେଳେ ସିବିଆଇ ତଦନ୍ତ, ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ଉଠୁଛି। ରାଜ୍ୟ ମହିଳା କମିସନ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରାଯାଇଥିବା କହୁଛନ୍ତି। ହେଲେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ବି‌ଶେଷ କରି ଶାସକ ଦଳର ଏକ ଗୋଷ୍ଠୀ ଏହି ଘଟଣାଠାରୁ ନିଜକୁ ସୁରକ୍ଷିତ ଦୂରତାରେ ରଖିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ଯାଜପୁର ଏସ୍‌ପିଙ୍କ ଦ୍ବାରା ଧର୍ମଶାଳା ଥାନାରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସ୍ମିତାରାଣୀଙ୍କ ଚରିତ୍ର ସଂହାର ପୂର୍ବକ ଷଡ଼୍‌ଯନ୍ତ୍ରକୁ ଭିନ୍ନ ମୋଡ଼ ଦିଆଯାଇଥିବା ଆଲୋଚନା ହେଉଛି। ମୃତ୍ୟୁ ରହସ୍ୟ ଉନ୍ମୋଚନ ହେଲେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୁଖା ଖୋଲିବାର ଆଶଙ୍କା ଥିବାରୁ ଏସ୍‌ପିଙ୍କ ମୁହଁରେ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରାଗଲା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଆଜି ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ନେତୃତ୍ବରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଧର୍ମଶାଳା ଅଞ୍ଚଳ ଗସ୍ତ କରି ମୃତ୍ୟୁ ରହସ୍ୟ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସ୍ମିତାରାଣୀଙ୍କ ବାପାଙ୍କୁ ଭେଟିବା ସହ ରଙ୍ଗଶାଳା ନିକଟକୁ ଯାଇ ସ୍ଥିତି ପରଖିଛନ୍ତି। ଏହାସହ ଧର୍ମଶାଳା ପୁଲିସକୁ ସାକ୍ଷାତ କରି ତଦନ୍ତ ଅଗ୍ରଗତି ସଂପର୍କରେ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ପ୍ରଦୀପ ପ୍ରଧାନ, ସୁଧୀର ମହାନ୍ତି. ସଂଯୁକ୍ତା ପାଣିଗ୍ରାହୀ, ସୁବାସ ସେଠୀ, ବଳରାମ ଦାସ, ବିଜୟ ବିଶ୍ବାସ ପ୍ରମୁଖ ଏହି ଦଳରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର